କଳିଙ୍ଗ ନାଟ୍ୟ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା, ମଞ୍ଚ ହେଉଛି ଚାପମୁକ୍ତ ଗଣମାଧ୍ୟମ: ସୌମ୍ୟରଞ୍ଜନ

Advertisment
କଳିଙ୍ଗ ନାଟ୍ୟ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା, ମଞ୍ଚ ହେଉଛି ଚାପମୁକ୍ତ ଗଣମାଧ୍ୟମ: ସୌମ୍ୟରଞ୍ଜନ

ଭୁବନେଶ୍ୱର: ‘ନାଟ୍ୟ ମଞ୍ଚ ହେଉଛି ଚାପମୁକ୍ତ ଗଣମାଧ୍ୟମ। ସାମାଜିକ ଚିତ୍ର ପରିବେଷଣ କରିବାକୁ ମଞ୍ଚ ନିକଟରେ ସ୍ବାଧୀନତା ରହିଛି। କିଛି ବାଧାବନ୍ଧନ ନାହିଁ। ନାଟକୀୟ ଢଙ୍ଗରେ ଏଠି ସବୁ କିଛି କହିହେବ, ପ୍ରଦର୍ଶନ କରିହେବ ଓ ସମାଜକୁ ବାର୍ତ୍ତା ଦେଇହେବ। ରାଜନୈତିକ ଚାପରୁ ମୁକ୍ତ ଏହି ମଞ୍ଚ ସାମାଜିକ ଚିତ୍ରକୁ ଜୀବନ୍ତ ରୂପ ଦେଇପାରେ। ତେଣୁ ନାଟ୍ୟ ମଞ୍ଚ ହେଉଛି ସର୍ବଶ୍ରେଷ୍ଠ ଗଣମାଧ୍ୟମ। ସେଥିପାଇଁ ନାଟ୍ୟ ମଞ୍ଚ ସବୁଠାରୁ ଉଚ୍ଚରେ।’ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା କଳିଙ୍ଗ ନାଟ୍ୟ ମହୋତ୍ସବର ଆଜି ଦ୍ବିତୀୟ ସନ୍ଧ୍ୟାରେ ଅତିଥିଭାବେ ଯୋଗ ଦେଇ ଖଣ୍ଡପଡ଼ା ବିଧାୟକ ତଥା ଦୈନିକ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଏହି ଅବସରରେ ଅନ୍ୟତମ ଅତିଥି ଅବସରପ୍ରାପ୍ତ ପ୍ରଶାସକ ପିକେ ମହାନ୍ତି କହିଲେ ଯେ ମୋବାଇଲ୍‌ ଫୋନ୍‌ ଯୁଗରେ ଖବରକାଗଜ ଓ ଟିଭିର ଗୁରୁତ୍ବ କମି ଯାଇଛି। ଖବରକାଗଜର ଏକପ୍ରକାର ମୃତ୍ୟୁ ହୋଇସାରିଛି ଓ ଟିଭି କୋମାରେ ରହିଛି ବୋଲି ସେ କହିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଲେ ଯେ ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମଗୁଡିକର ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟରେ ଏକ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବାର ଅବଶ୍ୟକତା ରହିଛି। ଏହି ଅବସରରେ ‘ଶତାବ୍ଦୀର କଳାକାର’ର ସଭାପତି ତଥା କଥାକାର ଗୌରହରି ଦାସ ରାମାୟଣ ଉଦାହରଣ ମାଧ୍ୟମରେ ମନୁଷ୍ୟ ଜୀବନରେ ନାଟକର ଭୂମିକା ଉପରେ ଆଲୋକପାତ କରିଥିଲେ।

ଆଜି ଶତାବ୍ଦୀର କଳାକାର ପକ୍ଷରୁ ନାଟକ ‘ଏକ ଜିଦ୍‌ଖୋର ଝିଅ’ ମଞ୍ଚସ୍ଥ ହୋଇଥିଲା। ବିଜୟ ତେନ୍ଦୁଲକରଙ୍କ ଦ୍ବାରା ଲିଖିତ ଏହି ନାଟକର ଓଡ଼ିଆ ରୂପାନ୍ତର କରିଥିଲେ ରମାକାନ୍ତ ବାନାର୍ଜୀ। ଧୀର ମଲ୍ଲିକ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ନାଟକଟି ଗାନ୍ଧୀବାଦୀ ଆଦର୍ଶରେ ଅନୁପ୍ରାଣିତ ଜଣେ ଜିଦ୍‌ଖୋର ଝିଅର କାହାଣୀ ଉପରେ ଆଧାରିତ। ଝିଅଟି ନିଜ ଜିଦ୍ ବଳରେ ଏକ ଅନୁଶାସନହୀନ ଓ ବିଶୃଙ୍ଖଳିତ ପରିବାରକୁ ପୁଣି ଶୃଙ୍ଖଳା ଓ ଅନୁଶାସନ ଫେରାଇ ଆଣିପାରିଛି। ଏଥିପା‌ଇଁ ତାକୁ ନାନା ନିର୍ଯାତନା ସହିବାକୁ ପଡ଼ିଛି। ତଥାପି ସେସବୁକୁ ଖାତିର ନକରି ଝିଅଟି ନିଜ ଜିଦ୍‌ରେ ଅଟଳ ରହିଥିଲା ଓ ଶେଷରେ ସେ ହିଁ ବିଜୟ ଲାଭ କରିଥିଲା। ଉଲ୍ଲେଖଯୋଗ୍ୟ ଆଜି ସନ୍ଧ୍ୟାରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥିଭାବେ ଉପସ୍ଥିତ ଥିଲେ ଓ ନିର୍ଦ୍ଦେଶକ ଧୀର ମଲ୍ଲିକଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe