ଯୋଗ୍ୟଙ୍କୁ ଚାକିରିର ଅଭାବ ନାହିଁ: ସୌମ୍ୟ

କେଏମ୍‌ବିବି କଲେଜର ବାର୍ଷିକ ଉତ୍ସବ ‘ଥ୍ରିଲ୍‌-୨୦୨୪’

ଯୋଗ୍ୟଙ୍କୁ ଚାକିରିର ଅଭାବ ନାହିଁ: ସୌମ୍ୟ

ଖୋର୍ଦ୍ଧା: ଯୋଗ୍ୟଙ୍କପାଇଁ ଚାକିରିର କେବେ ଅଭାବ ନାହିଁ। ସେ ଚାକିରି ପଛରେ ଗୋଡ଼ାଏନି, ଚାକିରି ତା ପିଛା କରୁଥାଏ। ତେଣୁ ଚାକିରି ଚିନ୍ତା ଛାଡ଼, ନିଜକୁ ପ୍ରଥମେ ଯୋଗ୍ୟ କରିଦିଅ। ଖୋର୍ଦ୍ଧା ସହର ଉପକଣ୍ଠ ଦଳେଇପୁଟ ସ୍ଥିତ କେଏମ୍‌ବିବି କଲେଜ୍‌ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବାର୍ଷିକ ଉତ୍ସବ ‘ଥ୍ରିଲ -୨୦୨୪’ରେ ଯୋଗଦେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏକଥା କହିଛନ୍ତି। ଯୋଗ୍ୟ ଲୋକର ପରିଭାଷା ଦର୍ଶାଇବାକୁ ଯାଇ ସେ କହିଛନ୍ତି, ଯିଏ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଉଦ୍ୟମ କରେ, ଚାକିରି ତାକୁ ଅପେକ୍ଷା କରେ। ସ୍ୱାଧୀନତା ପରବର୍ତୀ ଆଠ ଦଶନ୍ଧି ମଧ୍ୟରେ ବହୁତ କିଛି ପରିବର୍ତନ ଘଟିଛି। ନୂଆ ବୈଷୟିକ କୌଶଳର ଉତ୍‌ଥାନ ହୋଇଛି, ସମୟକ୍ରମେ ଅତ୍ୟାଧୁନିକ ଜ୍ଞାନକୌଶଳ ଆସିଲା ପରେ ଟେଲିଫୋନ ଭଳି ବ୍ୟବସ୍ଥାର ବିଲୟ ହୋଇଛି। ବର୍ତମାନର ପିଢ଼ି ଏକ ନବପରିବର୍ତ୍ତନର ବାହକ ସାଜିବାକୁ ଯାଉଛି। ଯିଏ ଏ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାର ସାହସ ବାନ୍ଧି ପାରିବ, ତା ପାଇଁ ଚାକିରି ରୋଜଗାରର କୌଣସି ଅଭାବ ଘଟିବ ନାହିଁ।

ଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଜେବି କଲେଜ ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଅଭିରାମ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଅତି ଶିଖରରେ ପହଞ୍ଚିଥିବା ପ୍ରଯୁକ୍ତି ଶିକ୍ଷା କୌଣସି ଯାଦୁକରି ବା କୁହୁକ ଠାରୁ କମ୍‌ ନୁହେଁ। ବର୍ତ୍ତମାନ ସମୟରେ ଆମ ଇଞ୍ଜିନିୟରମାନଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। କେବଳ ଯେ, ଏମାନେ ପାଠ ପଢି ଯନ୍ତ୍ରୀ ହୋଇଛନ୍ତି ତାହା ନୁହେଁ, ଏମାନେ ସବୁ କ୍ଷେତ୍ରକୁ ଏବେ ଖେଦି ଗଲେଣି। ପ୍ରଶାସନଠୁ ଆରମ୍ଭ କରି ରାଜନେତା ଯାଏଁ ସବୁ କ୍ଷେତ୍ରରେ ସଫଳ ହୋଇଚାଲିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ପ୍ରାରମ୍ଭରେ କଲେଜର ପ୍ରିନସିପାଲ ଡ. ସୌମ୍ୟଦର୍ଶନ ମହାନ୍ତି ସ୍ୱାଗତଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଏକାଡେମିକ ନିର୍ଦେଶକ ଡ. ବିଜୁନି ଚରଣ ସୂତାର, ନିର୍ଦେଶକ(ପ୍ରଶାସନ) ପ୍ରଫେସର ସରୋଜ କୁମାର ପଣ୍ଡା ପିଲାଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। କଲେଜର ଡିନ୍‌ ଡ. ଗଣେଶ ପ୍ରସାଦ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe