ଗଳ୍ପ ସଙ୍କଳନ ‘ଆକାଶର ଛାଇ’ ଉନ୍ମୋଚିତ: ଗାଳ୍ପିକର ଅନ୍ତଃଦୃଷ୍ଟି ରହିବା ଆବଶ୍ୟକ

Advertisment
ଗଳ୍ପ ସଙ୍କଳନ ‘ଆକାଶର ଛାଇ’ ଉନ୍ମୋଚିତ: ଗାଳ୍ପିକର ଅନ୍ତଃଦୃଷ୍ଟି ରହିବା ଆବଶ୍ୟକ

ଭୁବନେଶ୍ବର: ଗାଳ୍ପିକର ଅନ୍ତଃଦୃଷ୍ଟି ରହିବା ଆବଶ୍ୟକ। ପ୍ରଥମେ ଗାଳ୍ପିକ ଚିତ୍ର ଓ ଚରିତ୍ରକୁ ମନ ଭିତରେ ସାଇତି ରଖି ଅନ୍ତଃଦୃଷ୍ଟିରେ ପରଖିବା ପରେ ଗପ ଲେଖିବା ଜରୁରୀ। ଗଳ୍ପ ସଙ୍କଳନ ‘ଆକାଶର ଛାଇ’ରେ ଗାଳ୍ପିକଙ୍କ ମାନବିକତା ଓ ସମ୍ବେଦନଶୀଳତା ବାରି ହୋଇପଡ଼ୁଛି। ଗଳ୍ପ ସଙ୍କଳନରେ କବିତାର ଭାଷା ସଙ୍କଳନକୁ ନୂଆ ପରିଚୟ ଦେଇଛି ବୋଲି ଆଜି ବୁଦ୍ଧ ମନ୍ଦିର ସଭାକକ୍ଷରେ ଘନବିହାରୀ ମହାରଣାଙ୍କ ଗଳ୍ପ ସଙ୍କଳନ ‘ଆକାଶର ଛାଇ’ର ଉନ୍ମୋଚନ ଉତ୍ସବର ମୁଖ୍ୟ ଅତିଥି ଅଧ୍ୟାପକ ବିଶ୍ବରଞ୍ଜନ ଏହା କହିଛନ୍ତି।

‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉନ୍ମୋଚନ ସଭାରେ ଗାଳ୍ପିକ ଦେବପ୍ରସାଦ ଦାଶ ସଙ୍କଳନକୁ ସମୀକ୍ଷା କରିଥିଲେ। ‌‘ଆକାଶର ଛାଇ’ର ଲେଖକ ଘନବିହାରୀ ମହାରଣା ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରି କହିଲେ, ପ୍ରତ୍ୟେକ ମଣିଷର ଚାରି ପାଖରେ ହଜାର ହଜାର ଗଳ୍ପ ଘୂରି ବୁଲୁଥାନ୍ତି। କିଛି ଗଳ୍ପକୁ ଧରି ରଖିବାକୁ ପଡ଼େ। ଆଉ କିଛି ମନଭିତରକୁ ଧସେଇ ପଶିଆସନ୍ତି ଏବଂ ଲେଖୁଲେଖୁ ଲେଖି ହୋଇଯାଏ ବୋଲି ଶ୍ରୀ ମହାରଣା କହିଥିଲେ। ସଭାପତି ସ୍ବରାଜ ମିଶ୍ର ଅଭିଭାଷଣରେ କହିଲେ ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମରେ ସାହିତ୍ୟକୁ ମାର୍କେଟିଂ କରିବାକୁ ଯାଇ ଅନେକ ଅପସଂସ୍କୃତିକୁ ଆପଣାଇ ନେଉଛନ୍ତି। ଏହା ଶୁଭଙ୍କର ନୁ‌ହେଁ। ଭାବର ସହ ସାହିତ୍ୟ ସୃଷ୍ଟି କରିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ଅବସରରେ ମାନବେନ୍ଦ୍ର ମିଶ୍ର, ପ୍ରତାପ ନାୟକ, ସ୍ନେହଲତା ପୃଷ୍ଟି, ସୁଦର୍ଶନ ଦାସ ଓ ଶୁଭକାନ୍ତ ପୃଷ୍ଟି ନିଜର ମତ ରଖିଥି‌ଲେ। ସଙ୍କଳନର ପ୍ରକାଶକ ତଥା କାବ୍ୟଲୋକ ପ୍ରକାଶନର ମୁଖ୍ୟ ଭିକାରି ଧଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe