ପାଗଳ ମାଙ୍କଡ଼ର ଆତଙ୍କ ଜାରି: ଗୁଳି ଫୁଟିବା ଆଗରୁ ଡିଆଁମାରି ଛୁ, ଆଜି ୩ଜଣଙ୍କୁ କାମୁଡ଼ିଲା

ସପ୍ତାହେ ହେଲା ବାଲିପାଟଣାରେ ଆତଙ୍କ ଖେଳାଇ ଆସିଥିବା ପାଗଳ ମାଙ୍କଡ଼କୁ କାବୁ କରିବା ସମ୍ଭବ ହୋଇନାହିଁ। ନନ୍ଦନକାନନର ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଚକ୍‌ମା ଦେଇ ଗେଧ ମାଙ୍କଡ଼ଟି ଛୁ ମାରିଛି।

monkey

ବାଲିପାଟଣା: ସପ୍ତାହେ ହେଲା ବାଲିପାଟଣାରେ ଆତଙ୍କ ଖେଳାଇ ଆସିଥିବା ପାଗଳ ମାଙ୍କଡ଼କୁ କାବୁ କରିବା ସମ୍ଭବ ହୋଇନାହିଁ। ନନ୍ଦନକାନନର ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଚକ୍‌ମା ଦେଇ ଗେଧ ମାଙ୍କଡ଼ଟି ଛୁ ମାରିଛି। ଟ୍ରାଙ୍କୁଲାଇଜ୍‌ ଟିମ୍‌ ତିନି ତିନିଥର ଗୁଳି କରିଥିଲେ ମଧ୍ୟ ମାଙ୍କଡ଼ ଦେହରେ ଥରୁଟିଏ ବି ବାଜିନାହିଁ। ଧୂର୍ତ୍ତ ଗେଧ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଉପରେ ନଜର ରଖି ଗୁଳି ଫୁଟିବା ମାତ୍ରେ ଡିଆଁ ମାରି ପଳାଉଥିବା ଦେଖିବାକୁ ମିଳିଛି। ଆଜି ଟ୍ରାଙ୍କୁଲାଇଜ୍‌ ଟିମ୍‌ ଓ ମାଙ୍କଡ଼ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯେତିକି ମଜାଦାର ଥିଲା, ତା’ କାମୁଡ଼ାରେ ୩ଜଣ ଆହତ ହେବା ସେତିକି ଭୟଙ୍କର ଘଟଣା ଥିଲା।   

ସୋମବାରଠାରୁ ମାଙ୍କଡ଼ର ଉପଦ୍ରବ ଦେଖିବାକୁ ମିଳିଥିଲା। ବାଲିପାଟଣା ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ମନୋଜ କୁମାର ସାହୁଙ୍କୁ ମାଙ୍କଡ଼ଟି କାମୁଡ଼ି ଗୁରୁତର କରିଥିଲା। ପମ୍ପାଲୋ ପଞ୍ଚାୟତ ତରବୋଇ ଗାଁର ୨ ମହିଳା ମଧ୍ୟ ମାଙ୍କଡ଼ କାମୁଡ଼ାରେ ଆହତ ହୋଇଛନ୍ତି। ଆଜି ସକାଳୁ ଗେଧମାଙ୍କଡ଼ ପୁଣି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। ବୁଦ୍ଧନାଥ ହାଇସ୍କୁଲ ଖେଳପଡ଼ିଆ ନିକଟରେ ଅବସରପ୍ରାପ୍ତ ବ୍ଲକ୍‌ କର୍ମଚାରୀ ପ୍ରଫୁଲ କୁମାର ବେହେରାଙ୍କୁ ଆକ୍ରମଣ କରିଥିଲା। ଏହାର କିଛି ସମୟ ପରେ ଗିରିଙ୍ଗ ମହାନ୍ତିସାହି ନିକଟରେ ପ୍ରସନ୍ନ ଭୋଇ ଓ ବସନ୍ତ ନାୟକଙ୍କୁ ମାଙ୍କଡ଼ଟି କାମୁଡ଼ି ଗୁରୁତର କରିଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଙ୍କଡ଼ର ଗତିବିଧି ଲକ୍ଷ୍ୟ କରିବାକୁ ଆସିଥିବା ୨ ବନ କର୍ମଚାରୀଙ୍କ ସାମ୍ନାରେ ହିଁ ପ୍ରସନ୍ନ ଓ ବସନ୍ତଙ୍କୁ ସେ ଗଡ଼େଇ ତଡ଼େଇ କାମୁଡ଼ି ପକାଇଥିଲା। ଭୟରେ ୨ ବନ କର୍ମଚାରୀ ମାଙ୍କଡ଼କୁ ତଡ଼ିବା ପାଇଁ ଦୂରରୁ ଥାଇ ପାଟି କରିଥିଲେ। ଆହତମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଦିଆଯାଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବାରୁ ନନ୍ଦନକାନନରୁ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଡକାଯାଇଥିଲା। ଟ୍ରାଙ୍କୁଲାଇଜ୍‌ ଟିମ୍‌ ପହଞ୍ଚିବା ପରେ ଲୋକମାନେ ଆଶ୍ବସ୍ତ ହୋଇଥିଲେ। କିନ୍ତୁ ଧୂର୍ତ୍ତ ଗେଧକୁ କାବୁ କରିବା ସମ୍ଭବ ହୋଇନଥିଲା। ତିନି ତିନି ଥର ନିଶ୍ଚେତକ ଗୁଳି କରାଯାଇଥିଲେ ହେଁ ତା’ ଦେହରେ ଗୋଟିଏ ଗୁଳି ବାଜିନଥିଲା। ଗୁଳି ଫୁଟିବା ମାତ୍ରେ ମାଙ୍କଡ଼ ଡିଆଁ ମାରୁଥିଲା। ଏମିତି‌ରେ ସନ୍ଧ୍ୟା ହୋଇଯିବାରୁ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଅପରେସନ୍‌ ବନ୍ଦ ରଖିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe