ବାଲିପାଟଣା: ଜଣେ ଯୁବକ ଚୋରକୁ କାବୁ କରିବା ସମୟରେ ସେ ତାଙ୍କ ଯୌନାଙ୍ଗକୁ କାମୁଡ଼ି ଖସିଯିବାକୁ ବସିଥିଲା। କିନ୍ତୁ ରକ୍ତାକ୍ତ ଅବସ୍ଥାରେ ବି ଯୁବକଜଣଙ୍କ ଚୋରକୁ ଛାଡ଼ିନଥିଲେ। ପଡ଼ୋଶୀମାନଙ୍କ ସହଯୋଗରେ ଯୁବକଜଣଙ୍କ ଚୋରକୁ ଧରି ପୁଲିସ ଜିମା ଦେଇଛନ୍ତି। ଗତକାଲି ରାତିରେ ଭାପୁର ପଞ୍ଚାୟତ ନାଥସାହିରେ ଘଟିଥିବା ଏହି ଘଟଣାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ନିଆଳି ଥାନା ସୁଜାନଗର ପାଟଣା(ପଇଡ଼ପାଟଣା)ର କୁଖ୍ୟାତ ଚୋର ଛୋଟା ମଲ୍ଲିକ ଜଣେ ବ୍ୟକ୍ତିଙ୍କ ଘରୁ ମୋଟର ଚୋରି କରୁଥିଲା। ଏତିକିବେଳେ ଘର ମାଲିକଙ୍କ ପୁଅ ଛୋଟାକୁ ପଛପଟୁ ମାଡ଼ିବସିଥିଲେ। ଫଳରେ ଦୁଇଜଣଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଏବଂ ଛୋଟା ଯୁବକଙ୍କ ଯୌନାଙ୍ଗକୁ କାମୁଡ଼ି ଦେଇଥିଲା। ଯୁବକଜଣଙ୍କ ଚିତ୍କାର କରିଥିଲେ ବି ଛୋଟାକୁ ଛାଡ଼ିନଥିଲେ। ପାଟିଶୁଣି ପଡ଼ୋଶୀମାନେ ଉଠିଆସିଥିଲେ ଏବଂ ଛୋଟାକୁ ଧରି ବହେ ଛେଚିଥିଲେ। ତୁରନ୍ତ ଯୁବକଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ଛୋଟାକୁ ପୁଲିସ ଜିମା ଦିଆଯାଇଥିଲା। ପୁଲିସ ସୂଚନାନୁସାରେ ଛୋଟା ଜଣେ ପେସାଦାର ଚୋର।
Follow Us