ତରବରିଆ ଭାବେ ଡକାଯାଇଥିଲା ବୈଠକ, ଦୁଇ କର୍ପୋରେଟର୍‌ ମୁହାଁମୁହିଁ; ମେୟର ଅସହାୟ, ବଢ଼ୁଛି ବିବାଦ

Advertisment

ଆଜି ବିଏମ୍‌ସି ବୈଠକରେ ଉଗ୍ର ରୂପ ନେଇପାରେ ପ୍ରସଙ୍ଗ

ଆଜି ବିଏମ୍‌ସି ବୈଠକରେ ଉଗ୍ର ରୂପ ନେଇପାରେ ପ୍ରସଙ୍ଗ

ତରବରିଆ ଭାବେ ଡକାଯାଇଥିଲା ବୈଠକ, ଦୁଇ କର୍ପୋରେଟର୍‌ ମୁହାଁମୁହିଁ; ମେୟର ଅସହାୟ, ବଢ଼ୁଛି ବିବାଦ

ଭୁବନେଶ୍ବର : ବିଏମ୍‌ସିରେ ବିଶୃଙ୍ଖଳା ବଢ଼ୁଛି। ନିୟମିତ ବିଶୃଙ୍ଖଳା ବିଭିନ୍ନ ସମୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଛି। ଗତ ପରିଷଦ ବୈଠକରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆସନ୍ତାକାଲି ପରିଷଦର ମାସିକ ବୈଠକ ବସିବାକୁ ଯାଉଛି। ତା’ ପୂର୍ବରୁ ଆଜି ଏକ ବୈଠକ ବସିଥିଲା। ଏଥିରେ ସମସ୍ତ କର୍ପୋରେଟରଙ୍କ ସମେତ ମେୟର, କମିସନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିରେ ବିଶେଷକରି ମାର୍କେଟ୍‌ ଓ ବିଜ୍ଞାପନ ସମ୍ବନ୍ଧୀୟ ଆଲୋଚନା ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ଏଥିରେ ଦୁଇ କର୍ପୋରେଟର ମୁହାଁମୁହିଁ ହୋଇଥିଲେ। କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। କେତେକ ବରିଷ୍ଠ ଅଧିକାରୀ ନିଜ ଜାଗାରୁ ଉଠି ଯାଇ ଉଭୟଙ୍କୁ ସମ୍ଭାଳିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିଲା। ମେୟର ଓ କମିସନରଙ୍କ ସମେତ ବହୁ ମହିଳା କର୍ପୋରେଟରଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିଲା। ଯଦିଓ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା, ତଥାପି ଆସନ୍ତାକାଲି ବୈଠକରେ ଏହି ପ୍ରସଙ୍ଗ ଉଗ୍ରରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆସନ୍ତାକାଲି ଥିବା ପରିଷଦ ବୈଠକ ଅବ୍ୟବହିତ ପୂର୍ବରୁ ଆଜିର ଏ ବୈଠକ ତରବରିଆ ଭାବେ ଡକାଯିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ମାର୍କେଟ୍‌ ଓ ବିଜ୍ଞାପନ ପାଇଁ ବୈଠକ ହେବ ବୋଲି କର୍ପୋରେଟର୍‌ଙ୍କୁ କୁହାଯାଇଥିଲା। ଆସନ୍ତାକାଲି ହେବାକୁ ଥିବା ପରିଷଦ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବାରେ କିଛି ଅସୁବିଧା ନ ଥିଲା। କିନ୍ତୁ ଆଜି ହଠାତ୍‌ କାହିଁକି ବୈଠକ ଡକାଗଲା, ତାହାର ଉତ୍ତର କାହା ପାଖରେ ନାହିଁ। ଖୋଦ୍ କର୍ପୋରେଟର୍‌ମାନେ ମଧ୍ୟ ଏପରି ବୈଠକକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏପରିକି କିଛି କର୍ପୋରେଟର୍‌ ଏଥିରେ ଯୋଗ ଦେଇପାରି ନଥିଲେ।
ପୂର୍ବାହ୍ନ ୧୧ଟା ବେଳେ ଏହି ବୈଠକ ବିଏମ୍‌ସି ସମ୍ମିଳନୀ କକ୍ଷରେ ବସିଥିଲା। ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ମାର୍କେଟ୍‌ ଓ ବିଜ୍ଞାପନ ଉପବିଭାଗର କାର୍ଯ୍ୟକୁ ନେଇ ଆଲୋଚନା ହେଉଥିଲା। ମାର୍କେଟ୍‌ରେ ବିଭିନ୍ନ କେଳେଙ୍କାରୀ ସାମ୍ନାକୁ ଆସୁଥିବାରୁ ମାର୍କେଟ୍‌ ଦାୟିତ୍ବରେ ଥିବା ଡେପୁଟି କମିସନରଙ୍କୁ କେତେକ କର୍ପୋରେଟର ଘେରିଥିଲେ। ସେମାନଙ୍କର ଅଭିଯୋଗ ହେଲା ମାର୍କେଟ୍‌ ଉପବିଭାଗରେ ଦୀର୍ଘ ଦିନ ହେବ ଦାୟିତ୍ବରେ ରହିଥିବା ଡେପୁଟି କମିସନର ବିଭିନ୍ନ ଅନିୟମିତତାକୁ ପ୍ରୋତ୍ସାହନ ଦେଇଛନ୍ତି। ତାଙ୍କ ଉପରେ ଆଉ ଜଣେ ଅନଭିଜ୍ଞ ଅଧିକାରୀ ରହିଥିବାରୁ ଏହି ଅନିୟମିତତାରେ ସୁଧାର ଆସୁନାହିଁ। ଏହା ସହିତ କେତେକ ମାର୍କେଟ୍‌ରେ ହୋଇଥିବା କେଳେଙ୍କାରୀ ଅଭିଯୋଗକୁ ଉପସ୍ଥାପନ କରିଥିଲେ।

୬୫ ନମ୍ବର ୱାର୍ଡର କର୍ପୋରେଟର ରଶ୍ମୀରଞ୍ଜନ ପାଟ୍ଟଶାଣୀ କହିଥିଲେ, ଯେଉଁ ପୁରୁଣା କର୍ପୋରେଟର ବା ଏକାଧିକ ବାର କର୍ପୋରେଟର ଭା‌ବେ ବିଜୟ ଲାଭ କରିଛନ୍ତି ସେମାନେ କ’ଣ କରୁଥିଲେ? ସେମାନେ ଏହି ଅଧିକାରୀମାନଙ୍କୁ କାହିଁକି ଜଗି ପାରୁନଥିଲେ? ଏହି ପ୍ରସଙ୍ଗରୁ ହିଁ କର୍ପୋରେଟର୍‌ ତଥା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନାଙ୍କୁ ରଶ୍ମୀରଞ୍ଜନ ବିରୋଧ କରିଥିଲେ। ରଶ୍ମୀରଞ୍ଜନ ବ୍ୟକ୍ତିଗତ ସ୍ତରକୁ ଚାଲି ଆସିଥିଲେ। ବିଜେଡି ନେତା ଓ କର୍ପୋରେଟରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ସହ ପ୍ରବଳ ହୋ ହଲ୍ଲା କରିଥିଲେ। ସମଗ୍ର ହଲ୍‌ କମ୍ପିଥିଲା। ଅଧିକାରୀମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ କେବଳ ଆଜି ନୁହେଁ, ଗତ ବୈଠକରେ ମଧ୍ୟ ଶ୍ରୀ ପାଟ୍ଟଶାଣୀଙ୍କର ମନ୍ତବ୍ୟକୁ ନେଇ ଜଣେ ମହିଳା କର୍ପୋରେଟର ଉଦ୍‌ବେଗ ପ୍ରକାଶ କରିଥିଲେ। କ୍ରମାଗତ ଭାବରେ ବିଏମ୍‌ସିରେ ଏଭଳି ବିବାଦ କର୍ତ୍ତୃପକ୍ଷଙ୍କର ଚିନ୍ତା ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe