new indian express
ଭୁବନେଶ୍ବର: ହୋଟେଲ୍ ମାଲିକାନାକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ମଞ୍ଚେଶ୍ବର ଥାନା ପୁଲିସ ଉଭୟ ପକ୍ଷର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଅଞ୍ଚଳର କବିତା ସାମନ୍ତରାୟ, ତାଙ୍କ ସ୍ବାମୀ ଶ୍ରୀକ୍ତାନ୍ତ ସାମନ୍ତରାୟ ଏବଂ ସସ୍ମିତା ସାମନ୍ତରାୟ ଓ ତାଙ୍କ ଭାଇ ଧନଞ୍ଜୟ ମହାପାତ୍ର।
ପୁଲିସ ସୂଚନା ମୁତାବକ, ବିଭିନ୍ନ ସମୟରେ ଶିଳ୍ପାଞ୍ଚଳରେ ଥିବା ହୋଟେଲ୍ ‘ସୁଶାନ୍ତ’କୁ ନେଇ ଦୁଇ ପରିବାର ମୁହାଁମୁହିଁ ହୋଇଛନ୍ତି। ଏମିତିକି ପାଞ୍ଚପାଞ୍ଚ ଥର ଜେଲ୍ ମଧ୍ୟ ଯାଇଛନ୍ତି। ଗତ ୨୦୧୭ ମସିହାରେ ଶ୍ବଶୁରଙ୍କ ମୃତ୍ୟୁ ପରେ ଶିଳ୍ପାଞ୍ଚଳରେ ଥିବା ହୋଟେଲ୍କୁ ବଡ଼ପୁଅ ସୁଶାନ୍ତଙ୍କ ନାମରେ କରାଯାଇଥିଲା। ଦୁଇଭାଇ ସୁଶାନ୍ତ ଓ ଶ୍ରୀକାନ୍ତ ମିଶି ହୋଟେଲ୍କୁ ଚଳାଇଥିଲେ। ତେବେ ୨୦୨୦ ଅଗଷ୍ଟରେ ସୁଶାନ୍ତ ମୃତ୍ୟୁ ପରେ ବିବାଦ ବଢ଼ିଥିଲା। ସୁଶାନ୍ତଙ୍କ ପତ୍ନୀ ସସ୍ମିତା ହୋଟେଲ୍ରେ ଅନ୍ୟ କାହାରିକୁ ଭାଗ ଦେବାକୁ ଚାହୁଁ ନଥିଲେ। ଯେହେତୁ ହୋଟେଲ୍ ସ୍ବାମୀଙ୍କ ନାମରେ ରହିଛି ତେଣୁ ସେ ଶ୍ରୀକାନ୍ତଙ୍କୁ ବିରୋଧ କରୁଥିଲେ। ହେଲେ ଏଥିରେ ଚୁପ୍ ବସି ନ ଥିଲେ ଶ୍ରୀକାନ୍ତଙ୍କ ପତ୍ନୀ କବିତା। ମଙ୍ଗଳବାର ଅପରାହ୍ଣ ସମୟରେ କବିତା ହୋଟେଲ୍କୁ ଯାଇ ତାଲା ପକାଇ ଦେଇଥିଲେ। ଯାହାକୁ ନେଇ ଦୁଇ ଯାଆ, ଶ୍ରୀକାନ୍ତ ଓ ଧନଞ୍ଜୟଙ୍କ ମଧ୍ୟରେ ବଚସାରୁ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ଏ ନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟ ପକ୍ଷର ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Follow Us