ମାଟିକାନ୍ଥ ପଡ଼ି ମହିଳା ଗୁରୁତର, ଭୋକ ଉପାସରେ ଫେରିଲେ ବିପନ୍ନ

Advertisment
ମାଟିକାନ୍ଥ ପଡ଼ି ମହିଳା ଗୁରୁତର, ଭୋକ ଉପାସରେ ଫେରିଲେ ବିପନ୍ନ

ବାଲିଅନ୍ତା: ବାତ୍ୟା ଅମ୍ଫାନର ପ୍ରଭାବରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉକ୍ତ ବ୍ଲକ ସରକଣା ପଞ୍ଚାୟତ ଅଧୀନ କଇଜଙ୍ଗା ଗ୍ରାମରେ ମାଟିକାନ୍ଥ ଭୁଶୁଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେହିପରି ସ୍କୁଲଘର ଓ ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ୩୦୦ରୁ ଅଧିକ ଲୋକ ହୀନସ୍ତା ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଦାୟିତ୍ବରେ ସ୍ଥାନୀୟ ପଞ୍ଚାୟତ ଜନପ୍ରତିନିଧି ଓ ପ୍ରଶାସନ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଶୁଖିଲା କିମ୍ବା ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇନଥିବା ନେଇ ଆଶ୍ରୟ ନେଇଥିବା ଲୋକମାନେ କହିଛନ୍ତି। ତେଣୁ ଜୀବନ ବଞ୍ଚାଇବା ପାଇଁ ନିର‌‌ାପଦ ସ୍ଥାନରେ ଆଶ୍ରୟ ନେଇଥିବା ଏହି ଲୋକମାନେ ଦିନ ତମାମ ଭୋକ ଉପାସରେ ରହିଥିବା କହିଛନ୍ତି।

ଅନ୍ୟପକ୍ଷରେ ବର୍ଷାପବନ ଛାଡ଼ିଯିବା ପରେ ସଂଧ୍ୟାରେ ଆଶ୍ରୟ ନେଇଥିବା ଲୋକମାନେ ଘରକୁ ଫେରିଯାଇଥିବା ଜଣାପଡ଼ିଛି। ଗତକାଲି ରାତିରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ଅମ୍ଫାନ ଏଠାରେ କ୍ଷୟକ୍ଷତି କରିଥିଲା। ପୂର୍ବାହ୍ନ ୧୧ଟା ବେଳେ କଇଜଙ୍ଗା ଗ୍ରାମର ସ୍ବର୍ଗତ ନଗେନ୍ଦ୍ର ବସ୍ତିଆଙ୍କ ପତ୍ନୀ ସ୍ବର୍ଣ୍ଣଲତା ବସ୍ତିଆ ରୋଷେଇ କରୁଥିବା ବେଳେ ତାଙ୍କ ଉପରେ ମାଟି କାନ୍ଥ ଖସିପଡ଼ିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇଛି। ତୁରନ୍ତ ଚିକିତ୍ସା ଲାଗି ପଡ଼ୋଶୀମାନେ ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏବେ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ପୁଅ ପପୁ ବସ୍ତିଆ କହିଛନ୍ତି। ପ୍ରକାଶ ଥାଉକି ଗତବର୍ଷ ଫନି ପୂର୍ବରୁ ତାଙ୍କ ସ୍ବାମୀଙ୍କ ମସ୍ତିସ୍କ ଜ୍ବରରେ ମୃତ୍ୟୁ ଘଟିଥିଲା। ତାଙ୍କର ଦୁଇ ନାବାଳକ ପୁଅ ଝିଅ ଅଛନ୍ତି। ଏହାପରେ ଫନିରେ ତାଙ୍କର ଦୁଇବଖରା ମାଟିଘର ସଂପୂର୍ଣ୍ଣ ଭାଙ୍ଗିଗଲା। ସେହି ଭଙ୍ଗାମାଟି କାନ୍ଥ ଉପରେ ଟିଣ ଓ ପଲିଥିନ ଟାଣି ସ୍ବର୍ଣ୍ଣଲତା ଦୁଇ ପିଲାଙ୍କ ସହ ରହୁଥିଲେ। ହେଲେ ଆଜି ବାତ୍ୟା ଅମ୍ଫାନ ବି ଦାଉ ସାଧିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe