Biju Janata Dal Odisha (BJD) | Political Party In Odisha
ଭୁବନେଶ୍ବର: ଏଣିକି ରାଜ୍ୟର ପ୍ରତି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ‘କାଳିଆ ସେଣ୍ଟର’। କାଳିଆ ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଗୋ-ସୁଗମ, ସଫଲ, କୃଷକ ଓଡ଼ିଶା ଯୋଜନାର ଲାଭ ପାଇବା ନେଇ ଚାଷୀମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଉଥିଲେ ଏହା ଜରିଆରେ ସମାଧାନର ରାସ୍ତା ମିଳିବ ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏଥିପାଇଁ ଉପଯୁକ୍ତ ଗୃହର ବ୍ୟବସ୍ଥା କରିବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ। କାଳିଆ ସେଣ୍ଟର ପ୍ରତ୍ୟେକ ସରକାରୀ କାର୍ଯ୍ୟ ଦିବସରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ଏଠାରେ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ନିମନ୍ତେ ପ୍ରତି କେନ୍ଦ୍ରରେ ବୈଷୟିକ କର୍ମଚାରୀ ନିୟୋଜିତ ହେବେ।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିତିଦିନିଆ କାର୍ଯ୍ୟର ତଦାରଖ ନିମନ୍ତେ ଜଣେ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯିବ। କେନ୍ଦ୍ରକୁ ଆସୁଥିବା କୃଷକମାନଙ୍କର ସମସ୍ୟା ଓ ଏ ଦିଗରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଓ ପରାମର୍ଶ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ରେକର୍ଡ କରାଯିବ। ଚାଷୀମାନଙ୍କ ସଚେତନତା ନିମନ୍ତେ କେନ୍ଦ୍ରଗୁଡ଼ିକରେ କୃଷି ବିଭାଗର ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ସୂଚନାମାନ ପ୍ରଦର୍ଶିତ ହେବ। ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ପ୍ରତ୍ୟେକ ଫସଲ ଋତୁର ଚାଷ କାର୍ଯ୍ୟ ନିମନ୍ତେ ଆର୍ଥିକ ସହାୟତା ଯୋଗାଇବା ପାଇଁ ୨୦୧୮ ମସିହାରୁ କାଳିଆ ଯୋଜନା କାର୍ଯ୍ୟକାରୀ ହୋଇଛି। ଭୂମିହୀନ କୃଷି ପରିବାର ଓ ପ୍ରକୃତ ଭାଗଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି। କାଳିଆ ଯୋଜନା ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୩,୦୪,୮୭୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୭,୭୧,୭୫୬ଜଣ ଭୂମିହୀନ କୃଷି ପରିବାରଙ୍କୁ ସମୁଦାୟ ୧୧ ହଜାର ୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। କାଳିଆ ହିତାଧିକାରୀ ପରିବାରଙ୍କ ୧୬୨୪ ଜଣ ପିଲାଙ୍କୁ କାଳିଆ ଛାତ୍ରବୃତ୍ତି ବାବଦରେ ୩.୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
Follow Us