ସ୍ମାର୍ଟସିଟିରେ ହାତହଲାରେ ଚାଲିଛି ଟ୍ରାଫିକ୍‌ ବ୍ୟବସ୍ଥା

Advertisment
ସ୍ମାର୍ଟସିଟିରେ ହାତହଲାରେ ଚାଲିଛି ଟ୍ରାଫିକ୍‌ ବ୍ୟବସ୍ଥା

ଭୁବନେଶ୍ବର: ରସୁଲଗଡ଼ ଏକ ବ୍ୟସ୍ତବହୁଳ ଛକ। ଦୁଇପଟେ ଦୁଇଟି ଶିଳ୍ପାଞ୍ଚଳ ମଞ୍ଚେଶ୍ବର ଓ ରସୁଲଗଡ଼। ପୁଣି ନିକଟରେ ବିଶାଳ ଏସ୍‌ପ୍ଲାନେଡ୍‌ ମଲ୍‌ ରହିଛି। ସକାଳୁ ରାତି ଯାଏ ଗାଡ଼ିମୋଟର ଭିଡ଼। କିନ୍ତୁ ଏଠାରେ ଟ୍ରାଫିକ୍‌ ସିଗ୍‌ନାଲ ଲାଇଟ୍‌ ଥିଲେ ବି କାମ କରୁନି। ଫଳ‌ରେ ଟ୍ରାଫିକ୍‌ ପୁଲିସ୍‌ ହାତ ହଲାଇ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି। ସିଗ୍‌ନାଲ୍‌ ଲାଇଟ୍‌ କାମ କରୁନଥିବାରୁ ଗାଡ଼ିଚାଳକମାନେ ହଡ଼ବଡେଇ ଯିବା ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏଠାରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ହୋଇପଡ଼ିଛି।

ରାଜମହଲ ଛକ। ଏହି ବାଟଦେଇ ମାର୍କେଟ ବିଲ୍‌ଡ଼ିଂ, ୟୁନିଟ୍‌-୧ ହାଟ, ବାପୁଜୀନଗର, ମାଷ୍ଟରକ୍ୟାଣ୍ଟିନ୍‌, କଳ୍ପନାଛକ ଆଦି ସ୍ଥାନକୁ ଯିବାକୁ ହୁଏ। ଏହି ଛକରେ ପ୍ରତିଦିନ ଭିଡ଼ ହେଉଥିଲେ ମଧ୍ୟ ଟ୍ରାଫିକ୍‌ ବ୍ୟବସ୍ଥା ଅତି ଦୟନୀୟ। ଟ୍ରାଫିକ୍‌ ସିଗନାଲ୍‌ ଲାଇଟ୍‌ଗୁଡ଼ିକ କାମ କରୁନଥିବାରୁ ଦାୟିତ୍ବରେ ଥିବା ଟ୍ରାଫିକ୍‌ ପୁଲିସଙ୍କୁ ସବୁଦିନ ନାକେଦମ୍‌ ହେବାକୁ ପଡୁଛି। ବିଶେଷକରି ସନ୍ଧ୍ୟା ହୋଇଗଲେ ଟ୍ରାଫିକ୍‌ ପୁଲିସଙ୍କୁ ଦେଖିବା କଷ୍ଟକର ହୋଇପଡ଼େ। ତେଣୁ ସ୍ଥାନଟିରେ ଟ୍ରାଫିକ ଅଡୁଆତଡୁଆ ହୋଇପଡ଼େ ଓ ଅନେକ ସମୟରେ ଗାଡ଼ିଗୁଡ଼ିକ ମୁହାଁମୁହିଁ ହୋଇ ଦୁର୍ଘଟଣାର ଶିକାର ହୁଅନ୍ତି। ସମାନ ସ୍ଥିତି ରବିଟକିଜ୍‌ ଛକରେ। ଏଠାରେ ସିଗ୍‌ନାଲ ବ୍ୟବସ୍ଥା ଅଛି କିନ୍ତୁ କାମ କରୁଥିବା କେହି କେବେ ଦେଖି ନାହାନ୍ତି। ତେଣୁ ସେଠାରେ ମଧ୍ୟ ପ୍ରତିଦିନ ସମାନ ସ୍ଥିତି ଉପୁଜେ।

ଏହା କେବଳ ୩ଟି ଛକରେ ନୁହେଁ, ସହରର ବହୁ ଛକରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ରାଜଧାନୀରେ ରାସ୍ତାଘାଟ ଚକାଚକ୍‌ ହେବା ସହିତ ସବୁଠି ସୌନ୍ଦର୍ଯ୍ୟକରଣ କରାଯାଇଛି। କିନ୍ତୁ ଆଜିଯାଏ ସ୍ମାର୍ଟ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆସିପାରିଲା ନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଟ୍ରାଫିକ୍‌ ଭିତ୍ତିଭୂମି ବଦଳାଇଲେ ମଧ୍ୟ ସବୁ ଅର୍ଥ ପାଣିରେ ପଡ଼ିଲା ଭଳି ମନେ ହେଉଛି ବୋଲି ସଚେତନ ନାଗରିକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ୭୧ଟି ଟ୍ରାଫିକ୍‌ ପୋଷ୍ଟ ଅଛି। କିଛି ଅଣ୍ଡର୍‌ପାସ୍‌ରେ ହିଁ ସିଗ୍‌ନାଲ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଉନଥିବା ନେଇ ଟ୍ରାଫିକ୍‌ ଡିସିପି ପିକେ ରାଉତ ସ୍ବୀକାର କରନ୍ତି। ସେ କହିଛନ୍ତି, ଅଣ୍ଡର୍‌ପାସ୍‌ରେ ଦିନ ୯ଟାରୁ ୧୧ଟା ଓ ସନ୍ଧ୍ୟା ୫ଟା ପାଖାପାଖି ସମୟରେ ବହୁତ ଭିଡ଼ ହେଉଥିବାରୁ ହାତରେ ଟ୍ରାଫିକ୍‌ ପରିଚାଳନା କରିବାକୁ ପଡ଼େ। ସହରର ଆଉ ୨୧ଟି ଛକରେ ଟ୍ରାଫିକ୍‌ ସିଗ୍‌ନାଲ ବ୍ୟବସ୍ଥା କରିବାକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe