ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀ: ଏପ୍ରିଲ ୧ରୁ ୱେବ୍‌ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’

Advertisment
ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀ: ଏପ୍ରିଲ ୧ରୁ ୱେବ୍‌ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’

ଭୁବନେଶ୍ୱର: ଆଜିର ଦିନରେ ବହୁ ଛାତ୍ରଛାତ୍ରୀ ଓ ଯୁବପଢ଼ି ଷ୍ଟାର୍ଟଅପ୍ କମ୍ପାନି କରି ନିଜର ସ୍ୱପ୍ନକୁ ସାକାର କରିବାକୁ ଚାହୁଛନ୍ତି। କିନ୍ତୁ ବ୍ୟବସାୟ ଜଗତରେ ବିଭିନ୍ନ କାରଣରୁ ସବୁ ଷ୍ଟାର୍ଟଅପ୍ ତିଷ୍ଠି ପାରିନଥାଏ। ଷ୍ଟାର୍ଟଅପ୍ ଜୀବନର ସଂଘର୍ଷକୁ ଅତିକ୍ରମ କରି ଯେଉଁ କମ୍ପାନିଗୁଡ଼ିକ ସଫଳ ହୋଇଥା’ନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥା’ନ୍ତି। ଦେଶ ବିଦେଶରେ ନାଁ କରିଥିବା ଏଭଳି କିଛି ସଫଳ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ବପ୍ନ, ସଂଘର୍ଷ ଓ ସଫଳତାର କଥାକୁ ନେଇ ଆରମ୍ଭ ହେଉଛି ୱେବ୍‌ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’। ‘ଓଡ଼ିଶା ଲାଇଭ୍‌’ ଦ୍ବାରା ପ୍ରସ୍ତୁତ ଏହି ଭିଡିଓ ସାକ୍ଷାତକାରର ଉପସ୍ଥାପକ ଅଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ। ପ୍ରତି ମାସ ୧ ତାରିଖରେ ଓଡ଼ିଶା ଲାଇଭରେ ଜଣେ ଜଣେ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସଫଳ କାହାଣୀ ପ୍ରସାରିତ ହେବ। ଏହି ଭିଡିଓଗୁଡ଼ିକ ଯୁବଉଦ୍ୟୋଗୀ, ଷ୍ଟାର୍ଟଅପ୍ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣା ହେବ ବୋଲି କୁହାଯାଉଛି।

ଆସନ୍ତା ଏପ୍ରିଲ ୧ରେ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ପ୍ରଥମ ଅଧ୍ୟାୟ ‘ଓଡ଼ିଶା ଲାଇଭ’ର ଫେସ୍‌ବୁକ୍ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରଦର୍ଶିତ ହେବ। ଏଥରର ଅତିଥି ହେଉଛନ୍ତି ‘ନେଷ୍ଟ ଆୱେ’ କମ୍ପାନିର ସହ ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁ। ଏହି ଯୁବ ଓଡ଼ିଆ ଉଦ୍ୟୋଗୀଙ୍କ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀ ଭିଡିଓରେ ବେଶ୍ ସୁନ୍ଦର ଭାବେ ଫୁଟି ଉଠିଛି। ୱେବ୍ ସିରିଜ୍‌ର ପ୍ରସାରଣ ଅବସରରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ଅନେକ ମଣିଷଙ୍କ ଭିତରେ ଜଣେ ଉଦ୍ୟୋଗୀ ମନୋଭାବ ରହିଛି। କିନ୍ତୁ ଛୋଟ ମଞ୍ଜିରୁ ଦିନେ ବିଶାଳ ଗଛଟିଏ ହେବା ପରି ଷ୍ଟାର୍ଟଅପ୍‌ରୁ ଏକ ସଫଳ କମ୍ପାନିରେ ପରିଣତ ହେବା ଏକ ଲମ୍ବା ତଥା ଜଟିଳ ଯାତ୍ରା। ଷ୍ଟାର୍ଟଅପ୍ ଷ୍ଟୋରିରେ ଆମେ ଯୁବ ଓଡ଼ିଆ ଉଦ୍ୟୋଗୀମାନଙ୍କ ସେହି ସ୍ୱପ୍ନ ଓ ସଂଘର୍ଷର କାହାଣୀ ଖୋଜି ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।

ଓଡ଼ିଶା ଲାଇଭର ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି ଯେ ସୁବ୍ରତ ବାଗ୍‌ଚୀଙ୍କ ଭଳି ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଏହାର ଉପସ୍ଥାପନା କରୁଥିବାରୁ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ବଢ଼ି ପାରିଛି। ଷ୍ଟାର୍ଟଅପ୍ ଷ୍ଟୋରି ସିରିଜ୍‌ରେ ପ୍ରସ୍ତୁତ ଭିଡିଓଗୁଡ଼ିକୁ ଆଗାମୀ ଦିନରେ ‘ମୋ କଲେଜ ଅଭିଯାନ’ ଅଧୀନରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରମାନଙ୍କୁ ଦେଖାଇବାର ସୁଯୋଗ ସୃଷ୍ଟି କରାଯିବ। ଏହି ଭିଡିଓରୁ ସେମାନଙ୍କୁ ଉଦ୍ୟୋଗ ବିକାଶ ଓ ପରିଚାଳନା ସମ୍ପର୍କରେ ପ୍ରେରଣା ମିଳିବ। ଫଳରେ ଅନେ‌କେ ଚାକିରି ପଛରେ ନ ଗୋଡ଼ାଇ ନିଜ ଗୋଡ଼ରେ ଠିଆ ହେବା ସହ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ଆଗେଇ ଆସିବେ।

କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍ ଓଡ଼ିଶା’। ସେହିପରି ଇଣ୍ଡଷ୍ଟ୍ରି ପାର୍ଟନର୍ ଭାବେ ଯୋଡ଼ି ହୋଇଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା। ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଛି। ଓଡ଼ିଶା ଲାଇଭର ସୋସିଆଲ ଚ୍ୟାନେଲ ସହିତ ଏହାର ୱେବ୍‌ସାଇଟ୍‌ରେ ପ୍ରତି ମାସ ୧ ତାରିଖରେ ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜ ପ୍ରକାଶିତ ହେବ। ସେହିପରି ପ୍ରତ୍ୟେକ ସାକ୍ଷାତକାର ଉପରେ ଆଧାରିତ ଏକ ଲେଖା ‘ଓଡ଼ିଶା ଲାଇଭ୍’ ନ୍ୟୁଜ୍‌ ପୋର୍ଟାଲ ସହ ‘ସମ୍ବାଦ ରବିବାର’ର ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe