image source-Sabrang India
ଭୁବନେଶ୍ୱର : ଗୁଗୁନାନି ମୋଟର୍ସ ମାଲିକ ସତ୍ପାଲ୍ ଗୁଗୁନାନିଙ୍କ ଘରୁ ହୋଇଥିବା ଚୋରି ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଫେରାର୍ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା କାହ୍ନୁଚରଣ ଦାସ। କାହ୍ନୁ ହେଉଛି ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଚିଲିକା ଦିଗାଲର ସ୍ବାମୀ ତଥା ମା’ ମାଣିକ ଦାସର ପୁଅ। ପୁଲିସ କାହ୍ନୁର ଢେଙ୍କାନାଳ ଧଳପୁରସ୍ଥିତ ଘରେ ଚଢ଼ଉ କରି ତାକୁ ଗିରଫ କରିଥିବାବେଳେ ତା ନିକଟରୁ ୬୦ ହଜାର ଟଙ୍କା ଓ ଗୋଟିଏ ଫ୍ରିଜ୍ ଜବତ କରିଛି। ତେବେ ଗୁଗୁନାନିଙ୍କ ଘରୁ ଚୋରି ହୋଇଥିବା ଗହଣାଗାଣ୍ଠି ଜବତ ହୋଇପାରିନାହିଁ। କାହ୍ନୁ ସମସ୍ତ ଚୋରି ଗହଣାକୁ ବିକି ଦେଇଛି ଓ ବିକ୍ରି ଗହଣାକୁ ଠାବ କରିବା ପାଇଁ ପୁଲିସ ଚଢ଼ଉ ଜାରି ରହିଛି ବୋଲି ସୂଚନା ଦେଇଛି।
ସୂଚନାଯୋଗ୍ୟ, ଗୁଗୁନାନି ମୋଟର୍ସ ମାଲିକ ସତ୍ପାଲ୍ ଗୁଗୁନାନିଙ୍କ ଆଇଆର୍ସି ଭିଲେଜ ଏନ୍/୨-୧୫୩ରୁ ଗତ ୮ ତାରିଖରେ ଚୋରି ହୋଇଥିଲା। ଆଲ୍ମିରା ଭାଙ୍ଗି କେହି ଦୁର୍ବୃତ୍ତ ୮ ପଟ ସୁନା ଚୁଡ଼ି, ୩ ହଳ କାନଫୁଲ, ବ୍ରେସ୍ଲେଟ୍ ସମେତ ୧୦ ଭରି ଓଜନର ସୁନା ଅଳଙ୍କାର ଓ ୩ ଲକ୍ଷ ଟଙ୍କା ଚୋରି କରି ନେଇଥିଲା। ଗୁଗୁନାନିଙ୍କ ଘରେ କାହ୍ନୁର ପତ୍ନୀ ଚିଲିକା ଦିଗାଲ ଓ ମା’ ମାଣିିକ ଦାସ ବ୍ୟକ୍ତିଗତ ସହାୟିକା ଭାବରେ କାମ କରୁଥିବାରୁ ପୁଲିସ ସନ୍ଦେହ କରି ଚିଲିକା ଓ ମାଣିକ ରହୁଥିବା ସାଲିଆସାହିସ୍ଥିତ ଘରେ ଚଢ଼ଉ କରିଥିଲା। ଚଢ଼ଉବେଳେ ପୁଲିସ ଶାଶୂବୋହୂଙ୍କ ପାଖରୁ ନଗଦ ୯୮ ହଜାର ଟଙ୍କା ଜବତ କରିଥିଲା। କିନ୍ତୁ କାହ୍ନୁ ଫେରାର୍ ହୋଇଯାଇଥିଲା। କାହ୍ନୁ ବାକି ଟଙ୍କା ଓ ସବୁ ସୁନାଗହଣା ନେଇ ଛୁ’ ମାରିଥିଲା। ପୁଲିସ ଶାଶୂବୋହୂଙ୍କୁ କୋର୍ଟ ଚାଲାଣ କରିବା ପରେ କାହ୍ନୁ ପଛରେ ପଡ଼ି ଯାଇଥିଲା। ଆଇଆଇସି ଶରତ କୁମାର ସାହୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି କାହ୍ନୁର ପିଛା କରିଥିଲେ। କାହ୍ନୁ ବିକିଥିବା ଗହଣା ବାବଦରେ ସୂଚନା ମିଳିଥିଲେ ହେଁ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ପ୍ରକାଶ କରିନାହିଁ।
Follow Us