୬ ଦିନ ପରେ ଧରାପଡ଼ିଲା ଅପହର୍ତ୍ତା, ଶିଶୁକନ୍ୟା ଉଦ୍ଧାର

ଜଳିମୁଣ୍ଡା ବସ୍ତିରୁ ଶିଶୁକନ୍ୟା ଚୋରି ମାମଲା

୬ ଦିନ ପରେ ଧରାପଡ଼ିଲା ଅପହର୍ତ୍ତା, ଶିଶୁକନ୍ୟା ଉଦ୍ଧାର

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଇନ୍‌ଫୋସିଟି ଥାନା ଜଳିମୁଣ୍ଡାସାହି ବସ୍ତିରୁ ଗତ ୧୭ ତାରିଖରେ ଚୋରି ହୋଇଥିବା ୪ବର୍ଷର ଶିଶୁକନ୍ୟାକୁ ପୁଲିସ ୬ ଦିନ ପରେ ଉଦ୍ଧାର କରିବାରେ ସଫଳ ହୋଇଛି। ଶିଶୁକନ୍ୟାକୁ ଚୋରି କରିଥିବା ଜଟଣୀ କୁଦିଆରୀ ଅଞ୍ଚଳର ଅଶୋକ ଦାସ(୪୧)କୁ ଡମଣା ଛକରୁ ଗିରଫ କରାଯାଇଛି ଓ ଶିଶୁକନ୍ୟାକୁ ତା’ ବାପାମା’ଙ୍କୁ ହସ୍ତାନ୍ତର କରାଯାଇଛି। ଆଜି ଅଭିଯୁକ୍ତ ଅଶୋକକୁ କୋର୍ଟ ଚାଲାଣ କରାଯାଇଛି ଓ ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ ସୂଚନା ଦେଇଛି। ଶିଶୁକନ୍ୟାକୁ ସେ କ’ଣ ପାଇଁ ଚୋରି କରିନେଇଥିଲା ଓ ୬ ଦିନ କାଳ କେମିତି ଶିଶୁଟିକୁ ଡମଣା ଅଞ୍ଚଳର ଏକ ବସ୍ତିରେ ରଖିଥିଲା, ତାହା ସ୍ପଷ୍ଟ ହୋଇନାହିଁ।

ଘଟଣାନୁଯାୟୀ ଜଳିମୁଣ୍ଡାସାହି ବସ୍ତିରେ ରହୁଥିବା ଗରିବ ଆଦିବାସୀ ଦମ୍ପତିଙ୍କ ଏହି ଶିଶୁକନ୍ୟାଟି ଘଟଣା ଦିନ ଏକାକୀ ଘର ପାଖ ରାସ୍ତାରେ ଖେଳୁଥିଲା। ସନ୍ଧ୍ୟା ସୁଦ୍ଧା ଶିଶୁଟି ଘରକୁ ନ ଫେରିବାରୁ ବାପାମା’ ଖୋଜାଖୋଜି କରିଥିଲେ। ଆଖପାଖ ଅଞ୍ଚଳର ଲୋକେ ପିଲାଟି ଖେଳୁଥିବା ଓ ସେଠାରେ ଜଣେ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିଥିଲେ ବୋଲି କହିଥିଲେ। ତେଣୁ ପିଲାଟିକୁ ଉକ୍ତ ଯୁବକ ନେଇଯାଇଛି ବୋଲି ସମସ୍ତେ ସନ୍ଦେହ କରିଥିଲେ। ତେଣୁ ସେମାନେ ତୁରନ୍ତ ଇନ୍‌ଫୋସିଟି ଥାନାକୁ ଯାଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା।

ଏକ ଫୁଟେଜ୍‌ରୁ ଶିଶୁଟିକୁ ଉକ୍ତ ସନ୍ଦିଗ୍ଧ ଯୁବକ ଅପହରଣ କରିନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଶିଶୁଟି ଅପହରଣ ହୋଇଛି ବୋଲି ସ୍ପଷ୍ଟ ହେବା ପରେ ପୁଲିସ ମାମଲାକୁ ଅଧିକ ଗୁରୁତ୍ବର ସହ ନେଇଥିଲା। ଛାନ୍‌ଭିନ୍‌ ପରେ ପୁଲିସ ଅଭିଯୁକ୍ତ ଅଶୋକକୁ ଚିହ୍ନଟ କରିଥିଲା। ପ୍ରଥମେ ସେ ପୁରୁଣା ଭୁବନେଶ୍ବରରେ ରହୁଥିବା ଭଡ଼ା ଘର ସମେତ ଜଟଣୀ କୁଦିଆରୀ ଅଞ୍ଚଳ‌ରେ ଚଢ଼ଉ କରିଥିଲା। ମାତ୍ର ସେଠାରେ ତାକୁ ପାଇବା ସମ୍ଭବ ହୋଇନଥିଲା। କିନ୍ତୁ ଗତ କିଛି ଦିନ ହେଲା ସେ ଡମଣା ଅଞ୍ଚଳରେ ରହୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ତେଣୁ ପୁଲିସ ଡମଣା ଅଞ୍ଚଳରେ ଖବରିଙ୍କ ସହଯୋଗ ନେଇଥିଲା। ଆଜି ଅଭିଯୁକ୍ତ ଅଶୋକ ପିଲାଟିକୁ ଧରି ବସ୍ତି ନିକଟରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ବଡ଼ କଥା ହେଉଛି, ପିଲାଟି ଅଶୋକ ନିକଟରେ ବେଶ୍ ଭଲରେ ଥିଲା ଓ କନ୍ଦାକଟା କରୁନଥିଲା। ତେଣୁ ଅଶୋକ ଗୁଣିଗାରେଡ଼ି କରି ପିଲାଟିକୁ ସମ୍ମୋହନ କରିଥିବା ସ୍ଥାନୀୟ ଲୋ‌କେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe