ତାଲିକାରେ ହେବନି ଆଖିଦୃଶିଆ ପରିବର୍ତ୍ତନ!

ଚିଠା ତାଲିକା ପ୍ରକାଶ ପରେ ଅଙ୍କ କଷା

ତାଲିକାରେ ହେବନି ଆଖିଦୃଶିଆ ପରିବର୍ତ୍ତନ!

The New Indian Express

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ରାଜ୍ୟ ସରକାରଙ୍କ ସହ ନେତାମାନେ ମଧ୍ୟ ଲାଗିପଡ଼ିଛନ୍ତି। ବିଏମ୍‌ସିରୁ ହସ୍ତଗତ ହୋଇଥିବା ତାଲିକା ଆଧାରରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଏମ୍‌ସି ୱାର୍ଡ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ସହ ଜନସାଧାରଣଙ୍କଠାରୁ ପ୍ରସ୍ତାବ ଓ ଅଭିଯୋଗ ଆହ୍ବାନ କରାଯାଇଛି। ମାତ୍ର ଏଥର ପ୍ରକାଶ ପାଇଥିବା ଚିଠା ତାଲିକାରେ ସେଭଳି ଆଖିଦୃଶିଆ ପରିବର୍ତନ ହେଉ ନ ଥିବା ଜଣାପଡ଼ିଛି।

ଡିସେମ୍ବର ୧୦ରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରଥମ ଚିଠା ତାଲିକା ପ୍ରକାଶ କରାଯିବା ସହ ଅଭିଯୋଗ ଓ ପ୍ରସ୍ତାବ ଆହ୍ବାନ କରାଯାଇଥିଲା।

ଲୋକମାନେ ଅଭିଯୋଗ କରିବା ସହ ପ୍ରସ୍ତାବ ମଧ୍ୟ ଦେଇଥିଲେ। ବେଶ୍‌ କିଛି ଦିନ ଧରି ଏହାକୁ ତର୍ଜମା ମଧ୍ୟ କରାଯାଇଥିଲା। ଠିକ୍‌ ଏତିକି ବେଳେ ଓବିସିଙ୍କ ପାଇଁ ସଂରକ୍ଷିତ ଆସନକୁ ବାତିଲ କରି ସାନି ଚିଠା ତାଲିକା ପ୍ରକାଶ ନିମନ୍ତେ ଆଦେଶ ହୋଇଥିଲା। ତାହାକୁ ଆଧାର କରି ସାନି ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ କେବଳ ଓବିସିଙ୍କ ପାଇଁ ସଂରକ୍ଷିତ ଆସନ ବଦଳି ନାହିଁ, ବରଂ ଆଉ କିଛି ଆସନ ସଂରକ୍ଷଣରେ ଏପାଖସେପାଖ କରାଯାଇଛି।

ପୂର୍ବ ତାଲିକା ଉପରେ ଆହୁତ ଅଭିଯୋଗ ଓ ପ୍ରସ୍ତାବକୁ ଭିତ୍ତି କରି ବିଏମ୍‌ସି କେତେକ ପରିବର୍ତ୍ତନ କରିଛି। ‌ତେଣୁ ଚୂଡ଼ାନ୍ତ ତାଲିକାରେ ଆଉ ସେଭଳି କିଛି ପରିବର୍ତ୍ତନ ହେବ ନାହିଁ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଥରେ ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ ହୋଇସାରିଥିବାରୁ ଏଥର ଆଉ ଅଧିକ ଅଭିଯୋଗ କିମ୍ବା ପ୍ରସ୍ତାବ ଆସିବା ସମ୍ଭାବନା କ୍ଷୀଣ।

୨୦୧୪ରେ ୩୪ ନମ୍ବର ୱାର୍ଡ ଆସନ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। ଡିସେମ୍ବର ୧୦ରେ ପ୍ରକାଶିତ ଚିଠା ତାଲିକାରେ ଏହା ଏସ୍‌ସିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏବେ ପ୍ରକାଶିତ ଚିଠା ତାଲିକାରେ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ୨୦୧୪ରେ ୩୯ ନମ୍ବର ୱାର୍ଡ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। ଡିସେମ୍ବରରେ ପ୍ରକାଶିତ ଚିଠା ତାଲିକାରେ ଅଣସଂରକ୍ଷିତ ହୋଇଥିବା ବେଳେ ଏବେ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

୨୦୧୪ରେ ୧୦ ନମ୍ବର ୱାର୍ଡ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଡିସେମ୍ବରରେ ପ୍ରକାଶିତ ତାଳିକାରେ ଏହାକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା। ଏବେ ସଦ୍ୟ ପ୍ରକାଶିତ ତାଲିକାରେ ଏହାକୁ ଅଣସଂରକ୍ଷିତ ରଖାଯାଇଛି। ଏହାକୁ ନେଇ ବିବାଦ ମଧ୍ୟ ଉଠିଛି। ସଂରକ୍ଷିତ ରଖିବାକୁ କିଛି ନେତା ଅଭିଯୋଗପତ୍ର ଦାଖଲ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe