କଟକଣାରେ ଯୀଶୁଙ୍କ ଦର୍ଶନ

କଟକଣାରେ ଯୀଶୁଙ୍କ ଦର୍ଶନ

ଭୁବନେଶ୍ବର: ପ୍ରତିବର୍ଷ ଭଳି ଏଥର ବଡ଼ଦିନରେ ଅଧିକ ଗହଳଚହଳ ନଥିଲା ସତ୍ୟନଗରସ୍ଥିତ ଭିନ୍‌ସେଣ୍ଟ କ୍ୟାଥ୍‌ଲିକ୍‌ ଚର୍ଚ୍ଚ ପରିସରରେ। କରୋନା କଟକଣା ଶ୍ରଦ୍ଧାଳୁଙ୍କ ଭିଡ଼ରେ ଅଙ୍କୁଶ ଲଗାଇଥିଲା। କିନ୍ତୁ ଧାର୍ଯ୍ୟ କଟକଣାକୁ ମାନି ଶ୍ରଦ୍ଧାଳୁମାନେ ପହଞ୍ଚିଥିଲେ ପ୍ରଭୁ ଯୀଶୁଙ୍କ ଶିଶୁରୂପ ଦର୍ଶନ ପାଇଁ। ଭକ୍ତିରେ ପ୍ରଭୁଙ୍କ ଶିଶୁ ପ୍ରତିମା ଦର୍ଶନ କରିବା ସହ ପାଦ ଚୁମ୍ବନ କରି ଶ୍ରଦ୍ଧାଳୁମାନେ ନିଜକୁ ଭାଗ୍ୟବାନ ମନେ କରିଥିଲେ। ଧାଡ଼ିରେ ଅପେକ୍ଷା କରିବାକୁ ପଛେ ବର୍ଷକର ଏହି ମହାର୍ଗ ମୂହୁର୍ତ୍ତକୁ ବହୁ ଶ୍ରଦ୍ଧାଳୁ ହାତଛଡ଼ା କରିବାକୁ ଇଛା କରିନଥିଲେ। ଯେମିତି ନୂଆ ଶିଶୁଟିଏ ଜନ୍ମ ହେବା ପରେ ତାକୁ ଦେଖିବା ପାଇଁ ଭିଡ଼ ଜମେ, ଠିକ୍‌ ସେମିତି ଆଜି ସତ୍ୟନଗରସ୍ଥିତ ଭିନ୍‌ସେଣ୍ଟ କ୍ୟାଥ୍‌ଲିକ୍‌ ଚର୍ଚରେ ଭିଡ଼ ହୋଇଥିଲା। ଯୀଶୁଙ୍କୁ ଶିଶୁ ପ୍ରତିମା ରୂପରେ ଦର୍ଶନ କରି ପାଦ ଚୁମ୍ବନ କରୁଥିଲେ ଶ୍ରଦ୍ଧାଳୁମାନେ। ପ୍ରତି ୧ ଘଣ୍ଟାରେ ୧୪୦ ଜଣ ଲେଖାଏଁ ଚର୍ଚ୍ଚ ପରିସରକୁ ପ୍ର‌ବେଶ କରି ମୋଟ ୫୬୦ଜଣ ଦର୍ଶନ କରିଥିଲେ। ପ୍ରତି ବେଞ୍ଚରେ ୩ ଜଣ ଲେଖାଏଁ ବସିବାର ବ୍ୟବସ୍ଥା କରାଯାଇଥିଲା। ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦିବ୍ୟଯଜ୍ଞ ଓ ପୂଜାପାଠ ଅନୁଷ୍ଠିତ ହୋଇଥିଲା। ଏମିତିରେ କରୋନା କଟକଣାରେ ବି ଭିନ୍‌ସେଣ୍ଟ ଚର୍ଚ୍ଚରେ ଆଜି ବଡ଼ଦିନ ପାଳିତ ହୋଇଯାଇଛି।

କିନ୍ତୁ ୟୁନିଟ୍‌-୪ସ୍ଥିତ ୟୁନିୟନ୍‌ ଚର୍ଚ୍ଚ ଆଜି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିଲେ ବି ପୂର୍ବାହ୍ଣ ୧୦ଟାରେ ଇଂରାଜୀ ଓ ଅପରାହ୍ନ ୪ଟାରେ ଓଡ଼ିଆରେ ଆଚାର୍ଯ୍ୟ ମଦୁସୂଦନ ଦାସଙ୍କ ଈଶ୍ବରୀୟ ଉଦ୍‌ବୋଧନ କାର୍ଯ୍ୟକ୍ରମ ୟୁଟ୍ୟୁବ୍‌ରେ ପ୍ରସାରିତ ହୋଇଥିଲା। ଭର୍ଚୁଆଲ୍‌ ମାଧ୍ୟମରେ ଖ୍ରୀଷ୍ଟିଆନ୍‌ ଭାଇଭଉଣୀମାନେ ଏକାଠି ହୋଇ କାରୋଲ୍‌ ଗାନ କରିବା ସହ ପ୍ରାର୍ଥନା କରିଥିଲେ। ସେହିଭଳି ବୁଦ୍ଧନଗର ଚର୍ଚ୍ଚରେ ସକାଳ ସାଢ଼େ ୯ଟାରୁ ୨ଟି ପର୍ଯ୍ୟାୟରେ ଦର୍ଶନ ସୁବିଧା ମିଳିଥିଲା। ମଦର ମେରିଙ୍କ ଉଦ୍ଦେଶ୍ୟରେ ମହମବତି ଏବଂ ଶିଶୁ ଯୀଶୁଙ୍କ ଉଦ୍ଦେଶ୍ୟରେ ଗୋଲାପଟିଏ ନେବାକୁ ଭୁଲି ନଥିଲେ ଶ୍ରଦ୍ଧାଳୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe