ଭୁବନେଶ୍ବର : ରାଜଧାନୀରେ ମାତିଛନ୍ତି ଚୋର, ଲୁଟେରା। ଏତେ ପୁଲିସ, ଏତେ ସତର୍କତା, ଏତେ ପାଟ୍ରୋଲିଂ, ଏତେ ସିସିଟିଭି। ହେଲେ ସବୁ ବେକାର। ପୁଲିସ ଓ ଲୋକଙ୍କ ନିଦ ହଜାଇ ସାରିଲେଣି ଚୋର। ପ୍ରତିଦିନ ସହରରେ କେଉଁଠ ନା କେଉଁଠି ଏକାଧିକ ଚୋରି, ସିନ୍ଧିଚୋରି, ଛିନ୍ତାଇ, ଲୁଟ୍ ହେଉଛି। ନିକଟରେ କମିସନରେଟ୍ ପୁଲିସ ପକ୍ଷରୁ ‘ସ୍ପେସାଲ-୬୦’ ଟିମ୍ ତିଆରି ହୋଇଥିଲେ ମଧ୍ୟ ଚୋରି, ଲୁଟ୍ ରୋକିବାରେ ଏହା ସଫଳ ହୋଇପାରୁନି। ଗତ ଅଗଷ୍ଟ ମାସରେ ତିନି ଶହରୁ ଅଧିକ ଚୋରି, ସିନ୍ଧିଚୋରି, ଲୁଟ୍ ଏବଂ ଛିନତାଇ ଘଟଣାରୁ ଏହା ସ୍ପଷ୍ଚ ହୋଇଯାଇଛି। କମିସନରେଟ୍ ପୁଲିସ ପାଇଁ ଏହା ବଡ଼ ଚାଲେଞ୍ଜ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2021/09/loot-33f.jpg)
ଦୁର୍ବଳ ପାଟ୍ରୋଲିଂ ପ୍ରମୁଖ କାରଣ
ରାଜଧାନୀରେ ରାତ୍ରକାଳୀନ ପାଟ୍ରୋଲିଂ ଅତି ଦୁର୍ବଳ ହୋଇ ପଡ଼ିଛି। ବିଭିନ୍ନ ଅଞ୍ଚଳରେ କିଲୋମିଟର କିଲୋମିଟ ପର୍ଯ୍ୟନ୍ତ ପାଟ୍ରୋଲିଂ ଗାଡ଼ି ଦେଖିବାକୁ ମିଳୁନାହିଁ। ଯାହା ‘ସମ୍ବାଦ’ ପକ୍ଷରୁ କିଛିଦିନ ତଳେ କରାଯାଇଥିବା ଅନୁସନ୍ଧାନରୁ ପଦାକୁ ଆସିଥିଲା। କରୋନା ମୁକାବିଲା ଯୋଗୁଁ ବିଭିନ୍ନ ଅପରାଧ ମାମଲାରେ ଗିରଫ ହୋଇ ଜେଲ ଯାଉଥିବା ଅପରାଧୀ ଶୀଘ୍ର ଜାମିନରେ ମୁକୁଳି ଯାଉଥିବାରୁ ଚୋରି, ଲୁଟ୍ ଭଳି ମାମଲା ବଢ଼ି ଚାଲିଛି।
/sambad/media/post_attachments/wp-content/uploads/2021/09/l3a.jpg)
ବର୍ଷକର ସିନ୍ଧିଚୋରି ମାମଲା ୮ ମାସରେ ଟପିଲା, ଲୁଟ୍ରେ ବି ରେକର୍ଡ ହେବ
୨୦୨୦ ବର୍ଷରେ ରୁଜୁ ହୋଇଥିବା ସିନ୍ଧିଚୋରି ମାମଲା ଚଳିତ ବର୍ଷ ପ୍ରଥମ ୮ ମାସରେ ଟପି ଯାଇଛି। ଗତବର୍ଷ ୩୫୦ଟି ସିନ୍ଧିଚୋରି ମାମଲା ରୁଜୁ ହୋଇଥିବାବେଳେ ଏ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ମାମଲା ସଂଖ୍ୟା ୩୬୧ ରେ ପହଞ୍ଚିଛି। ସେହିପରି ୨୦୨୦ରେ ଲୁଟ୍, ଛିନତାଇ ମାମଲା ସଂଖ୍ୟା ୩୮୮ ରହିଥିବା ବେଳେ ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ୩୮୨ରେ ପହଞ୍ଚିଛି। ଗତବର୍ଷ ଚୋରି ମାମଲା ସଂଖ୍ୟା ୧୮୬୨ ରହିଥିବା ବେଳେ ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଏହି ମାମଲା ସଂଖ୍ୟା ୧୩୧୬ ରହିଛି। ଯଦି ଏହିଭଳି ଚୋରି, ସିନ୍ଧିଚୋରି, ଲୁଟ୍ ଓ ଛିନତାଇ ମାମଲା ବଢ଼ି ଚାଲେ ତାହେଲେ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିବ।
/sambad/media/post_attachments/wp-content/uploads/2021/01/lokseva-bhawan-f.jpg)
ଲୋକସେବା ଭବନରୁ ଚୋରି, ଯୋଜନା ଓ ସଂଯୋଜନ ବିଭାଗରୁ ଲୁଟିଲେ ଲାପଟପ୍
ଭୁବନେଶ୍ବର,୨୭/୯(ଇମିସ): ଚାରିକଡ଼େ ସଶସ୍ତ୍ର ସୁରକ୍ଷାକର୍ମୀ। ମାତ୍ର ୫ ଶହ ମିଟର ଦୂରରେ ଥାନା। କିନ୍ତୁ ଲୋକସେବା ଭବନ ଭିତରୁ ଆଲମିରା ଭାଙ୍ଗି ଚୋରି। ସୁରକ୍ଷା ବଳୟ ଭିତରୁ ଚୋରି ହୋଇଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଛି। ଅଭିଯୋଗ ଅନୁସାରେ, ଯୋଜନା ଓ ସଂଯୋଜନ ବିଭାଗରୁ ଏହି ଚୋରି ହୋଇଛି। ଗତ ୨୨ ତାରିଖରେ ବିଭାଗର ଆଲମିରାରେ ଭଙ୍ଗା ଯାଇଥିବା ବେଳେ ସେଥିରେ ଥିବା ନୂଆ ଲେନେଭୋ ଲାପଟପ୍ ଚୋରି ହୋଇ ଯାଇଥିବା ଜଣାପଡ଼ିଥିଲା। ଏହି ଆଲମିରାର ଗୋଟିଏ ଚାବି ଏଏସ୍ଓ ଏବଂ ଅନ୍ୟଟି ଡେସ୍କ ଅଫିସରଙ୍କ ପାଖରେ ରହେ। ଆଲମିରା କିଏ ଭାଙ୍ଗି ନୂଆ ଲାପଟପ୍ ଚୋରି କଲା? କେମିତି ଚୋରି ହେଲା? ଲୋକସେବା ଭବନ ଭିତରକୁ କିଏ ପଶି ଏଭଳି କାଣ୍ଡ କଲା? ଏଥିରେ କୌଣସି କର୍ମଚାରୀଙ୍କର ହାତ ରହିଛି କି? ଏସବୁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଭାଗର ଉପସଚିବ ମନୋରଞ୍ଜନ ସ୍ବାଇଁଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି।
/sambad/media/post_attachments/wp-content/uploads/2021/09/capital-police-station.jpg)
ମଝିରେ ଥାନା, ଚାରିପଟେ ମାତିଛନ୍ତି ଚୋର, ଲୁଟେରା; ପଦାରେ ପଡ଼ିଲା ପୁଲିସ ଅପାରଗତା
ଭୁବନେଶ୍ବର : ମଝିରେ ଥାନା, ଚାରିପଟେ ମାତିଛନ୍ତି ଚୋର ଓ ଲୁଟେରା। ଦିନ ହେଉ କି ରାତି; ନିର୍ଭୟରେ ଚୋରି, ଲୁଟପାଟ୍ କରି ଚାଲିଛନ୍ତି। ଏମିତି ଏକାଧିକ ଘଟଣା ଏବେ କ୍ୟାପିଟାଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ରାସ୍ତା ହେଉ କି ସରକାରୀ କ୍ବାର୍ଟର୍ସ କି ଦୋକାନ। ସବୁକୁ ଟାର୍ଗେଟ୍ କରିଛନ୍ତି। ପୁଲିସ ଅପାରଗତା ପଦାରେ ପଡ଼ିଛି। ମାସକୁ ୫୦ରୁ ଅଧିକ ଲୁଟ୍, ଚୋରି ହେଉଥିବା ବେଳେ ଗତ ୫ ଦିନ ଭିତରେ ୧୨ଟି ଘଟଣା ଘଟିଛି। ଏପରିକି ଲୋକସେବା ଭବନ, ଥାନା ନିକଟରୁ ଚୋରି ଭଳି ଘଟଣା ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, ଭାଗବତ ସନ୍ଧାନ ଅଞ୍ଚଳର ଚିନ୍ମୟୀ ମିଶ୍ର କ୍ୟାପିଟାଲ ଥାନା ନିକଟରେ ଥିବା ଏକ ବ୍ୟାଙ୍କରେ ଚାକିରି କରନ୍ତି। ଗତ ୨୨ ତାରିଖରେ ସ୍କୁଟିରେ ଅଫିସ ଆସୁଥିବା ବେଳେ ରାଜମହଲ ଫ୍ଲାଏଓଭରର ଶେଷ ଭାଗରେ ଲୁଟେରା ତାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଛି। ସେହିପରି ଏକ ନମ୍ବର ହାଟର ଏକ ବାସନକୁସନ ଦୋକାନରୁ ତିନି ଜଣ ଚୋର ଟ୍ରଲିରେ ବିପୁଳ ସାମଗ୍ରୀ ଚୋରି କରି ପ​ଳାଉଥିବା ବେଳେ ଦୋକାନୀ କୃଷ୍ଣଚନ୍ଦ୍ର ସ୍ବାଇଁ ୨ ଜଣଙ୍କୁ ଧରିଥିଲେ। କିନ୍ତୁ ଜଣେ ଫେରାର ହୋଇ ଯାଇଥିଲା। ୟୁନିଟ୍-୧, ୟୁନିଟ୍-୨, ୟୁନିଟ୍-୬ ଅଞ୍ଚଳରେ ଏକାଧିକ ସରକାରୀ କ୍ବାର୍ଟର୍ସରୁ ବି ଚୋରି ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
Follow Us