McCluskey Chevrolet
ଚନ୍ଦ୍ରଶେଖରପୁର: କିସ୍-ଇନ୍ଫୋସିଟି ରାସ୍ତାରେ ଆଜି ଦିନ ଦି’ପହରେ ଦୁଇଜଣ ଦୁର୍ବୃତ୍ତ ଆତଙ୍କ ଖେଳାଇଛନ୍ତି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ମିଟୁ ପାତ୍ର (୫୦) ନାମକ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ମିଟୁଙ୍କ ଘର ଦାରୁଠେଙ୍ଗ ଅଞ୍ଚଳରେ। ସେ ସ୍ଥାନୀୟ ଅଞ୍ଚଳରେ ଜମି ଦଲାଲି କରୁଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛି। ତାଙ୍କ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏ ନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରାସ୍ତା କଡ଼ରେ ଲାଗିଥିବା ବିଭିନ୍ନ ସିସିଟିଭିରୁ ଫୁଟେଜ୍ ସଂଗ୍ରହ କରି ଅପରାଧୀଦ୍ବୟଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଚଳାଇଛି।
ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ ଜମି କିଣାବିକାକୁ କେନ୍ଦ୍ର କରି ବିଭିନ୍ନ ଲୋକଙ୍କ ସହ ମିଟୁଙ୍କ ପୂର୍ବରୁ ବିବାଦ ରହିଥିଲା। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ କିସ୍-ଇନ୍ଫୋସିଟି ରାସ୍ତାରେ ଠିଆ ହୋଇଥିବା ବେଳେ ଦୁର୍ବୃତ୍ତଦ୍ବୟ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଜୀବନ ବିକଳରେ ମିଟୁ ଦୌଡ଼ିଥିଲେ ହେଁ ଦୁର୍ବୃତ୍ତଦ୍ବୟ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ତେବେ ମିଟୁ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତଦ୍ବୟ ସେଠାରୁ ଖସି ପଳାଇଥିଲେ।
Follow Us