ଜାମ୍‌ ହେଲେ ଟ୍ରାଫିକ ପୁଲିସ ହାତଟେକି ବସି ଯାଉଛନ୍ତି: ବେଆଇନ ପାର୍କିଂ ଓ ନିର୍ମାଣ ପାଇଁ ଲୋକ ହନ୍ତସନ୍ତ

Advertisment

ଆଜି ବି ରସୁଲଗଡ଼ଛକରେ ଜାମ୍‌

ଆଜି ବି ରସୁଲଗଡ଼ଛକରେ ଜାମ୍‌

ଜାମ୍‌ ହେଲେ ଟ୍ରାଫିକ ପୁଲିସ ହାତଟେକି ବସି ଯାଉଛନ୍ତି: ବେଆଇନ ପାର୍କିଂ ଓ ନିର୍ମାଣ ପାଇଁ ଲୋକ ହନ୍ତସନ୍ତ

ଭୁବନେଶ୍ବର: ଯେତେ ଆଲୋଚନା ସମାଲୋଚନା କଲେ ମଧ୍ୟ ସୁଧୁରୁନି ରାଜଧାନୀର ଟ୍ରାଫିକ ସମସ୍ୟା। ଆଜି ସନ୍ଧ୍ୟାରେ ରସୁଲଗଡ଼ ଛକରେ ପୁଣି ଟ୍ର‌ାଫିକ ଜାମ୍‌ ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଜାମ୍‌ ଲାଗିରହି ଲୋକଙ୍କୁ ନାକେଦମ୍‌ କରି ପକାଇଥିଲା। ରସୁଲଗଡ଼ ଛକରୁ କଟକ ରୋଡ୍‌ ବମିଖାଲ ଓଭରବ୍ରିଜ ଉପରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ଆଜି ପ୍ରବଳ ବର୍ଷା ହେଉ ନଥିଲା କି କେଉଁଠି ପାଣି ଜମି ନଥିଲା। ପୂର୍ବରୁ ଜାତୀୟ ରାଜପଥ‌ରେ ଜାମ୍‌ ପାଇଁ ଯେଉଁ ଅଭିଯୋଗ ହେଉଥିଲା, ଆଜି ସେ କାରଣ ବି ନଥିଲା। ତେବେ ଟ୍ରାଫିକ ଜାମ୍‌ କାହିଁକି ହେଲା ଓ କେଉଁଠୁ ଆରମ୍ଭ ହୋଇଥିଲା କେହି ଜାଣି ପାରିଲେ ନାହିଁ। ଦୀର୍ଘ ସମୟ ଧରି ଜାମ୍‌ ଜାରି ରହିବାପରେ ଏଥିରେ ଅଭ୍ୟସ୍ତ ହୋଇ ଯାଇଥିବା ଟ୍ରାଫିକ ପୁଲିସ ମଧ୍ୟ ହାତଟେକି ବସି ଯାଇଥିଲା। ତେବେ କିଛି ସାଧାରଣ ଲୋକ ଜାମ୍‌ର ମୂଳ କେଉଁଠି ଯାଇ ଖୋଜିଲାବେଳକୁ ମଞ୍ଚେଶ୍ବର ଥାନାଛକ ଓ ଉର୍ମି ହୋଟେଲ ସମ୍ମୁଖରେ ଏକ ଟ୍ରକ ଫସିଥିବାରୁ ଏଭଳି ପରିସ୍ଥିତି ଉପୁଜି ଥିବାର ଜଣାପଡ଼ିଥିଲା। ଖବର ପାଇ ପୁଲିସ ଓ କିଛି ସାଧାରଣ ଲୋକଙ୍କ ସହାୟତାରେ ଗାଡ଼ି ହଟାଯିବା ପରେ ଜାମ୍‌ ହୁଗୁଳିଥିଲା।

ସନ୍ଧ୍ୟାରେ ଝିପିଝିପି ବର୍ଷା ହେବାରୁ ବହୁଲୋକ ରସୁଲଗଡ଼ ଓଭରବ୍ରିଜ ତଳେ ଅଟକି ରହିଥିଲେ। ଏହାର ସୁଯୋଗ ନେଇ ବହୁ ଗା‌ଡ଼ି ବେଆଇନ ଭାବେ ରଙ୍ଗ୍‌ରୁଟ୍‌ରେ ରସୁଲଗଡ଼ ପାଲାମଣ୍ଡପ ଆଡ଼କୁ ଯାଇଥିଲେ। ଏହାସହ ସର୍ଭିସ୍‌ ରୋଡ୍‌ରୁ ମଧ୍ୟ ବହୁ ଗାଡ଼ି ଆସିଯିବାରୁ ମଞ୍ଚେଶ୍ବର ଥାନା ଆଡ଼ୁ ଆସୁଥିବା ଏକ ଟ୍ରକ ଓଭର୍‌ବ୍ରିଜ ତଳେ ଫସି ଯାଇଥିଲା। ସମ୍ମୁଖରେ ସର୍ଭିସ ରୋଡ୍‌ଆଡ଼ୁ ଆସୁଥିବା ଗାଡ଼ି ସହିତ ଓଭରବ୍ରିଜ ତଳେ ଥିବା ଗାଡ଼ି ଓ ରଙ୍ଗ୍‌ରୁଟରେ ବେଆଇନ ଭାବେ ପାଲାମଣ୍ଡପ ଆଡ଼ୁ ଆସୁଥିବା ଗାଡ଼ି ଏକାବେଳକେ ଅଟକି ରହିଥିଲେ। ସେଠ‌ାରେ ଏକ ଗୋଳମାଳିଆ ଜାମ୍‌ ପରିସ୍ଥିତ ସୃଷ୍ଟି ହୋଇଥିଲା। ଏହାଫଳରେ ରସୁଲଗଡ଼ ଛକକୁ ସଂଯୋଗ କରୁଥିବା ସବୁରାସ୍ତାରେ ଗାଡ଼ି ଅଟକି ଯାଇଥିଲା। ତାହା ପରେ ଏକ ଜାମ୍‌ର ରୂପ ନେଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ପ୍ରାୟ ୩୦ ମିନିଟ ଧରି ଚକ ଗଡ଼ି ପାରିନଥିଲା। କଟକ ରୋଡ, ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ପଳାସୁଣି ସର୍ଭିସ ରୋଡ ଆଦିରେ ଶହ ଶହ ଗାଡ଼ି ଅଟକି ରହିଲା।

ଏହାକୁ ନେଇ ଜଣେ ସ୍ଥାନୀୟ ବ୍ୟବସାୟୀ କହିଛନ୍ତି, ସନ୍ଧ୍ୟା ସମୟରେ ଏଭଳି ପରିସ୍ଥିତି ସବୁଦିନ ସୃଷ୍ଟି ହେଉଛି। ଟ୍ରାଫିକ ପୁଲିସ କେ‌ବଳ ରସୁଲଗଡ଼ ଛକରେ ରହୁଛନ୍ତି। ମଞ୍ଚେଶ୍ବର ଥାନା ଛକ ସହ ଓଭରବ୍ରିଜ ତଳେ ଲୋକମ‌ାନେ ମନଇଚ୍ଛା ରଙ୍ଗ୍‌ରୁଟ‌୍‌ରେ ଗାଡ଼ି ପୂରାଇ ପାଲାମଣ୍ଡପ ଆଡ଼କୁ ଯାଉଥିବା ବେଳେ କେହି ତାଙ୍କୁ ଅଟକାଇବାକୁ ନାହାନ୍ତି। ବାରମ୍ବାର ଥାନାଛକ ସହ ରସୁଲଗଡ଼ ଓଭରବ୍ରିଜ ତଳେ ଓ ବମିଖାଲ ଫ୍ଳାଏଓଭର୍‌ ମୂଳରେ ଟ୍ରାଫିକ ପୁଲିସ ମୁତୟନ କରିବାକୁ ଦାବି କରାଯାଉଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ବରଂ ଟ୍ରାଫିକ ଜାମ୍‌ ହେଲେ ତା’କୁ ଭଗବାନଙ୍କ ଭରସାରେ ଛାଡ଼ିଦେଇ ଟ୍ରାଫିକ ପୁଲିସ ପୋଷ୍ଟ୍‌ ଛାଡ଼ି ପଳାଉଛନ୍ତି। ଟ୍ରାଫିକ ପୁଲିସ ଯଦି କେବଳ ଫାଇନ୍‌ କାଟିବାରେ ବ୍ୟସ୍ତ ନ ରହି ଏଦିଗରେ ସାମାନ୍ୟ ଉଦ୍ୟମ କରନ୍ତା, ତେବେ ଜାମ୍‌ ସମସ୍ୟା ଅନେକାଂଶରେ ସମାଧାନ ହୋଇ ପାରନ୍ତା। ସେପଟେ ରସୁଲଗଡ଼ରେ ଦିନରାତି ମାଳମାଳ ଟ୍ରକ୍‌ ଛିଡ଼ା ହୋଇ ରହିବା ସହିତ କଳ୍ପନାଛକ ଆଡ଼କୁ ଯାଇଥିବା ରାସ୍ତାରେ ଅନେକ ଗାଡ଼ି ପାର୍କ ହେଉଛି। ଅନେକ ଦୋକାନର ଆଗପାଖ ରାସ୍ତା ଉପରକୁ ମାଡ଼ି ଆସିଛି, ପାହାଚ ରାସ୍ତା ଉପର ପର୍ଯ୍ୟନ୍ତ ବଢ଼ିଆସି ରାସ୍ତାକୁ ସଂକୀର୍ଣ୍ଣ କରି‌ଦେଇଛି। ଏହା ସମସ୍ତେ ଦେଖୁଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ହେଉନି। ସ୍ଥିତି ଦିନକୁ ଦିନ ଅଧିକରୁ ଅଧିକ ବିଗିଡ଼ି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe