ଛକପଞ୍ଝା ପରେ ଉଦ୍ଧାର ହେଲା ନାଗ, ଛୁଆ ପାଇଁ ସାପ ସହ ଲଢ଼ିଲା ‌ମା’ ଚଢ଼େଇ

Advertisment
ଛକପଞ୍ଝା ପରେ ଉଦ୍ଧାର ହେଲା ନାଗ, ଛୁଆ ପାଇଁ ସାପ ସହ ଲଢ଼ିଲା ‌ମା’ ଚଢ଼େଇ

ଭୁବନେଶ୍ବର: ଛୁଆ ପାଇଁ ବିଷଧର ସାପ ସହ ବି ଲଢ଼ିବାକୁ ପଛେଇ ନଥିଲା ମା’ ଚଢ଼େଇ। ନିଜ ପ୍ରତି ବିପଦ ଥିଲେ ହେଁ ତା’ ଛୁଆକୁ ସାପ ଗିଳିଦେବା ପରେ କ୍ରୋଧ ଜର୍ଜରିତ ମା’ ଚଢ଼େଇଟି ସାପକୁ ବାରମ୍ବାର ଖୁମ୍ପି ଚାଲିଥିଲା। ସ୍ଥିତି ଏମିତି ହେଲା ଯେ ସାପଟି ଛୁଆ ପକ୍ଷୀକୁ ପାଟିରୁ ବାହାର କରିଦେଇଥିଲା। ‌ବିଚାରା ମା’ ପକ୍ଷୀଟି ନିଜ ଛୁଆକୁ ବଞ୍ଚେଇ ପାରିନଥିଲେ ହେଁ ମା’ ପକ୍ଷୀ ସାପ ଉପରେ ପ୍ରତିଶୋଧ ନେଇ ଚାଲିଥିଲା। ବାଙ୍କୀର ରଗଡ଼ି ଗ୍ରାମର ସତ୍ୟରଂଜନ ମହାପାତ୍ରଙ୍କ ଘରେ ଗତକାଲି ରାତିରେ ଘଟିଛି ଏପରି ଅଘଟଣ।

ସତ୍ୟ ନିଜ ଘରେ କିଛି ବଜରିଗର ଚଢ଼େଇ ପୋଷିଥିବା ବେଳେ ଗତକାଲି ରାତିରେ ୩ ଫୁଟର ନାଗ ସେ ପଞ୍ଜୁରୀ ଭିତରକୁ ପଶି ଯାଇଥିଲା। ପଞ୍ଜୁରୀ ପଛ ପଟେ କଳଙ୍କି ଲାଗି ଛିଦ୍ର ହୋଇଯାଇଥିବାରୁ ସେଇ ବାଟ ଦେଇ ନାଗଟି ଭିତରକୁ ପଶି ଯାଇ ଏକ ପକ୍ଷୀ ଛୁଆକୁ ଗିଳି ଦେଇଥିଲା। ଏହି ଘଟଣା ପରେ ମା’ ପକ୍ଷୀଟି ନାଗକୁ ଆକ୍ରମଣ କରିଥିଲା। ପରେ ସାପଟି ନିଜକୁ ରକ୍ଷା କରିବା ପାଇଁ ସେଇ ପଞ୍ଜୁରୀ ଭିତରେ ଥିବା ମାଟି ବସା ଭିତରକୁ ପଶି ଯାଇଥିଲା। ଅଣ୍ଡା ଖାଇବାକୁ ଉଦ୍ୟମ କରୁଥିଲା। ଏହା ଦେଖି ପଞ୍ଜୁରୀ ଭିତରେ ଥିବା ଅନ୍ୟ ୩ ଚଢ଼େଇ ସାପକୁ ଘେରି ଯାଇ ଖୁମ୍ପି ଚାଲିଥିଲେ। ଏପରି ଛକାପଞ୍ଜା ଲାଗି ରହିଥିବା ବେଳେ ସତ୍ୟ ସ୍ନେକ୍‌ ହେଲ୍‌ପ ଲାଇନ୍‌କୁ ଏ ବାବଦରେ ଖବର ଦେଇଥିଲେ।

publive-image

ଖବର ପାଇ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଂଯୋଜକ ଲଳିତ ମୋହନ ପଣ୍ଡା, ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ସାପକୁ ହୁକ ଦ୍ବାରା ଟାଣିବା ପାଇଁ ଚେଷ୍ଟା କରିବା ଭିତରେ ମଧ୍ୟ ସାପକୁ ୩ ପକ୍ଷୀ ଆକ୍ରମଣ କରି ଚାଲିଥିଲେ। ଫଳରେ ସାପ ବାହାରି ପାରିନଥିଲା। ଶେଷରେ ଦୁର୍ଗାମାଧବ ପଞ୍ଜୁରୀ ଭିତରୁ ପକ୍ଷୀଙ୍କୁ ବାହାର କରିବା ପରେ ସାପ ଆପେ ବସାରୁ ବାହାରି ଆସିଥିଲା। ଏଥିସହ ସାପ ଆକ୍ରମଣରେ ମରିଥିବା ୩ଟି ଛୁଆ ଚଢ଼େଇଙ୍କୁ ବାହାର କରାଯାଇଥିଲା। ସାପକୁ ଉଦ୍ଧାର ପରେ ତାକୁ ଗାଁ’ଠାରୁ ଦୂରରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe