ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ, ପ୍ରେମା ଗୋଡ଼ରେ ଘା’

Advertisment
ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ, ପ୍ରେମା ଗୋଡ଼ରେ ଘା’

ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନର ଅନ୍ୟତମ ଆକର୍ଷଣ ୫୮ ବର୍ଷୀୟା ବୃଦ୍ଧା ହାତୀ ପ୍ରେମାର ଆଗ ଦୁଇ ଗୋଡ଼ରେ ଘା’ ହୋଇଥିବା ଜଣାପଡ଼ିଛି। ନଖ ସଂକ୍ରମିତ ହୋଇଥିବାରୁ ଘା’ରୁ ପୂଯ ବାହାରୁଛି। ଏହା ଜଣାପଡ଼ିବା ପରେ ପ୍ରାଣୀ ଚିକିତ୍ସକମାନେ ଲାଗି ପଡ଼ି ତାକୁ ସୁସ୍ଥ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଆବଶ୍ୟକ ଚିକିତ୍ସା କରାଯାଉଛି ଓ ଖୁବ୍‌ ଶୀଘ୍ର ସଂକ୍ରମଣ କମିଯିବା ସହ ପ୍ରେମା ସୁସ୍ଥ ହୋଇଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସମ୍ପ୍ରତି ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ହେଉଥିବା ହାତୀ ମୃତ୍ୟୁ ବନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ନନ୍ଦନକାନନରେ ବୟସ୍କା ହାତୀ ପ୍ରେମାର ଅସୁସ୍ଥତା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି।

ସୂଚନାନୁସାରେ, କିଛି ଦିନ ହେଲା ପ୍ରେମାର ଦୁଇ ଗୋଡ଼ର ନଖ ପାଖରୁ ପୂଯ ବାହାରୁଛି। ଘା’ ପ୍ରକୋପରୁ ସେ ଭଲ ଭାବରେ ଛିଡ଼ା ହୋଇପାରୁନାହିଁ। ଘା’ରେ ମାଛି ବସୁଥିବାରୁ ସେ ଅଧିକ ବିବ୍ରତ ହୋଇପଡ଼ୁଛି। ଯଦି ତୁରନ୍ତ ଘା’ ଭଲ ନହୁଏ ଓ ପ୍ରେମା କୌଣସି କାରଣରୁ ତଳେ ପଡ଼ିଯାଏ, କଥା ସରିଲା ବୋଲି ବୁଝିବାକୁ ହେବ। ବହୁ କ୍ଷେତ୍ରରେ ଅସୁସ୍ଥ ହାତୀ ତଳେ ପଡ଼ିଗଲେ, ବଞ୍ଚାଇବା କାଠିକାର ହୋଇପଡ଼େ। ତଳେ ପଡ଼ିଯାଇଥିବା ଅସୁସ୍ଥ ହାତୀ ପୁଣି ବଞ୍ଚିବା କ୍ବଚିତ୍ ଦେଖାଯାଏ। ତେବେ ତା’ ଗୋଡ଼କୁ ମାଛି ଦାଉରୁ ରକ୍ଷା କରିବା ଲାଗି ବିଶୋଧକ ସିଂଚନ କରାଯାଉଛି। ସେହିଭଳି ସଂକ୍ରମଣ କମାଇବା ଲାଗି ପ୍ରେମାକୁ ପ୍ରତିଷେଧକ ଟିକା ଦିଆଯାଉଛି। ଚିକିତ୍ସା ଆରମ୍ଭ ହେବା ପରଠାରୁ ସେ ସାମାନ୍ୟ ସୁସ୍ଥ ହୋଇଛି ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ପ୍ରେମାକୁ ୧୯୮୫ରେ ତାମିଲନାଡ଼ୁ ଭନ୍ଦାଲୁର ଅଭୟାରଣ୍ୟରୁ ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ତାକୁ ୨୧ ବର୍ଷ ବୟସ ହୋଇଥିଲା। ଏବେ ନନ୍ଦନକାନନରେ ବାସନ୍ତୀ(୬୮), ପ୍ରେମା (୫୮), ହୀରା(୨୩) ଓ ମାମା (୫)କୁ ମିଶାଇ ମୋଟ ୪ଟି ମାଈ ହାତୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe