ମଲିଆ ସେବାୟତଙ୍କ ଦେବୋତ୍ତର କାର୍ଯ୍ୟାଳୟ ଘେରାଉ, ଆଜି ଖୋଲିବ କପିଳେଶ୍ବର ମନ୍ଦିର

Advertisment
ମଲିଆ ସେବାୟତଙ୍କ ଦେବୋତ୍ତର କାର୍ଯ୍ୟାଳୟ ଘେରାଉ, ଆଜି ଖୋଲିବ କପିଳେଶ୍ବର ମନ୍ଦିର

ଭୁବନେଶ୍ୱର: ପ୍ରଭୁ ଶ୍ରୀ କପିଳନାଥ ୪ଦିନ ଉପାସ ରହିବା ପରେ ସେବାୟତ ବିବାଦର ଅନ୍ତ ଘଟିଛି। ଆସନ୍ତାକାଲି ସକାଳୁ ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତ ବାବା କପିଳନାଥଙ୍କ ‌ସେବା କରିବେ ବୋଲି ସ୍ଥିର ହୋଇଛି। ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଭୟ ସେବାୟତଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଛି ଓ ସେବାୟତଙ୍କୁ ମନ୍ଦିର ଚାବି ପ୍ରଦାନ କରାଯାଇଛି। ତେଣୁ ଆସନ୍ତାକାଲି ମଙ୍ଗଳବାର କପିଳେଶ୍ବର ମନ୍ଦିରର ତାଲା ଖୋଲିବା ସହ ଠାକୁରଙ୍କ ସେବା କାର୍ଯ୍ୟ ହେବ ବୋଲି ସୂଚନା ମିଳିଛି।

୪ଦିନ ହେଲା ପ୍ରଭୁ କପିଳନାଥ ଉପବାସ ରହିବା ପରେ ଆଜି କପିଳେଶ୍ବରର ମଲିଆ ସେବାୟତମାନେ ମନ୍ଦିର ଚାବି ପାଇଁ ଦେବୋତ୍ତର ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସକାଳ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାରଣା ଦେବା ପରେ ଦେବୋତ୍ତର କମିସନର ଚାବି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ସେମାନେ ଧାରଣାରୁ ଉଠିଥିଲେ। ଅପରାହ୍ନ ୪ଟାରେ ଉପଜିଲ୍ଲାପାଳ ତଥା କପିଳେଶ୍ବର ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବବ୍ରତ ସାହୁ ଦୁଇ ସେବାୟତ ଗୋଷ୍ଠୀର ୫ଜଣ ଲେଖାଏଁ ପ୍ରତିନିଧିଙ୍କୁ ଡାକିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରିଥିଲେ। ସେବାୟତଙ୍କ ପ୍ରତିନିଧିମାନେ ରାଜି ହେବା ସହ ସେମାନଙ୍କ କଥା ଲିଖିତ ଭାବେ ରଖିଥିଲେ। ଦୁଇ ସେବାୟତ ଏକାଠି ମିଶି ଶ୍ରୀ କପିଳେଶ୍ୱରଙ୍କ ନୀତି କରିବେ ବୋଲି କହିବା ପରେ ଉପଜିଲ୍ଲାପାଳ ଚାବି ହସ୍ତାନ୍ତର କରିଥିଲେ। ପ୍ରକାଶ ଥାଉକି, କପିଳେଶ୍ୱର ମନ୍ଦିରରେ ହାଣ୍ଡିଭଙ୍ଗା ଯାତ୍ରାକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଫଳରେ ଶନିବାର ହେବାକୁ ଥିବା ହାଣ୍ଡିଭଙ୍ଗା ଯାତ ବନ୍ଦ ହୋଇ ଯାଇଥିଲା। ସେହିଦିନଠାରୁ ବିବାଦ ସମାଧାନ ହୋଇନଥିବାରୁ ମନ୍ଦିରରେ ତାଲା ପଡ଼ି ରହିଥିଲା ଓ ଠାକୁରଙ୍କୁ ଉପବାସରେ ରହିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe