ଟ୍ରକ୍‌ ମାଲିକ ସଂଘର ଧର୍ମଘଟ ପ୍ରତ୍ୟାହୃତ, କଣ୍ଟ ରହିଲା ୧୦ ଦିନକୁ

Advertisment
ଶାସଙ୍ଗ ଛକରୁ ଟ୍ରକ୍‌ ଚୋରି

Vecteezy

ବାରଙ୍ଗ: ୯ ଦିନର ଟ୍ରକ୍‌ ଧର୍ମଘଟ ଆଜି ପ୍ରତ୍ୟାହୃତ ହୋଇଛି। ରାଜସ୍ବ ବିଭାଗ ସହ ଆଲୋଚନା କରିବା ପରେ ଟ୍ରକ୍ ମାଲିକ ସଂଘ ସର୍ତ୍ତମୂଳକଭାବେ ଧର୍ମଘଟକୁ ସ୍ଥଗିତ ରଖିଛି। ୧୦ ଦିନ ପାଇଁ କଣ୍ଟ ଦେଇ ମାଲିକ ସଂଘ ଧର୍ମଘଟରୁ ଓହରି ଯାଇଛି। ଯଦି ୧୦ ଦିନ ଭିତରେ ରାଜସ୍ବ ବିଭାଗ ଟ୍ରକ୍ ମାଲିକ ସଂଘର ଦାବିଗୁଡ଼ିକ ବିଚାର ନ କରନ୍ତି, ପୁଣି ଧର୍ମଘଟ ଆରମ୍ଭ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ ୨୩ ତାରିଖରୁ ରାଜଧାନୀ ଉପକଣ୍ଠ ଟ୍ରକ ମାଲିକ ସଂଘ ଏହି ଧର୍ମଘଟ ଚଳାଇଥିଲା। ବାଲି, ମୋରମ୍‌ ଓ ଚିପ୍‌ସ ପରିବହନ କରୁଥିବା ଟ୍ରକ୍‌ ଓ ହାଇୱା ମାନଙ୍କ ଉପରେ ରାଜସ୍ବ ବିଭାଗ ଓ ପୁଲିସ ଅଯଥା ଜରିମାନା କରୁଥିବାରୁ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। ବେଆଇନ ଖଣି ଓ ବାଲିଘାଟ ଉପରେ ନିୟନ୍ତ୍ରଣ କରିପାରୁନଥିବା ପ୍ରଶାସନ କେବଳ ଟ୍ରକ୍‌ ଓ ହାଇୱା ଉପରେ ମନଇଚ୍ଛା ୨୫ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବସାଉଥିଲା।

ସେହିଭଳି ବନ୍ଦ ପଡ଼ିଥିବା ଲଘୁଜାତ ପଦାର୍ଥ ଖଣି ଚାଲୁ କରାଯାଉନଥିବାରୁ ଚୋରା ଖଣି ଚାଲିବାକୁ ବାଟ ମିଳି ଯାଉଥିଲା। ଅଥଚ ପୁଲିସ ଓ ରାଜସ୍ବ ବିଭାଗ ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍ ନ୍ୟାୟରେ କେବଳ ଟ୍ରକ୍‌ ଓ ହାଇୱା ଉପରେ ବଳ ଖଟାଉଥିଲା। ତେଣୁ ଗତ ୨୩ ତାରିଖରୁ ଟ୍ରକ୍‌ ମାଲିକ ଧର୍ମଘଟ କରି ବାଲି ମୋରମ୍‌ ଓ ଚିପ୍‌ସ ପରିବହନ ବନ୍ଦ କରି ଦେଇଥିଲା। ଫଳରେ ଏହି ୯ ଦିନ ଭିତରେ ସରକାରୀ ଓ ବେସରକାରୀଭାବେ ବହୁ ନିର୍ମାଣାଧୀନ କାମ ପ୍ରଭାବିତ ହୋଇଥିଲା। ଏମିତିକି ବାଲି, ମୋରମ୍‌ ଓ ଚିପ୍ସ ଦର ଅହେତୁକଭାବେ ବଢ଼ି ଯାଇଥିଲା। ତେଣୁ ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ଗତକାଲି ଟ୍ରକ ମାଲିକ ସଂଘର ପ୍ରତିନିଧି ଦଳକୁ ନେଇ ଏକ ବୈଠକ କରିଥିଲେ। ବୈଠକରେ ରାଜସ୍ବ ବିଭାଗର ପ୍ରମୁଖ ସଚିବ ଟ୍ରକ୍‌ ମାଲିକମାନଙ୍କ ଦାବି ଗୁଡ଼ିକ ଶୁଣି ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏମିତିକି ମାଲିକ ସଂଘର ୧୦ ଦିନିଆ ସର୍ତ୍ତକୁ ସେ ଗ୍ରହଣ କରିଛନ୍ତି। ତେଣୁ ସଚିବଙ୍କ କଥା ରକ୍ଷା କରିବା ସହ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ମାଲିକ ସଂଘ ଧର୍ମଘଟକୁ ୧୦ ଦିନ ପାଇଁ ପ୍ରତ୍ୟାହାର କରି ନେଇଛନ୍ତି। ଗୁରୁବାରରୁ ଲଘୁ ଖଣିଜ ଦ୍ରବ୍ୟ ଯଥା-ବାଲି, ଗୋଡ଼ି, ମୋରମ ଓ ମେଟାଲ ପରିବହନ କରାଯିବ ବୋଲି ଟ୍ରକ୍‌ ମାଲିକମାନେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାରଙ୍ଗ ଟ୍ରକ୍‌ ମାଲିକ ସଂଘର ସଭାପତି ବିଜୟ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସାହୁ ଓ ଖୋର୍ଧା ଟ୍ରକ୍‌ ମାଲିକ ସଂଘର ସଭାପତି ପ୍ରଣବ କୁମାର ପରିଡ଼ା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe