ଝରକା ତାଡ଼ି ୨୦ ଲକ୍ଷ ଟଙ୍କାର ଗହଣା ଲୁଟିନେଲେ

ମାତିଛନ୍ତି ସିନ୍ଧିଚୋର

ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ପୁରୁଣା ଭୁବନେଶ୍ୱର: ଗତ ରାତିରେ ଏୟାର୍‌ପୋର୍ଟ ଥାନା ନ୍ୟୁ ଫରେଷ୍ଟ ପାର୍କ କଲୋନିରେ ସିନ୍ଧିଚୋରମାନେ ଗୁଲୁଲ୍‌ କୁମାରଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି। ଝରକା ତାଡ଼ି ଘରେ ପଶିବା ପ‌ରେ ଆଲ୍‌ମିରା ଭାଙ୍ଗି ବିପୁଳ ସୁନାଗହଣା ଓ ନଗଦ ୪୦ ହଜାର ଟଙ୍କା ନେଇଯାଇଛନ୍ତି। ଚୋରି ଗହଣା ଭିତରେ ରହିଛି ଗୋଟିଏ ହାର, ୮ଟି ଚେନ୍‌, ୮ଟି ମୁଦି, ୧୦ ହଳ କାନଫୁଲ, ୧୨ ହଳ ଚୁଡ଼ି। ଏସବୁର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଗତରାତିରେ କେହି ଘରେ ନଥିବା ସୁଯୋଗ ଦେଖି ସିନ୍ଧିଚୋରମାନେ ଏହି କାଣ୍ଡ କରିଛନ୍ତି। ଆଜି ସକାଳୁ ଗୁଲୁଲ୍‌ ଘରକୁ ଫେରି ଚୋରି ହୋଇଥିବା ଜାଣିବା ପରେ ଏୟାର୍‌ପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ପ୍ରତି ରାଜଧାନୀ‌ରେ ସିନ୍ଧି ଚୋରି ବଢ଼ୁଛି। ଗତ ସପ୍ତାହକ ଭିତରେ କୌଣସି ଝରକା ତଡ଼ା ଗ୍ୟାଙ୍ଗ୍‌ ରାଜଧାନୀରେ ପ୍ରାୟ ୪/୫ଟି କାଣ୍ଡ ଘଟାଇ ସାରିଲେଣି। ଦୁଇ ଦିନ ପୂର୍ବେ ଏୟାର୍‌ଫିଲ୍‌ଡ ଥାନା ଆଜାଦନଗରରେ ଅନୁରୂପ ଚୋରି ହୋଇଥିଲା। ୟୁନୁସ୍‌ ଖାଁଙ୍କ ଘରର ଝରକା ତାଡ଼ି ଦୁର୍ବୃତ୍ତମାନେ ପଶିଥିଲେ ଓ ଭିତରେ ଆଲ୍‌ମିରା ଭାଙ୍ଗି ପ୍ରାୟ ୯୦ ହଜାର ଟଙ୍କାର ଗହଣା ଓ କିଛି ନଗଦ ଟଙ୍କା ଚୋରି କରି ନେଇଥିଲେ। ସେହିଭଳି ବଡ଼ଗଡ଼ ଥାନା ଅଞ୍ଚଳରେ ଜଣେ ସହକାରୀ ପ୍ରଫେସରଙ୍କ ଘରୁ, ଆଇଗିଣିଆ ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କ ଘରୁ ମଧ୍ୟ ଦୁର୍ବୃତ୍ତମାନେ ଝରକା ତାଡ଼ି ବିପୁଳ ଗହଣା ଗାଣ୍ଠି ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ଏବେ ରାଜଧାନୀରେ ସିନ୍ଧିଚୋର ଆତଙ୍କ ଖେଳିଯାଇଥିବା ଆଲୋଚନା ହେଉଛି।

ସୂଚନାନୁସାରେ, କମିସନରେଟ୍‌ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଏବେ ଏହି ଗ୍ୟାଙ୍ଗ୍‌କୁ ଠାବ କରିବାକୁ ଲାଗି ପଡ଼ିଛନ୍ତି। ଆଇଗିଣିଆ ଚୋରି ମାମଲାରୁ ମିଳିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଟିମ୍‌ ତଦନ୍ତ ଚଳାଇଛି। ପୁଲିସ ଟିମ୍‌ ସିନା ସେମାନଙ୍କ ପତ୍ତା ଖୋଜୁଛି, ସିନ୍ଧିଚୋର ଗ୍ୟାଙ୍ଗ୍‌କୁ କିନ୍ତୁ ସେମାନଙ୍କ ଧାର୍ଯ୍ୟ ଠିକଣାରେ ପହଞ୍ଚି କଳାକନା ବୁଲାଇବାରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe