ଦ୍ବୈତ ନଗରୀରେ ହେବ ଜଙ୍ଗଲ ପାର୍କ

ପ୍ରଥମ ପର୍ଯ୍ୟାୟରେ ୬/୭ଟି ସ୍ଥାନ ଚିହ୍ନଟ ହେବ, କ୍ଷେତ୍ର ପରିଦର୍ଶନ କରିବ ବରିଷ୍ଠ ଅଧିକାରୀଙ୍କ ଯୁଗ୍ମ କମିଟି

ଦ୍ବୈତ ନଗରୀରେ ହେବ ଜଙ୍ଗଲ ପାର୍କ

ଭୁବନେଶ୍ବର: ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ଓ ଏହାର ପାଖାପାଖି ଅଞ୍ଚଳରେ ଥିବା ଜଙ୍ଗଲ-ପାର୍କଗୁଡ଼ିକର ବିକାଶ କରାଯିବ। ସ୍ଥାନୀୟ ପୌର ନିଗମ ଦ୍ବାରା ପାର୍କରେ ଚଲାପଥ, ବିଦ୍ୟୁତ୍‌ ଓ ପାନୀୟ ଜଳ ସଂଯୋଗ, ପରିଚ୍ଛନତା ଆଦି ବ୍ୟବସ୍ଥା ହେବ। ପାର୍କଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍‌ଡିସି) କରିବ। ଏଥିପାଇଁ ସିଏମ୍‌ସି, ବିଏମ୍‌ସି ଓ ଓଏଫ୍‌ଡିସି କ୍ଷେତ୍ରସ୍ତରୀୟ ସମନ୍ବିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଛନ୍ତି।

ଲୋକସେବା ଭବନରୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଶ୍ରୀ ମହାପାତ୍ର ଦ୍ବୈତ ନଗରୀ ଓ ଏହା ସଂଲଗ୍ନ ସ୍ଥାନଗୁଡ଼ିକରେ ବୃକ୍ଷରୋପଣ ମାଧ୍ୟମରେ ସୃଷ୍ଟି କରାଯାଇଥିବା ସବୁଜିମା ସ୍ଥାନର ପରିଧି ଓ ଘନତାର ସମୀକ୍ଷା କରିଥିଲେ। ଶ୍ରୀ ମହାପାତ୍ର କହିଲେ, ଅଧିକାଂଶ ସ୍ଥାନରେ ସବୁଜିମାର ଘନତା ବେଶ୍‌ ଭଲ ଭାବେ ବୃଦ୍ଧି ପାଇଥିବାରୁ ସେଠାରେ ଜଙ୍ଗଲ ପାର୍କ କରି ଜନସାଧାରଣଙ୍କ ପାଇଁ ଖୋଲାଯାଉ। ଜଙ୍ଗଲ ପାର୍କରେ ପ୍ରାତଃ ଭ୍ରମଣ, ଚିତ୍ତବିନୋଦନ, ପିଲାଙ୍କ ପାଇଁ ପ୍ରମୋଦ ବ୍ୟବସ୍ଥା, ଛୋଟ ଛୋଟ ବଣଭୋଜି ପିଣ୍ଡି ଆଦିର ସୁବିଧା କରିବା ଦିଗରେ ପଦକ୍ଷେପ ନିଆଯାଉ। ଏହା ମାଧ୍ୟମରେ ବିକଶିତ ସବୁଜିମା ଓ ବୃକ୍ଷରାଜି ପ୍ରତି ସହରବାସୀଙ୍କ ଆତ୍ମୀୟତା ବଢ଼ିବ। ସେଗୁଡ଼ିକର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବା ସହ ସ୍ଥାନଗୁଡ଼ିକ ଜବରଦଖଲ, କାଠ ଚୋରି ଆଦିରୁ ସୁରକ୍ଷିତ ରହିପାରିବ। ଭୁବନେଶ୍ବର ଜୟଦେବ ବାଟିକା ଓ ଏକାମ୍ରକାନନ ପରି ଜଙ୍ଗଲ ପାର୍କ ବେଶ୍‌ ଲୋକପ୍ରିୟ ହୋଇଛି। ନୂତନ ଜଙ୍ଗଲ ପାର୍କଗୁଡ଼ିକୁ ସ୍ବ-ପୋଷିତ ରାଜସ୍ବ ସଂଗ୍ରହ ଢାଞ୍ଚାରେ ପରିଚାଳିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

ଜଙ୍ଗଲ ପାର୍କକୁ ଯିବା ଆସିବା ପାଇଁ ମୋ ବସ୍‌ ରୁଟ୍‌ର ସମ୍ପ୍ରସାରଣ ସହ ବିଏମ୍‌ସି, ସିଏମ୍‌ସିର ୱେବସାଇଟ୍‌, ବସ୍‌ଷ୍ଟପ୍‌ରେ ସୂଚନାଫଳକ ଓ ସାମାଜିକ ଗଣମାଧ୍ୟମରେ ଏହି ସ୍ଥାନଗୁଡ଼ିକୁ ଲୋକପ୍ରିୟ କରିବା ପାଇଁ ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ପିସିସିଏଫ୍‌ ଶିଶିର ରଥ ଯୋଗଦେଇ କହିଲେ, ଭୁବନେଶ୍ବର ସହର ଓ ସଂଲଗ୍ନ ଅଞ୍ଚଳରେ ୫ଟି ସ୍ଥାନ ଯଥା ଏକାମ୍ର କାନନ, ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର, ସ୍ମୃତିବନ, ଏକାମ୍ର କାନନ ଓ ଜୟଦେବ ବାଟିକାରେ ଘଞ୍ଚ ସବୁଜିମା ସୃଷ୍ଟି କରାଯାଇଛି। ଏବେ ଷଷ୍ଠ ସ୍ଥାନ ଭାବେ ନଗର ବନକୁ ବିକଶିତ କରାଯାଉଛି। କଟକ ସହରରେ ନନ୍ଦନ ବନ ଓ ଆରୋଗ୍ୟ ବନ ସୃଷ୍ଟି ହୋଇଛି। ଆବଶ୍ୟକ ଭିତ୍ତିଭୂମି ସହ ଏହି ସ୍ଥାନଗୁଡ଼ିକୁ ସହରର ଜଙ୍ଗଲ ପାର୍କ ଭାବେ ବ୍ୟବହାର କରାଯାଇପାରିବ। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର ଯୋଗଦେଇ କହିଲେ, ଦ୍ବୈତନଗରୀର ବିଭିନ୍ନ ସ୍ଥାନ ଯଥା ବେଗାଛିଆ, କିସନନଗର, ଓଡ଼ାପଡ଼ା, ଅରିଲୋ, ବ୍ରଜବିହାରୀପୁର, କାମପୁର, ଭୁଆଶୁଣୀ ପୀଠ, ବଡ଼ଗାଁ ଆତୋଡ଼ା, ମହାନଦୀ ଓ କ‌ାଠଯୋଡ଼ି ନଦୀକୂଳ, କଟକ ସିଡିଏର ସେକ୍ଟର-୮, କୋରଡ଼ାକଣ୍ଟା, ମଧୁପୁର, ବାଲିଆପଦା, ଜଗତ୍‌ପୁର ଆତୋଡା ଓ ଉତ୍ତମପୁରରେ ଘଞ୍ଚ ସବୁଜିମା ସୃଷ୍ଟି କରାଯାଇଛି। ସହରାଞ୍ଚଳ ବୃକ୍ଷରୋପଣ, ଗ୍ରିନ୍‌ ମହାନଦୀ ମିସନ ଓ ଓଡ଼ିଶା ପ୍ରାକୃତିକ ପରିବେଶ ପରିଚାଳନା ଆଦି ଯୋଜନାରେ ଏହି ସବୁ ସ୍ଥାନରେ ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି ହୋଇଛି।

ବରିଷ୍ଠ ଅଧିକାରୀମାନଙ୍କ ଏକ ଯୁଗ୍ମ କମିଟି କ୍ଷେତ୍ର ପରିଦର୍ଶନ କରି ଜଙ୍ଗଲ ପାର୍କ ନିମନ୍ତେ ସ୍ଥାନ ଚିହ୍ନଟ କରିବା ପାଇଁ ବୈଠକରେ ସ୍ଥିର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଉଭୟ ସହର ପାଇଁ ୬ରୁ ୭ଟି ସ୍ଥାନ ନିରୂପଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍‌, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ବିଏମ୍‌ସି କିମସନର ଅନନ୍ୟା ଦାସ, ଓଏଫ୍‌ଡିସିର ପରିଚାଳନା ନିର୍ଦେଶକ ରାଜୀବ କୁମାର, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe