ମହିଳାଙ୍କ ଉନ୍ମତ୍ତ କାଣ୍ଡ; ମହିଳା ପୁଲିସ ଏସ୍‌ଆଇଙ୍କୁ ବାଡ଼େଇଲେ, କାମୁଡ଼ିଲେ

ମହିଳାଙ୍କ ଉନ୍ମତ୍ତ କାଣ୍ଡ; ମହିଳା ପୁଲିସ ଏସ୍‌ଆଇଙ୍କୁ ବାଡ଼େଇଲେ, କାମୁଡ଼ିଲେ

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଆଜି ଜଣେ ମହିଳାଙ୍କ ଉନ୍ମତ୍ତ କାଣ୍ଡ ସାରା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଚିନ୍ତାମଣିଶ୍ବର ଶବର ସାହିରେ ରହୁଥିବା ଏହି ମହିଳା ଜଣକ ତାଙ୍କ ବିରୋଧରେ ଏକ ଅଭିଯୋଗର ତଦନ୍ତ କରିବାକୁ ଯାଇଥିବା ଜଣେ ମହିଳା ପୁଲିସ ଏସ୍‌ଆଇଙ୍କୁ ମାଡ଼ ମାରିବା ସହ କାମୁଡ଼ି ଲହୁଲୁହାଣ କରି ଦେଇଛନ୍ତି। ପୁଲିସକୁ ମାଡ଼ ମାରିଥିବା ମହିଳା ସୁଶ୍ରୀ ପଣ୍ଡାଙ୍କୁ ପୁଲିସ ଗିରଫ କରିଥିବାବେଳେ ଆକ୍ରମ‌ଣରେ ଆହତ ହୋଇଥିବା ମହିଳା ପୁଲିସ ଏସ୍ଆଇ ପ୍ରିୟଦର୍ଶିନୀ ବେହେରାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ଅନୁସାରେ, ସୁଶ୍ରୀଙ୍କ ଘରେ ଜଣେ ଯୁବତୀ ଭଡ଼ାରେ ରହୁଥିଲେ। ସୁଶ୍ରୀ ଏହି ଯୁବତୀଙ୍କ ଚରିତ୍ରକୁ ନେଇ ଗାଳିଗୁଲଜ କରିବା ସହ ସନ୍ଧ୍ୟା ସମୟରେ ଯୁବତୀଙ୍କୁ ଘରୁ ବାହାରି ଯିବାକୁ ବାଧ୍ୟ କରିଥିଲେ। ଏପରିକି ସେ ତାଙ୍କର ପାଣି ଓ ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ। ଯୁବତୀ ଜଣକ ଏ ନେଇ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହେବା ପରେ ମହିଳା ଏସ୍ଆଇ ପ୍ରିୟଦର୍ଶିନୀ ବେହେରା ଘଟଣା ସମ୍ପର୍କରେ ତଦନ୍ତ କରିବା ଲାଗି ସୁଶ୍ରୀଙ୍କ ଘରକୁ ଯାଇଥିଲେ। କିନ୍ତୁ ତଦନ୍ତରେ ସହଯୋଗ କରିବା ବଦଳରେ ସୁଶ୍ରୀ ଉତକ୍ଷିପ୍ତ ହୋଇ ପ୍ରିୟଦର୍ଶିନୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଏପରିକି ସେ ପ୍ରିୟଦର୍ଶିନୀଙ୍କ ଜଂଘ ଓ ବେକକୁ କାମୁଡ଼ି ଲହୁଲୁହାଣ କରିଦେଇଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଥାନା ଗାଡ଼ିର ଡ୍ରାଇଭର ଏବଂ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସୁଶ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଘର ଭଡ଼ା ନେଇଥିବା ଯୁବତୀ ଓ ଏସ୍ଆଇଙ୍କ ଅଭିଯୋଗ ଆଧାରରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ସୁଶ୍ରୀଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe