ଭୁବନେଶ୍ବରର ୧୧୦ କେନ୍ଦ୍ରରେ ୩୮୧ ବୁଥ୍‌ ଉତ୍ତେଜନା ପ୍ରବଣ

ପ୍ରମାଣ ପାଇଁ ଭିଡିଓ ରେକର୍ଡିଂ

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନ ପାଇଁ ପ୍ରଶାସନ ସହ କମିସନରେଟ ପୁଲିସର ପ୍ରସ୍ତୁତି ଶେଷ ହୋଇଛି। ରାଜଧାନୀକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରା ଯାଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜୋନ୍‌ରେ ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ, ୨ ଏସିପି, ୪ ଇନ୍ସପେକ୍ଟର, ୮ ଏସ୍ଆଇ ଓ ଏଏସ୍ଆଇ, ୨ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି। ବିଭିନ୍ନ ଥାନା ଓ ଜୋନ୍ ଏସିପିମାନେ ନିଜ ନିଜ ଅଞ୍ଚଳର ବୁଥ୍‌ ବୁଲି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବେ। କୁଇକ୍ ରେସପନ୍ସ ଟିମ୍(କ୍ୟୁଆରଟି) ଓ ମୋବାଇଲ ପାଟ୍ରୋଲିଂ ଟିମ ବୁଥ୍‌କୁ ବୁଥ୍ ବୁଲି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବ।

ଏଥିପାଇଁ ରାଜଧାନୀ ବାହାରୁ ଅଧିକ ୫୦ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସରଙ୍କୁ ଅଣାଯାଇଛି। ୧୧୦ଟି ମତଦାନ କେନ୍ଦ୍ରରେ ୩୮୧ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ। ଏଠାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ତଥା ପ୍ରମାଣ ସଂଗ୍ରହ ପାଇଁ ଭିଡିଓ ରେକର୍ଡିଂ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ବିଜେଡି ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ବର: ବିଏମ୍‌ସି ୧୫ନଂ ଵାର୍ଡସ୍ଥିତ ବେହେରା ବସ୍ତିରେ ଆଜି ଅପରାହ୍ନରେ ବିଜେଡି କର୍ପୋରେଟର୍ ପ୍ରାର୍ଥୀ ରାଜଲକ୍ଷ୍ମୀ ବେହେରା ଓ ତାଙ୍କର ୩ ସହଯୋଗୀଙ୍କୁ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଵାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ପିଙ୍କି ସ୍ବାଇଁଙ୍କ ସ୍ବାମୀ ଅଶୋକ ରାଜ୍ ଓ ତାଙ୍କ ୫ଜଣ ସହଯୋଗୀ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମୋବାଇଲ୍ ଭାଙ୍ଗିଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ଏହା ସହିତ ତାଙ୍କ ସୁନା ଚେନ୍ ଓ ଡକ୍ୟୁମେଣ୍ଟ ମଧ୍ୟ ନେଇଯାଇଥିବା ସେ କହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବସ୍ତିରେ ରାଜଲକ୍ଷ୍ମୀ କଳା ବିରି ଆଣି ଲୋକଙ୍କ ଉପରକୁ ପକାଉଥିଲେ। ଯେଉଁଥିପାଇଁ ବସ୍ତିବାସିନ୍ଦା ତାଙ୍କୁ ଘେରି ଯାଇଥିଲେ ଏବଂ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ମାତ୍ର ତାଙ୍କୁ ଆକ୍ରମଣ କରାଯାଇନଥିବା ସେମାନେ କହିଛନ୍ତି।

ଶାନ୍ତିପଲ୍ଲୀ ବସ୍ତିରେ ନିର୍ବାଚନୀ ଉତ୍ତେଜନା

ଭୁବନେଶ୍ୱର: ବୁଧବାର ରାତିରେ ଶାନ୍ତିପଲ୍ଲୀ ବସ୍ତିରେ ନିର୍ବାଚନୀ ଉତ୍ତେଜନା ଦେଖାଦେଇଥିଲା। ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା ତାଙ୍କ ସମର୍ଥକମାନଙ୍କ ସହ ଆଲୋଚନା କରୁଥିବା ବେଳେ ଟଙ୍କା ବଣ୍ଟା ଚାଲିଛି ବୋଲି ଅଭିଯୋଗ କରି ବିଜେପି କର୍ପୋରେଟର ପ୍ରାର୍ଥୀ ଓ ସମର୍ଥକମାନେ ହୋ ହଲ୍ଲା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏମିତିକି ବିଜେଡି ସମର୍ଥକଙ୍କ ମାଡ଼ରେ ବିଜେପି କର୍ମୀ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। କିନ୍ତୁ ସହିଦନଗର ଥାନା ପୁଲିସ ପକ୍ଷରୁ ଗଣ୍ଡ‌ଗୋଳ ଖବରକୁ ଖଣ୍ଡନ କରାଯାଇଛି। ଶାନ୍ତିପଲ୍ଲୀ ବସ୍ତି ଉନ୍ନୟନ କମିଟି ଯୁଗ୍ମ ସମ୍ପାଦକ ନରହରି ପ୍ରଧାନଙ୍କ ଅଭିଯୋଗ ମୁତାବକ, ବିଧାୟକ ଶ୍ରୀ ଜେନା ଅଙ୍ଗନବାଡି ଦିଦିଙ୍କ ଘରକୁ ଆସିଥିଲେ। ସେଠାରେ କିଛି କର୍ମୀଙ୍କ ସହ ଆଲୋଚନା କରୁଥିଲେ।

ବୋଧହୁଏ ଟଙ୍କା ବଣ୍ଟା ହେଉଥିଲା। ତେବେ ପ୍ରଚାର ବନ୍ଦ ହୋଇଯାଇଥିବା ବେଳେ ବିଧାୟକ ବସ୍ତିକୁ ଆସିବାକୁ ସେମାନେ ବିରୋଧ କରିବାରୁ ବିଜେଡି ସମର୍ଥକମାନେ ଅର୍ଜୁନ ପ୍ରଧାନ ଓ କ୍ଷେତ୍ରବାସୀ ବେହେରାଙ୍କୁ ମାଡ଼ ମାରିଥିଲେ। ପୁଲିସକୁ ଫୋନ୍‌ କରିଥିଲେ ମଧ୍ୟ ବିଧାୟକ ଚାଲିଯିବା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ଅନ୍ୟପଟେ ବିଜେଡି ପକ୍ଷରୁ କୁହାଯାଇଛି କି କର୍ମୀଙ୍କ ସହ ଆଲୋଚନା ହେଉଥିଲା। କାହାକୁ ମାଡ଼ ହୋଇନାହିଁ, ସେମାନେ କାହିଁକି ହୋ ହଲ୍ଲା କଲେ ଆମେ ଜାଣିନାହୁଁ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe