ଵାଟର ଏଟିଏମ୍‌ର ପାଣି ବାହାରି ଗଲାଣି: ୨୦୧୬ରେ ୪ କୋଟି ଟଙ୍କା ଖର୍ଚ୍ଚରେ ୪୦ଟି ୱାଟର ଏଟିଏମ୍‌ ହୋଇଥିଲା।

Advertisment
ଵାଟର ଏଟିଏମ୍‌ର ପାଣି ବାହାରି ଗଲାଣି: ୨୦୧୬ରେ ୪ କୋଟି ଟଙ୍କା ଖର୍ଚ୍ଚରେ ୪୦ଟି ୱାଟର ଏଟିଏମ୍‌ ହୋଇଥିଲା।

The water ATM has run out of water

ଭୁବନେଶ୍ୱର: ବିଶେଷକରି ଖରାଦିନକୁ ଦୃଷ୍ଟି‌ରେ ରଖି ପଥଚାରୀ ସାଧାରଣ ଲୋକଙ୍କୁ କମ୍‌ ପଇସାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ୨୦୧୪ ମସିହାରେ ବିଏମ୍‌ସି ଯୋଜନା କରିଥିଲା ଵାଟର ଏଟିଏମ୍‌। ୨୦୧୬ରେ ଦୁଇଦଫାରେ ସହରରେ ୪୦ଟି ୱାଟର ଏଟିଏମ୍‌ ପ୍ରତିଷ୍ଠା ହୋଇଥିଲା। ସେଥିରେ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିଲେ। କିନ୍ତୁ ସ୍ଥାପନ ହୋଇଥିବା ୪୦ ଟି ଵାଟର୍‌ ଏଟିଏମ୍‌ ଭିତରୁ ବର୍ତ୍ତମାନ ଅଧିକାଂଶ ଅଚଳ ହୋଇପଡ଼ିଛି, ସେଗୁଡ଼ିକୁ ଆଉ ସଜଡ଼ା ଯାଉନାହିଁ- ଯଦିଓ ବର୍ଷକୁ ବର୍ଷ ରାଜଧାନୀରେ ଗରମ ଓ ଖରା ଚକ୍ରବୃଦ୍ଧି ସୁଧ ଭଳି ବଢ଼ି ଚାଲିଛି। ବିଶେଷ କରି ଜନଗହଳି ସ୍ଥାନ, ଯେପରିକି ବାଣୀବିହାର, ରବୀନ୍ଦ୍ର ମଣ୍ଡପ, ନ’ତାଲା, ଜୟଦେବ ବିହାର, ସତ୍ୟନଗର, ରାଜମହଲ, କେଶରୀ ଟକିଜ୍‌, ରସୁଲଗଡ଼ ଆଦି ସ୍ଥାନରେ ଥିବା ୱାଟର୍‌ ଏଟିଏମ୍‌ କାମ କରୁନଥିବାରୁ ଲୋକ ଭୀଷଣ ହଇରାଣ ହେଉଛନ୍ତି। ଗତବର୍ଷ ଫେବ୍ରୁଆରି ୭ ତାରିଖରେ ରାଜଧାନୀର ତାପମାତ୍ରା ଅହେତୁକ ବୃଦ୍ଧି ଯୋଗୁଁ ଏକ ବୈଠକରେ ମେୟର ରାଜଧାନୀରେ ନୂଆ ଵାଟର କିଓସ୍କ ସ୍ଥାପନ କରିବା ସହିତ ଵାଟର୍‌ ଏଟିଏମ୍‌ଗୁଡ଼ିକୁ ସଜାଡ଼ିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାବତ୍‌ ସେଗୁଡ଼ିକୁ ସଜଡ଼ା ଯାଇନାହିଁ।

କେବଳ ଏହି ସ୍ଥାନଗୁଡ଼ିକରେ ନୁହେଁ, ରାଜଧାନୀର ବହୁ ପାର୍କ ଓ ମାର୍କେଟଗୁଡ଼ିକରେ ମଧ୍ୟ ପାନୀୟ ଜଳକୁ ନେଇ ଥିବା ସମସ୍ୟାର ସମାଧାନ ହେଉନାହିଁ। ଫଳରେ ସାଧାରଣ ଲୋକଙ୍କ ସହିତ ବ୍ୟବସାୟୀ ହଇରାଣରେ ପଡ଼ୁଛନ୍ତି। ଉଦାହରଣ ଭାବରେ ମାର୍କେଟ ବିଲ୍ଡିଂକୁ ନିଆଯାଇପାରେ। ପ୍ରାୟ ବର୍ଷେ ହେବ ଏଠାରେ ଵାଟର ଏଟିଏମ୍‌ ଅଚଳ ହୋଇପଡ଼ିଛି। ମାର୍କେଟ ଭିତରେ ପାଣିର ଅନ୍ୟ କୌଣସି ବିକଳ୍ପ ନାହିଁ। ଫଳରେ ବ୍ୟବସାୟୀମାନେ ଘରୁ ପାଣି ଆଣି ଆସୁଛନ୍ତି। କିନ୍ତୁ ଗ୍ରାହକମାନେ ଶୋଷ ହେଲେ ଡହଳବିକଳ ହେବା ସାର ହେଉଛି। ସେହିପରି ୪ ନମ୍ୱର ହାଟ ସହିତ ଅନେକ ହାଟ ପରିସରରେ ଥିବା ପାଣି ପାଇପ୍‌ ଭାଙ୍ଗି ଯାଇଛି। ପିଇବା ପାଣିର କୌଣସି ବ୍ୟବସ୍ଥା ନାହିଁ, ଯାହା ଥିଲା ତାହା ଅଚଳ ହୋଇ ପଡ଼ିଛି। ସହରର ଅଧିକାଂଶ ପୁରୁଣା ପାର୍କରେ ଥିବା ଵାଟର କିଓସ୍କ ମଧ୍ୟ ଅଚଳ। ଏପରିକି ସହରର ମଧ୍ୟଭାଗରେ ଥିବା ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଜଳ କିଓସ୍କ ମଧ୍ୟ ଠିକ୍‌ରେ କାମ କରୁନାହିଁ। ଏନେଇ ବିଏମ୍‌ସି ଯନ୍ତ୍ରୀ ସରୋଜ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ୱାଟର୍‌ ଏଟିଏମ୍‌ଗୁଡ଼ିକ ନଷ୍ଟ ହୋଇଗଲାଣି। ଏଗୁଡ଼ିକୁ ହଟାଇବା ଦିଆଯିବ। ଏବେ ପ୍ରତି ଵାର୍ଡରେ ଜଳଛତ୍ର ଖୋଲାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe