ଭୁବନେଶ୍ବର: ୧୭୮୫ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନି ଝାଡ଼ଖଣ୍ଡ ଅକ୍ତିଆର କଲା। ସେଠିକାର ଅଧିବାସୀମାନଙ୍କ ଉପରେ ଅତ୍ୟାଚାର କରିବାରୁ ଜନ୍ମ ନେଇଥିଲା ଉଲ୍ଗୁଲାନ୍। ମୁଣ୍ଡାରୀ ଭାଷାରେ ‘ଉଲ୍ଗୁଲାନ୍’ର ଅର୍ଥ ବିଦ୍ରୋହ ବା ବିପ୍ଳବ। ପ୍ରଥମେ ୧୭୮୫ ମସିହାରେ ଟିକ୍କା ମାଝୀ, ୧୮୩୧ ମସିହାରେ ବୁଧ ଭଗତ, ୧୮୫୫ ମସିହାରେ ସିଦ୍ଧୁ କାହ୍ନୁ, ୧୮୫୭ ମସିହାରେ ବିଶ୍ବନାଥ ସହଦେବ, ପାଣ୍ଡେ ଗଣପତ ରାଏ, ସେଖ୍ ଭିଖାରୀ, ଉମରାଓ ସିଂ, ନୀଳାମ୍ବର, ପୀତାମ୍ବର, ମାଧବ ସିଂ ଏବଂ ୧୮୯୫ ମସିହାରେ ମହାନ୍ ବିପ୍ଳବୀ ବିର୍ସା ମୁଣ୍ଡା ଏହି ଉଲ୍ଗୁଲାନ୍ର ନେତୃତ୍ବ ନେଇଥିଲେ। ଯାହା ଭାରତ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପାଇଥିଲା। ଝାଡ଼ଖଣ୍ଡ ଅଧିବାସୀମାନଙ୍କ ସାଂସ୍କୃତିକ ପରମ୍ପରା ଉପରେ ଇଂରେଜମାନଙ୍କ ହସ୍ତକ୍ଷେପକୁ ବିରୋଧ କରି ଏହି ବିଦ୍ରୋହ ମୁଣ୍ଡ ଟେକିଥିଲା। ଆଜି ରବୀନ୍ଦ୍ର ମଣ୍ଡପରେ ୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବ ଅବସରରେ ପରିବେଷିତ ନାଟକ ‘ଉଲ୍ଗୁଲାନ୍’ର ବିଷୟବସ୍ତୁ ଥିଲା ଏହି ବିପ୍ଳବ।
ବ୍ରିଟିଶ ଶାସନରୁ ପ୍ରିୟ ଜନ୍ମମାଟିର ମୁକ୍ତି ପାଇଁ ଉପରୋକ୍ତ ଭୂମିପୁତ୍ରମାନେ ହସି ହସି ପ୍ରାଣବଳୀ ଦେଇ ଶେଷ ପର୍ଯ୍ୟନ୍ତ ଉଲ୍ଗୁଲାନ୍କୁ ଜାରି ରଖିଥିଲେ। ବିପ୍ଳବ ଏକ ନିରନ୍ତର ପ୍ରକ୍ରିୟା। ରତ୍ନଗର୍ଭା ଝାଡ଼ଖଣ୍ଡର ଅରଣ୍ୟ, ପର୍ବତ ଯେ ସଦାସର୍ବଦା ହସୁଥିବ, ଏହା ହିଁ ନାଟକ ମାଧ୍ୟମରେ କୁହାଯାଇଛି। ଏହି ନାଟକ ପରିବେଷଣ କରିଥିଲେ ରାଞ୍ଚିର ଯୁବ ରଙ୍ଗମଞ୍ଚର କଳାକାରମାନେ। ରଚନା ଓ ନିର୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ଅଜୟ ମାଲ୍କାନି। ଦୀପକ ଚୌଧୁରୀ, ସମୀରନ୍ ବର୍ଣ୍ଣୱାଲ୍, ଶାନୁ କୁମାର, ବିପିନ ଠାକୁର, ମୁନ୍ନା ଲୋହାର, ଶାଲିନୀ କୁମାରୀ, ରିୟା ଜୁନ୍ମୀ, ସଞ୍ଜୟ ଶର୍ମା, ଜିତେନ୍ଦ୍ର ୱାଧେର, ସନ୍ନୀ ସିଂ, ମହମ୍ମଦ ସମୀର ଅଲ୍ଲୀ, ସୋନୁ ସୋନାର, ସନ୍ତୋଷ ପାଠକ, ସାଗର ପାଣ୍ଡେ, ଭରତ ପ୍ରସାଦ, ମନମୋହନ ସିଂହ, ଶିବାଙ୍ଗ ଚୌବେ, ଶଙ୍କର ପାଠକ, ସାହିଲ୍ ମମ୍ତାଜ୍ ପ୍ରମୁଖ ନିଖୁଣ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ପ୍ରାରମ୍ଭରେ ଶତାବ୍ଦୀର କଳାକାର ସମ୍ପାଦକ ଧୀର ମଲ୍ଲିକଙ୍କ ସମେତ ଅତିଥି ଭାବେ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଜେନା, ସଙ୍ଗୀତ ନାଟକ ଏକାଡେମିର ଉପସଭାପତି ମନ୍ମଥ ଶତପଥୀ ଓ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଯୋଗ ଦେଇଥିଲେ।
Follow Us