କାର୍‌କୁ ପିଟି କୁଆଖାଇ ପୋଲ ତଳକୁ ଖସିଲା ଟ୍ରକ୍‌: ଟେଲି ଅଭିନେତ୍ରୀ ମୃତ, ୫ ଗୁରୁତର

Advertisment
କାର୍‌କୁ ପିଟି କୁଆଖାଇ ପୋଲ ତଳକୁ ଖସିଲା ଟ୍ରକ୍‌: ଟେଲି ଅଭିନେତ୍ରୀ ମୃତ, ୫ ଗୁରୁତର

ଫୁଲନଖରା/ତ୍ରିଶୁଳିଆ: ବାଲିକୁଦା-ତ୍ରିଶୂଳିଆ ରାସ୍ତାର କୁଆଖାଇ ପୋଲ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ରକ୍‌-କାର୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କାର୍‌ରେ ବସିଥିବା ଜଣେ ଟିଭି ଧାରାବାହିକ ଅଭିନେତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଢ଼େଙ୍କାନାଳ କାମାକ୍ଷାନଗର ଥାନା ଅନ୍ତର୍ଗତ ତିନେଇଲୋ ଗ୍ରାମର ସୁଶାନ୍ତି ମଲ୍ଲିକ(୩୮)। ଦୁର୍ଘଟଣା ପରେ ଟ୍ରକ୍‌ଟି ପୋଲର ବାଡ଼ା ଭାଙ୍ଗି ନଦୀକୁ ଖସିପଡ଼ିଥିଲେ ବି ସୌଭାଗ୍ୟବଶତଃ ପାଣି ନଥିବା ସ୍ଥାନରେ ପଡ଼ିଥିଲା। ଟ୍ରକ୍‌ର ଡ୍ରାଇଭର୍‌ ଓ ହେଲପର୍‌ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଧାରାବାହିକ ‘ଭାଗ୍ୟରେଖା’ରେ ଅଭିନୟ କରୁଥିବା ୩ଜଣ ଅଭିନେତ୍ରୀ ଗତକାଲି ବିଳମ୍ବିତ ରାତିରେ ଉତ୍ତମାପୁରସ୍ଥିତ ଏକ ଷ୍ଟୁଡ଼ିଓରେ ସୁଟିଂ ସାରି ମାରୁତି ସୁଜୁକି କାର୍‌ରେ ତ୍ରିଶୂଳିଆ ଆଡକୁ ଯାଉଥିଲେ। ରାତି ପ୍ରାୟ ୨ଟା ବେଳେ କୁଆଖାଇ ପୋଲ ଉପରେ ଯାଉଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ସିମେଣ୍ଟ ବୋଝେଇ ଆଇଚର ଟ୍ରକ୍‌ ସହ କାର୍‌ର ମୁହାଁମୁହିଁ ଧକ୍କା ଲାଗିଥିଲା। ଟ୍ରକ୍‌ଟି କାର୍‌କୁ ଧକ୍କା ଦେବାପରେ ପୋଲର ବାଡ଼ା ଭାଙ୍ଗି ନଦୀଗର୍ଭକୁ ଖସିପଡ଼ିଥିଲା। ଟ୍ରକ୍‌ ଧକ୍କାରେ କାର୍‌ର ଡ଼ାହାଣପଟ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏଥିରେ ବସିଥିବା ଅଭିନେତ୍ରୀ ସୁଶାନ୍ତି ମଲ୍ଲିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅଭିନେତ୍ରୀ ଅନସୂୟା ସାହୁ, ପ୍ରଭାତୀ ପ୍ରସାଦ ଓ କାର୍‌ ଡ୍ରାଇଭର୍‌ ଗନୁ ଭୋଇ ଗୁରୁତର ଆହତ ହୋଇଥିଲେ। ଖବର ପାଇ କଟକ ସଦର ଥାନା ପୁଲିସ ଓ ନରଣପୁର ଅଗ୍ନିଶମ କେନ୍ଦ୍ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରେ ଚାପି ହୋଇ ରହିଥିବା ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ। ସମସ୍ତ ୪ଜଣଙ୍କୁ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ସେଠାରେ ସୁଶାନ୍ତିଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ‌ଦୁର୍ଘଟଣାଗ୍ରସ୍ଥ ଟ୍ରକ୍‌ର ଡ୍ରାଇଭର୍‌ ଓ ହେଲପର୍‌ ଆହତ ହୋଇଥିବାରୁ ସେମାନଙ୍କୁ ମଧ୍ୟ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ଥ ଗାଡ଼ିଦୁଇଟିକୁ ସଦର ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe