ଭୁବନେଶ୍ୱର: ‘କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ’ ପକ୍ଷରୁ ଶ୍ରୀ ବଳଦବେଜୀଉଙ୍କ ଜନ୍ମୋତ୍ସବ ଅବସରରେ ‘ଗହ୍ମା ପୂର୍ଣ୍ଣିମା ମହୋତ୍ସବ’ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରତାପ କେଶରୀ ଦେବ, ଗଣେଶ୍ବର ବେହେରା, ଧ୍ରୁବ ସାହୁ, ଦୁର୍ଗାପ୍ରସନ୍ନ ନାୟକ ଓ ଅରବିନ୍ଦ ମହାପାତ୍ର ଯୋଗ ଦେଇଥିଲେ। ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ କେନ୍ଦ୍ରାପଡ଼ାରେ ବିକାଶ ପାଇଁ ପର୍ଯ୍ୟପ୍ତ ଭିତ୍ତିଭୂମି ରହିଛି। ପର୍ଯ୍ୟଟନ, କୃଷିଭିତ୍ତିକ ଶିଳ୍ପ ଆଦିରେ ଜିଲ୍ଲା ଆଗକୁ ନେବା ପାଇଁ ଯଥେଷ୍ଟ ସମ୍ଭାବନା ରହିଛି। ଏ ଦିଗରେ ଯିଏ ଯେଉଁ କ୍ଷେତ୍ରରେ ସଫଳ ହୋଇଛନ୍ତି ସେମାନେ ବ୍ୟକ୍ତିଗତ ସ୍ତରରେ ଏଥିପାଇଁ ଉଦ୍ୟମ କରିବାର ଆବଶ୍ୟକତା ରହିଛି। କେନ୍ଦ୍ରାପଡ଼ାର ଦକ୍ଷ ମାନବ ସମ୍ୱଳକୁ ନେଇ ଜିଲ୍ଲାକୁ ଆଗକୁ ନେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।
ପରିଷଦର ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସଂଯୋଜକ ଅମୀୟ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଚୌଧୁରୀ ଅମିତାଭ ଦାସ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଶ୍ରୀ ସିଦ୍ଧ ବଳଦେବଜୀଙ୍କ ସଂସ୍କୃତି ଓ ପରମ୍ପରା ଆଧାରିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ସ୍ମରଣିକା ସମ୍ପାଦନା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ସାହୁ, ସଦସ୍ୟ ନଟବର ଖୁଣ୍ଟିଆ ଓ ସାଲୁଟ୍ ସାହୁ ଉପସ୍ଥିତ ଥିଲେ। କୋଷାଧ୍ୟକ୍ଷ ଧୀରେନ୍ଦ୍ର ସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ଯୁଗ୍ମ ସମ୍ପାଦକ ବୀରବର ଜେନାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀ ଓ ପୁଟୁଳି ପିଠାକୁ ନେଇ ସ୍ବତନ୍ତ୍ର ଷ୍ଟଲ୍ ଖୋଲାଯାଇଥିଲା। ପରିଷଦର ଉପଦେଷ୍ଟା ଶ୍ରୀରାମ ଦାଶ, ସୁରେଶ ଚନ୍ଦ୍ର ମନ୍ତ୍ରୀ, ପ୍ରଫେସର ସରୋଜ କୁମାର ମହାନ୍ତି, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫେସର ରାମଚନ୍ଦ୍ର ଦାଶ, ଡାକ୍ତର ନଟବର ସେନାପତି, କିଶୋର ଚନ୍ଦ୍ର ସ୍ବାଇଁ, ସରୋଜକାନ୍ତ କାନୁନ୍ଗୋ, କୈଳାସ ସାମନ୍ତରାୟ, ଅନ୍ନଦା ପ୍ରସାଦ ତ୍ରିପାଠୀ ଓ ବିଶ୍ବରଞ୍ଜନ ଦାଶ, ଯୁଗ୍ମ ସମ୍ପାଦକ ସ୍ମୃତିରଞ୍ଜନ ଜେନା ଓ ପ୍ରଶାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
Follow Us