ବିଶ୍ୱ ଓଡ଼ିଆ ମହୋତ୍ସବ ଉଦ୍‌ଯାପିତ, ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ଶପଥ

Advertisment
ବିଶ୍ୱ ଓଡ଼ିଆ ମହୋତ୍ସବ ଉଦ୍‌ଯାପିତ, ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ଶପଥ

କାଲିଫର୍ଣ୍ଣିଆ/ଭୁବନେଶ୍ୱର: ଓଡ଼ିଶା ସୋସାଇଟି ଅଫ ଆମେରିକାସ୍‌ (ଓସା) ଏବଂ ୩୨ଟି ଦେଶର ଓଡ଼ିଶା ସମାଜ ତଥା ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଓ ସାମାଜିକ ସଂଗଠନମାନଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ବିଶ୍ୱ ଓଡ଼ିଆ ୱେବ୍‌ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥି‌ରେ ଯୋଗ ଦେଇଥିବା ଅତିଥିମାନେ ଓଡ଼ିଶା ମାଟିର ଗୌରବକୁ ଅକ୍ଷୁଣ୍ଣ ରଖିବା ସହ ସ୍ବର୍ଣ୍ଣାଭ ଓଡ଼ିଶାର ନବନିର୍ମାଣ ପାଇଁ ଶପଥ ଗ୍ରହଣ କରିଛନ୍ତି। ପ୍ରବାସୀ ଓଡ଼ିଆ ସଂପ୍ରଦାୟର ନେତୃବୃନ୍ଦମାନେ ଓଡ଼ିଆ ଅସ୍ମିତା ଓ ବ୍ରାଣ୍ଡ ଓଡ଼ିଶାର ଉପସ୍ଥିତି, ପରିଚିତି ଏବଂ ପାରଦର୍ଶିତାକୁ ବିଶ୍ୱ ଦରବାରରେ ପ୍ରତିପାଦନ, ପ୍ରମାଣିତ ଓ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି। ବିଶେଷକରି ୨୦୩୬ ମସିହାରେ ଭାଷାଭିତ୍ତିକ ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରାଯିବା ପରିପେକ୍ଷୀରେ ଶ୍ରେଷ୍ଠ ଓଡ଼ିଶା ଗଠନର ସ୍ବପ୍ନକୁ ସାକାର କରିବା ପାଇଁ ଦୂରଦୃଷ୍ଟିସଂପନ୍ନ ଯୋଜନାର ଖସଡ଼ା ଏବଂ ଭବିଷ୍ୟତ ମାର୍ଗର ମାନଚିତ୍ର ପ୍ରସ୍ତୁତି ପାଇଁ ସଂକଳ୍ପବଦ୍ଧ ଉଦ୍ୟମର ଅୟମାରମ୍ଭ କରାଯିବା ନେଇ ଶେଷ ସମାବେଶରେ ସର୍ବସମ୍ମତି ପ୍ରକାଶ ପାଇଥିଲା।

ଉଦ୍‌ଯାପନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ‘ମୋ କଲେଜ’ ସଂସ୍ଥାର ଅଧ୍ୟକ୍ଷ ଆକାଶ ଦାସନାୟକ କହିଥିଲେ, ଆଜି ଆମର(ଓଡ଼ିଆଙ୍କର) ଅସଲ ଶକ୍ତିକୁ ସ୍ମରଣ କରିବାର ସମୟ ଆସିଛି। ପ୍ରବାସୀ ଓଡ଼ିଆ ମହୋତ୍ସବ ଆମକୁ ଏଥିପାଇଁ ପ୍ରକୃଷ୍ଟ ମଞ୍ଚ ଯୋଗାଇଥିବା ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ଇଣ୍ଟରନେଟ୍‌ ସମାବେଶକୁ ସମ୍ବୋଧନ କରି ଓଲିଉଡ୍‌ ତାରକା ସବ୍ୟସାଚୀ ମିଶ୍ର, ‘ବସୁଧୈବ କଟୁମ୍ବକମ’ର ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆହ୍ବାନ ଜଣାଇଥିଲେ।

ଓସାର ପୂର୍ବତନ ସଭାପତି ଡ. ଶୀତିକଣ୍ଠ ଦାଶ, ଆମେରିକାରେ ପାରମ୍ପରିକ ପାଠ୍ୟକ୍ରମ ସହ ନୃତ୍ୟ, ସଂଗୀତ କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ଡ. ଦାଶ ଫାଉଣ୍ଡେସନ୍‌ ଓ ଓସା ସ୍କଲାରସିପ ପ୍ରାରମ୍ଭ କରିବାର ଘୋଷଣା କରିଥିଲେ। ଓସାର ସଭାପତି କୁକୁ ଦାସ କହିଥିଲେ, ଏହା ସମାପନ ନୁହେଁ, ବରଂ ପରବର୍ତ୍ତୀ ସୋପାନର ଆରମ୍ଭ। ମହୋତ୍ସବ ପାଇଁ ଦୁଇମାସର ଆୟୋଜନ ସମୟରେ ସାରା ପୃଥିବୀର ଯେଉଁ ଭାଇ ଭଉଣୀମାନେ ତାଙ୍କ ସହିତ ସାମିଲ ହୋଇଛନ୍ତି, ସେମାନଙ୍କ ସହ ଓଡ଼ିଶା ଓ ଓଡ଼ିଆଙ୍କର ଉତ୍‌ଥାନ ପାଇଁ ଆଗକୁ ବି ସେ କାର୍ଯ୍ୟ ଜାରି ରଖିବେ ବୋଲି କହିଥିଲେ। ଓସାର ଉପସଭାପତି ଅନୀଲ ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ଏବଂ କୋଷାଧ୍ୟକ୍ଷ ଉତ୍କଳ ନାୟକ ପ୍ରୋତ୍ସାହକ ତଥା ବୈଷୟିକ ସହଯୋଗକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନରେ ସ୍ୱତନ୍ତ୍ର ସହାୟତା ପାଇଁ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ, ଚିତ୍ରତାରକା ସବ୍ୟସାଚୀ ମିଶ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ଡ. ସଂଗୀତା ଗୋସାଇଁଙ୍କୁ ଓସା ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା। ମହୋତ୍ସବର ସଫଳତାରେ ଯୋଗଦାନ ପାଇଁ ଉପଦେଷ୍ଟା ଡ. ଅରବିନ୍ଦ ପାଢ଼ୀ, ଡ. ଶୀତିକଣ୍ଠ ଦାଶ ଓ ଧୀରେନ୍ଦ୍ର କରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe