ଜଟିଳ ହେଉଛି କ୍ୟାପିଟାଲ୍‌ ହସ୍ପିଟାଲ ସ୍ଥିତି: ଆନ୍ଦୋଳନରେ ବସିଲେ ସୁରକ୍ଷାକର୍ମୀ

ଗତକାଲି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଘଟଣା ପରଠାରୁ ଜଟିଳ ହେବାରେ ଲାଗିଛି କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସ୍ଥିତି। ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସୁରକ୍ଷା କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ...

Untitled-26

ଭୁବନେଶ୍ବର: ଗତକାଲି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଘଟଣା ପରଠାରୁ ଜଟିଳ ହେବାରେ ଲାଗିଛି କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସ୍ଥିତି। ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସୁରକ୍ଷା କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ବେଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜୁନିୟର ଡାକ୍ତର ସଂଘ ମଧ୍ୟ ଗତକାଲିର ଘଟଣାକୁ ନିନ୍ଦା କରିବା ସହିତ ସୁରକ୍ଷା ଦାବି କରିଛି। ସୁରକ୍ଷା‌ କର୍ମୀମାନେ ଏନେଇ କ୍ୟାପିଟାଲ ଥାନାରେ ୪ଟି ଅଭିଯୋଗ କରିଥିବା ଜଣାପଡ଼ିଛି। ଅପରପକ୍ଷେ ଡାକ୍ତରମାନେ ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିବା ସହ ରୋଗୀ ସେବା ପାଇଁ ଅନିଚ୍ଛୁକ ହେବା ପରେ ପ୍ରତି ଡାକ୍ତରଙ୍କ କୋଠରିରେ ଇଣ୍ଡିଆନ୍‌ ରିଜର୍ଭ ବାଟାଲିୟନ୍‌( ଆଇଆର୍‌ବି)ର ଜଣେ ଲେଖାଏଁ ପୁଲିସଙ୍କୁ ନିୟୋଜିତ କରାଯାଇଥିଲା। 
ଗତକାଲିର ଘଟଣା ପରଠାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସୁରକ୍ଷା କର୍ମୀମ‌ାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଆଜି ସକାଳୁ ସୁରକ୍ଷା କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ। ପ୍ରଶାସନିକ ବିଭାଗକୁ ଯାଇଥିବା ରାସ୍ତାରେ ବସି ଆନ୍ଦୋଳନ କରିଥିଲେ। ପ୍ରଶାସନିକ ବିଭାଗ ସମ୍ମୁଖସ୍ଥ ପାର୍କିଂକୁ କାହାରିକୁ ଛାଡ଼ି ନଥିଲେ। ଏପରିକି ଡାକ୍ତରମାନଙ୍କୁ ମଧ୍ୟ ପାର୍କିଂକୁ ଛାଡ଼ି ନଥିଲେ। ପୁଲିସ, ହସ୍ପିଟାଲ୍‌ କର୍ତ୍ତୃପକ୍ଷ ବୁଝାସୁଝା ସତ୍ତ୍ବେ ସୁରକ୍ଷା କର୍ମୀମାନେ କିଛି ଶୁଣି ନଥିଲେ। ସୁରକ୍ଷା କର୍ମୀମାନେ ଅଭିଯୋଗ କରିଛନ୍ତି , ଗତକାଲି ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ସଂଘ  ଆକ୍ରମଣରେ ସୁରକ୍ଷାକର୍ମୀମାନେ ଆହତ ହୋଇଛନ୍ତି।  ଜଣେ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସେମାନେ ବାଡ଼େଇଲା ବେଳେ ପୁଲିସ ସେଠାରେ ଥିଲା। କିନ୍ତୁ ଅଟକାଇ ନଥିଲା। ଆମେ ହସ୍ପିଟାଲ୍‌ ସୁରକ୍ଷାରେ ରହିଛୁ କିନ୍ତୁ ଆମକୁ ସୁରକ୍ଷା ଦେବାକୁ କେହି ନାହାନ୍ତି। ପୁଲିସକୁ ଅଭିଯୋଗ କଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ।  ଆମେ ଥାନାରେ ୪ଟି ଅଭିଯୋଗ କରିଛୁ।  କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ପୁଲିସ ଯେତେଦିନ ଯାଏଁ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି ସେତେଦିନ ଯାଏ ଆନ୍ଦୋଳନ ଚାଲିବ ବୋଲି ସୁରକ୍ଷାକର୍ମୀମାନେ ଚେତାବନୀ ଦେଇଛନ୍ତି। 
ଅନ୍ୟପକ୍ଷରେ ଆଜି ସୁରକ୍ଷାକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ବିଭିନ୍ନ ବିଭାଗରେ ଜଟିଳ ପରିସ୍ଥିତି ଉପୁଜିଥିଲା। ରୋଗୀ ଦେଖାକୁ ନେଇ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କେହି କାହାରିକୁ ମାନି ନଥିଲେ। ପ୍ରଥମେ ଚିକିତ୍ସା କରିବାକୁ ସବୁ ଓପିଡି ଭିତରକୁ ପଶି ଯାଇଥିଲେ। ଲୋକମାନେ ମନ ଇଚ୍ଛା ଗାଡ଼ି ପାର୍କିଂ କରିଥିଲେ। ତେଣୁ ହସ୍ପିଟାଲ ପରିସରରେ ଏକ ପ୍ରକାରର ଅରାଜକତା ସୃଷ୍ଟି ହୋଇଥିଲା। ଡାକ୍ତରମାନେ ମଧ୍ୟ ଏହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କୁ ସୁରକ୍ଷା ନ ଦେଲେ ରୋଗୀସେବା ସମ୍ଭବ ନୁ‌ହେଁ ବୋଲି ଡାକ୍ତରମାନେ କହିଛନ୍ତି। 
ଗତକାଲିର ଘଟଣାକୁ ନେଇ ପିଜିଆଇଏମଇଆ‌ର୍‌ ଆଣ୍ଡ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜୁନିୟର୍ ଡାକ୍ତର ସଂଘ ସଭାପତି ଡା. ଆଶିଷ ଅଂଶୁମାନ ପଣ୍ଡା କହିଛନ୍ତି ‌ଯେ ଗତକାଲି ବହୁ ଚେଷ୍ଠା ‌ସ‌ତ୍ତ୍ବେ ଶିଶୁକୁ ବଞ୍ଚାଇ ହେଲା ନାହିଁ। ଏନେଇ ମହିଳା ଡାକ୍ତର ଜଣକ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣାଇବା ପରେ ଡାକ୍ତରଙ୍କୁ ଶିଶୁର ସମ୍ପର୍କୀୟ ମହିଳାମାନେ ଗାଳିମନ୍ଦ କରିଥିଲେ। ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ମହିଳା ଡାକ୍ତରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଶହଶହ ‌ଲୋକ ଜଣେ ମହିଳା ଡାକ୍ତରଙ୍କୁ ଘେରି ଯାଇଥିଲେ। ଫଳରେ ଡାକ୍ତର ଜୀବନ ବଞ୍ଚାଇବା ଭୟରେ ଏକ ରୁମ୍ ଭିତରକୁ ପଶି ଯାଇଥିଲେ। କେବଳ ସେହି ଡାକ୍ତର ନୁହନ୍ତି ଶିଶୁ ବିଭାଗର ମୁଖ୍ୟଙ୍କ ସମେତ ଅନ୍ୟ ଡାକ୍ତରମାନେ ମଧ୍ୟ ଏକ ରୁମ୍‌ ଭିତରେ ନିଜକୁ ତାଲା ପକାଇ ରଖିଥିଲେ। ଲୋକମାନେ ହସ୍ପିଟାଲ୍‌ ପରିସରରେ ଭଙ୍ଗାରୁଜା କରିଥିଲେ। ଫଳରେ ଅନ୍ୟ ରୋଗୀମାନେ ଭୟଭୀତ ହୋଇପଡ଼ିଥ‌ିଲେ।  ସରକାର ଏହାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରି ଡାକ୍ତରମାନଙ୍କର ସୁରକ୍ଷାକୁ ସୁନିଶ୍ଚିନ୍ତ କରନ୍ତୁ। ‌ଯେଉଁମାନେ ହସ୍ପିଟାଲ୍‌ ପରିସରରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଥିଲେ ସେମାନଙ୍କୁ ଚିହ୍ନଟ କରି ଦୃ‌ଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡାକ୍ତର ପଣ୍ଡା କହିଛନ୍ତି। 

ଏନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ, ଗତକାଲି ଘଟଣାର ପ୍ରାଥମିକ ତଦନ୍ତ ସରିଛି। ତଦନ୍ତ ରିପୋର୍ଟ ସ୍ବାସ୍ଥ୍ୟ ସଚିବଙ୍କୁ ପଠାଯାଇଛି। ସୁରକ୍ଷା କର୍ମୀଙ୍କର ଯେଉଁ ଦାବି ରହିଛି ତାହାକୁ ନେଇ ପୁଲିସ ସହ ଆଲୋଚନା କରାଯାଇଛି। ସୁରକ୍ଷା କର୍ମୀମାନଙ୍କ ସହିତ ଆଲୋଚନା କରାଯାଇଛି ଖୁବ୍‌ଶୀଘ୍ର ସେମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ଆଶାବାଦୀ ଅଛୁ। କ୍ୟାପିଟାଲ୍‌ ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି ‌ଯେ, ଜଣେ ମହିଳାଙ୍କୁ ଧରି ସୁରକ୍ଷାକର୍ମୀମାନେ ଥାନାରେ ଦେଇଛନ୍ତି। ତାଙ୍କ ସଂପୃକ୍ତି ଉପରେ ତଦନ୍ତ କରାଯାଉଛି।  ଆକ୍ରମଣରେ ସଂପୃକ୍ତ ‌ଲୋକମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe