ଏମିତି ଆମ କମିସନରେଟ ପୁଲିସ: ଗାଡ଼ି ଜବତ କରିବା ନିୟମ, କେଉଁଠି କେମିତି

Advertisment
ଏମିତି ଆମ କମିସନରେଟ ପୁଲିସ: ଗାଡ଼ି ଜବତ କରିବା ନିୟମ, କେଉଁଠି କେମିତି

ଭୁବନେଶ୍ବର: ଗାଡ଼ି ଜବତ କରିବା ଓ ଚାଳକକୁ ଗିରଫ କରିବା ପାଇଁ ନୂଆ ମୋଟର ଯାନ ଆଇନ ଅଧୀନରେ ପୁଲିସ ଅଫିସରମାନଙ୍କୁ ବିଭିନ୍ନ କ୍ଷମତା ଦିଆଯାଇଛି। ଗତକାଲି କମିସନେରଟ ପୁଲିସ ପକ୍ଷରୁ ଏ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା, ଜବତ କରିବା ଅର୍ଥ ହେଲା ସଂପୂର୍ଣ୍ଣ ଭାବେ ଗାଡ଼ିଟିକୁ ନିଜ ନିୟନ୍ତ୍ରଣ ବା ଦଖଲକୁ ନେବା। ଗାଡ଼ି ଜବତର ଅର୍ଥ ହେଲା ଗାଡିର ସମସ୍ତ ଯନ୍ତ୍ରପାତି, ସାଜ ସରଂଜାମ, ଚାବି ଇତ୍ୟାଦି ନିୟନ୍ତ୍ରଣ ବା ଦଖଲକୁ ନେବା। ସେହିପରି ଗିରଫ କରିବା ଅର୍ଥ ହେଲା, ଆଇନ ଦ୍ବାରା ଅଧିକୃତ କୌଣସି ଅଧିକାରୀ ଜଣେ ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ଅଟକ ରଖିବା। ଜବତ ଓ ଗିରଫ ସଂକ୍ରାନ୍ତରେ ପୁଲିସ ଅଫିସରମାନଙ୍କ କ୍ଷମତା ସମ୍ପର୍କରେ କମିସନରେଟ୍‌ ପୁଲିସ ପକ୍ଷରୁ ୬ ପ୍ରକାରର ନିୟମ ସମ୍ପର୍କରେ ଜନ ସାଧାରଣ ଓ ଗଣମାଧ୍ୟମକୁ ଅବଗତ କରାଯାଇଥିଲା। ଏହି ୬ଟି ନିୟମ ମଧ୍ୟରୁ ଗୋଟିଏ ନିୟମ ଥିଲା, କୌଣସି ଗାଡ଼ି ସର୍ବସାଧାରଣଙ୍କ ସ୍ଥାନରେ ଛିଡ଼ା ହୋଇଥିଲେ ବା କେହି ଛାଡ଼ି ଯାଇଥିଲେ ମୋଟର ଯାନ ଆଇନର ଧାରା ୧୨୬ ଓ ୧୨୭ ବଳରେ ତାକୁ ଭିଡ଼ା ଯାଇ ଅନ୍ୟତ୍ର ନିଆଯାଇ ପାରିବ। କିନ୍ତୁ କମିସନରେଟ୍‌ ପୁଲିସର ଏହି ନିୟମ କେଉଁଠି କେମିତି, ତାକୁ ନେଇ ଏବେ ଦ୍ବନ୍ଦ୍ବ। କାରଣ ରାଜଧାନୀର ଏମିତି କେତେକ ସ୍ଥାନ ଅଛି, ଯେଉଁଠି ବର୍ଷ ବର୍ଷ ଧରି ଭାରୀଯାନ ବେଆଇନ ଭାବେ ପାର୍କିଂ ହେଉଛି। କିନ୍ତୁ ଏହା ଉପରେ କମିସନେରଟ ପୁଲିସର ନଜର ପଡ଼ୁନାହିଁ। ଆସନ୍ତୁ ଜାଣିବା କମିସନେରଟ ପୁଲିସର ଏହି ନିୟମକୁ କେମିତି ଭାରୀଯାନ ଚାଳକମାନେ ଫାଙ୍କି ଚାଲିଛନ୍ତି।publive-image

ଲକ୍ଷ୍ମୀସାଗର ଛକରୁ ରସୁଲଗଡ଼ ଛକ; ଏଇ ଦେଢ଼ କିଲୋମିଟର ଭିତରେ ପଡ଼ିବ ତିନିଟି ଫ୍ଲାଏ ଓଭର୍। ଉଦ୍ଦେଶ୍ୟ ହେଉଛି କଟକ ରୋଡ୍‌ ପରି ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଭିଡ଼ ନିୟନ୍ତ୍ରଣ କରିବା ଦିଗରେ ଏହି ତିନିଟି ଫ୍ଲାଏ ଓଭର୍ ବେଶ୍‌ ଉପାଦେୟ ହେବ। କିନ୍ତୁ ବିଏମ୍‌ସି ଓ ପୁଲିସ୍‌ର ଖାମଖିଆଲ ମନୋଭାବ ଯୋଗୁଁ ତିନିଟି ଯାକ ଫ୍ଲାଏ ଓଭର୍‌ର ତଳ ଏବେ ଅଘୋଷିତ ଗ୍ୟାରେଜ୍ ହେବା ସହ ବେଆଇନ ପାର୍କିଂସ୍ଥଳ ପାଲଟିଛି। ଗୋଟିଏ ପଟେ କଟକ ରୋଡ୍‌ରେ ଏହା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି ତ, ଅନ୍ୟ ପଟେ ସହରକୁ ବିକୃତ କରୁଛି। ରସୁଲଗଡ଼ ଓ ଲକ୍ଷ୍ମୀସାଗର ଫ୍ଲାଏଓଭର୍ ତଳେ ଅବସ୍ଥା ସାଂଘାତିକ ହୋଇଯାଇଛି। ରସୁଲଗଡ଼ ଫ୍ଲାଏଓଭର୍‌ ତଳେ ଟ୍ରକ୍‌ ଚାଳକମା‌ନେ ବେଧଡ଼କ ଭାବେ ପ୍ରତିଦିନ ଟ୍ରକ ପାର୍କିଂ କରି ଚାଲିଛନ୍ତି। ସେହିଭଳି ଲକ୍ଷ୍ମୀସାଗର ଫ୍ଲାଏ ଓଭର୍ ତଳ ଅବସ୍ଥା ଆହୁରି ଶୋଚନୀୟ। ଏଠାରେ ବହୁ ସଂଖ୍ୟାରେ ପୁରୁଣା ଭଙ୍ଗା ଗାଡ଼ି ଓ ଭଙ୍ଗା କେବିନ୍‌ ସବୁ ପଡ଼ି ରହିଛି। ଯେତିକି ଜାଗା ଖାଲି ଅଛି, ସେଠାରେ ଟ୍ରକ୍ ପାର୍କିଂ ହେଉଛି। ଭଙ୍ଗା ଗାଡ଼ି ଏଠାରେ ବର୍ଷ ବର୍ଷ ଧରି ପଡ଼ି ରହିଛି।

ନୂଆ କରି ନିର୍ମାଣ ହୋଇଥିବା ବମିଖାଲ ଫ୍ଲାଏଓଭର୍ ତଳ ବି ପାର୍କିଂ ସ୍ଥଳ ପାଲଟି ଗଲାଣି। ଏହି ଫ୍ଲାଏଓଭର୍ ତଳ କାନ୍ଥ ସୁନ୍ଦର ଭାବେ ରଙ୍ଗ ଦିଆଯିବା ସହ ଅତ୍ୟାଧୁନିକ ଟାଇଲ୍‌ସ୍‌ ଲଗାଇ ଏହାର ଫୁଟ୍‌ଫାଥ୍‌ ନିର୍ମାଣ କରାଯାଇଥିଲା। ଆରମ୍ଭରୁ ଏହି ରାସ୍ତା ବହୁ ଚଉଡ଼ା ହେବା ସହ ପଥଚାରୀ ଓ ଗାଡ଼ି ଚାଳକ ସୁବିଧାରେ ଯା’ ଆସ କରୁଥିଲେ। କିନ୍ତୁ ଏବେ ଦିନତମାମ ଶତାଧିକ ମୋଟର୍ ସାଇକେଲ୍‌ ଓ କାର୍ ସେଠାରେ ପାର୍କିଂ ହେଉଛି। ତେବେ ଆହୁରି ଗୁରୁତର ବିଷୟ ହେଉଛି, ଦୁଇ ତିନିଟି ଭଙ୍ଗା ଦଦରା ଗାଡ଼ି ବି ଦୀର୍ଘ ଦିନ ଧରି ସେଠାରେ ରଖାଯାଇଛି। ଯଦି ଏବେଠାରୁ ଏହି ସମସ୍ୟାକୁ ନିୟନ୍ତ୍ରଣ କରା ନ ଯାଏ, ତେବେ ଆଗକୁ ଏଠାରେ ବି ଲକ୍ଷ୍ମୀସାଗର ଓ ରସୁଲଗଡ଼ ଫ୍ଲାଏଓଭର୍‌ ଭଳି ସ୍ଥିତି ଉପୁଜିବ। ସେହିପରି ଷ୍ଟିୱାର୍ଟ ସ୍କୁଲରୁ ସିଆର୍‌ପି ଛକ ରାସ୍ତାର ଦୁଇ କଡ଼ର ଭେଣ୍ଡିଂ ଜୋନ୍‌ ଆଗରେ ରାସ୍ତା ଉପରେ ଦୈନିକ ଶହ ଶହ ବାଇକ୍‌ ଓ କାର୍‌ ରହୁଛି। ଫଳରେ ସଂଧ୍ୟା ବେଳେ ନାହିଁ ନଥିବା ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe