ରାସ୍ତାକଡ଼ରେ ବ୍ୟବସାୟୀ: ଭେଣ୍ଡିଂ ଜୋନ୍‌ ସାତସପନ

Advertisment
ରାସ୍ତାକଡ଼ରେ ବ୍ୟବସାୟୀ: ଭେଣ୍ଡିଂ ଜୋନ୍‌ ସାତସପନ

ଭୁବନେଶ୍ବର: ଲକ୍ଷ୍ମୀସାଗର-ଝାରପଡ଼ା ଅଞ୍ଚଳରେ ଶତାଧିକ ବ୍ୟବସାୟୀ ରାସ୍ତା କଡ଼ରେ ବର୍ଷ ବର୍ଷ ଧରି ବ୍ୟବସାୟ କରୁଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଖରା, ବର୍ଷା ଓ ଶୀତ ସହି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା କରାଯାଇପାରି ନାହିଁ। ଏହାକୁ ନେଇ ବ୍ୟବସାୟୀମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ବ୍ୟବସାୟୀଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୁପଣ କରାଯାଇନାହିଁ। ଫଳରେ ଝାରପଡ଼ା ସ୍କୁଲ୍‌ଠାରୁ ଝାରପଡ଼ା ଜେଲ୍‌ ସମ୍ମୁଖ, ଲକ୍ଷ୍ମୀସାଗର ହାଇସ୍କୁଲ୍‌ ସମ୍ମୁଖରୁ ଲକ୍ଷ୍ମୀସାଗର ଟ୍ରାଫିକ୍‌ ଯାଏ, ଶତାଧିକ କ୍ଷୁଦ୍ର ବ୍ୟବସାୟୀ ଅସ୍ଥାୟୀ ଭାବେ ରାସ୍ତାକଡ଼ରେ ବ୍ୟବସାୟ କରୁଛନ୍ତି। କିଛି ବ୍ୟବସାୟୀ ପାଲ ଟାଙ୍ଗି ଦୋକାନ କରିଥିବା ବେଳେ କିଛି ଖୋଲା‌‌ମେଲାରେ ରାସ୍ତା ଉପରେ ବସୁଛନ୍ତି। ରାସ୍ତାର ଦୁଇକଡ଼ରେ ବ୍ୟବସାୟୀମାନେ ବସୁଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ୍‌ ଜାମ୍‌ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ‌କିଣାକିଣି ପାଇଁ ଆସୁଥିବା ଲୋକମାନେ ରାସ୍ତା ଉପରେ ଗାଡ଼ି ରଖୁଥିବାରୁ ଅବସ୍ଥା ଅସମ୍ଭାଳ ହୋଇପଡ଼ୁଛି। ଝାରପଡ଼ା ଜେଲ୍‌ରୁ କଏଦୀଙ୍କୁ ନେଉଥିବା ଗାଡ଼ି ମଧ୍ୟ ଏହି ଜାମ୍‌ରେ ଫସିବାର ଅନେକ ନଜିର ରହିଛି।

ଏଠାରେ ଫୁଲ ବ୍ୟବସାୟ କରୁଥିବା ସୀତା ମାଝୀଙ୍କ କହିବା ଅନୁସାରେ, ବର୍ଷେ କି ଦେଢ଼ ବର୍ଷ ତଳେ, କିଛି ଲୋକ ଆସି ନାଁ, ଠିକଣା ନେଇ ଯାଇଥିଲେ। ପୂର୍ବାଞ୍ଚଳ ଭାଷା କେନ୍ଦ୍ର ଆଗରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହେବ ଏବଂ ଆମକୁ ବ୍ୟବସାୟ କରିବାକୁ ଘର ମିଳିବ ବୋଲି କହିଥିଲେ। ହେଲେ ଆଜି ଯାଏ ଆମେ ଏମିତି ରାସ୍ତା କଡ଼ରେ ବ୍ୟବସାୟ କରୁଛୁ। ଝାରପଡ଼ା ଜେଲ୍‌ ଆଗରେ ପରିବା ବ୍ୟବସାୟ କରୁଥିବା ଜଗନ୍ନାଥ ବରାଳ କହିଛନ୍ତି, ସରକାର ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍‌ ନିର୍ମାଣ କରିବାକୁ ହାତ ଖୋଲି ଦେଉଛନ୍ତି। ହେଲେ ପରିବାର ପ୍ରତିପୋଷଣ କରିବାକୁ ବ‌ର୍ଷବର୍ଷ ଧରି ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ମୋ ଭଳି ଲୋକଙ୍କ ପାଇଁ ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା କରାଯାଉନାହିଁ। ପେଟ ପୋଷିବା ପାଇଁ ରାସ୍ତା କଡ଼ରେ ଦୋକାନ ଖୋଲିଲେ ସ୍ଥାନୀୟ ଲୋକଙ୍କ ଜୁଲୁମ୍‌ର ଶିକାର ହେବାକୁ ପଡ଼ୁଛି। ଯଦି କୌଣସିମତେ ବ୍ୟବସାୟ ହେଉଛି, ସେଥିରେ ବାରମ୍ବାର ସରକାରୀ ଉଚ୍ଛେଦ ଆମ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି। ହଜାର ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଏମିତି ବର୍ଷ ବର୍ଷ ଧରି ଅଭିଯୋଗ କଲେ ବି ଆମ ଭଳି ଗରିବଙ୍କ କଥା କିଏ ଶୁଣିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏନେଇ ବିଏମ୍‌ସିର ୱାର୍ଡ ଅଫିସର୍‌ ପ୍ରଫୁଲ୍ଲ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ଭେଣ୍ଡିଂ ଜୋନ୍‌ ସମ୍ପର୍କରେ କ’ଣ ନିଷ୍ପତ୍ତି ହୋଇଛି, କେଉଁଠି ଭେଣ୍ଡିଂ ଜୋନ୍‌ ହେବ, ସେ ବାବଦରେ ସେ କିଛି ଜାଣିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe