ଭୁବନେଶ୍ବର: ନିୟମ ମାନୁନାହାନ୍ତି ଅମାନିଆ ଗାଡ଼ି ଚାଳକ। ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରସୁଲଗଡ଼-ବମିଖାଲ ମୁଖ୍ୟ ରାସ୍ତା ଏସ୍ପ୍ଲାନେଡ୍ ଛକରେ। ଏଠାରେ ବେଆଇନ୍ ଗାଡ଼ି ପାର୍କିଂ, ରଙ୍ଗ୍ ରୁଟ୍ରେ ଗାଡ଼ି ଚାଳନା, ରାସ୍ତା ଜବରଦଖଲକୁ ନେଇ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା। ‘ସମ୍ବାଦ’ରେ ଏନେଇ ଖବର ପ୍ରକାଶ ପାଇବା ପରେ କମିସନରେଟ୍ ପୁଲିସ ତତ୍ପରତା ଦେଖାଇଥିଲା। ଦୁଇ ସପ୍ତାହ ତଳେ ରସୁଲଗଡ଼ଠାରୁ ଏସ୍ପ୍ଲାନେଡ୍ ଛକ ମଧ୍ୟରେ ଥିବା ଦୁଇଟି କଟ୍କୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା। ଫଳରେ କିଛି ମାତ୍ରାରେ ଟ୍ରାଫିକ୍ ସମସ୍ୟା ସମାଧାନ ହୋଇ ପାରିଥିଲା। କିନ୍ତୁ ଏବେ ପୁଣି ବ୍ୟାରିକେଡ୍କୁ ଆଡେଇ ଗାଡ଼ି ଯାତାୟତ କରୁଛି ଏବଂ ଶିଳ୍ପାଞ୍ଚଳ ପ୍ରବେଶ ପଥରେ ବେଆଇନ୍ ଭାବେ ଗାଡ଼ି ପାର୍କିଂ କରାଯାଉଛି। ଯାହା ଫଳରେ ପୁଣି ଟ୍ରାଫିକ୍ ସମସ୍ୟା ଦେଖା ଦେଉଛି।
ଆଜି ସନ୍ଧ୍ୟାରେ ବ୍ୟାରିକେଡ୍କୁ ହଟେଇ କିଛି ଗାଡ଼ି ଚାଳକ ଯାତାୟାତ କରିଥିଲେ ଏବଂ ଶିଳ୍ପାଞ୍ଚଳ ପ୍ରବେଶ ପଥରେ ଗାଡ଼ି ପାର୍କିଂ କରିଥିଲେ। ଯାହା ଫଳରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା। ଏହାପରେ ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲେ। ଏନେଇ ଆର୍ଆଣ୍ଡବି ଏସ୍ଡିଓ ଅକ୍ଷୟ ମହାନ୍ତି କହିଛନ୍ତି ରସୁଲଗଡ଼ଠାରୁ ବମିଖାଲ ଭିତରେ ଥିବା ଦୁଇଟି କଟ୍ରେ ଅସ୍ଥାୟୀ ବ୍ୟାରିକେଡ୍ କରାଯାଇଛି। ବର୍ତ୍ତମାନ ସର୍ଭେ କରାଯାଉଛି। କିଛି ଦିନ ପରେ ଦୁଇଟି କଟ୍ରେ ସ୍ଥାୟୀ ଭାବେ କଂକ୍ରିଟ୍ର ବ୍ୟାରିକେଡ୍ କରାଯିବ। ଯଦି ଟ୍ରାଫିକ୍ ସମସ୍ୟାର ସମାଧାନ ନହୁଏ ତେବେ, ଦୁଇ ପାଖ ରାସ୍ତା ପ୍ରଶସ୍ଥ କରାଯିବ ବୋଲି କହିଛନ୍ତି।
ଅମାନିଆଙ୍କୁ ଜରିମାନା
ଆଜି ଶିଳ୍ପାଞ୍ଚଳ ପ୍ରବେଶ ପଥରେ ବେଆଇନ ଭାବେ ଗାଡ଼ି ପାର୍କ କରିଥିବା ଚାଳକଙ୍କୁ ଜରିମାନା କରାଯାଇଛି। ମୋଟ ୮ଟି କାର୍କୁ ୫୦୦ ଟଙ୍କା ଲେଖାଏ ଜରିମାନା କରାଯାଇଛି। ଆଜିଠାରୁ ପ୍ରତ୍ୟେକ ଦିନ ରଙ୍ଗ୍ ରୁଟ୍ ଓ ବେଆଇନ ପାର୍କିଂ କରିଥିବା ଗାଡ଼ିଠାରୁ ଜରିମାନା ଆଦାୟ କରାଯିବ। ଆବଶ୍ୟକ ପଡ଼ିଲେ କ୍ରେନ୍ ଯୋଗେ ଗାଡ଼ି ଉଠାଇ ନିଆଯିବ ବୋଲି ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା ସୂଚନା ଦେଇଛନ୍ତି।
Follow Us