ଏଥର ଘରେ ‘ଜିରୋ ନାଇଟ୍‌’; ହୋଟେଲ୍‌, କ୍ଲବ୍‌ରେ ପାଳନ ଉପରେ ରୋକ୍‌ ଲଗାଇଲା ବିଏମ୍‌ସି

Advertisment

ପୁଲିସ୍‌ କରିବ ସରପ୍ରାଇଜ୍ ଚେକିଂ

ପୁଲିସ୍‌ କରିବ ସରପ୍ରାଇଜ୍ ଚେକିଂ

ରସୁଲଗଡ଼ ଗୁଞ୍ଜନ ଆପାର୍ଟମେଣ୍ଟ ବ୍ଲକ-ବିକୁ ଅବରୋଧ ଅଂଚଳ ଘୋଷଣା କଲା ବିଏମସି

Telegraph India

ଭୁବନେଶ୍ବର : ଏଥର ରାଜଧାନୀରେ ରଙ୍ଗାରଙ୍ଗ ଜିରୋନାଇଟ୍‌ ସେଲିବ୍ରେସନ୍ ହେବନି। ବ୍ରାଜିଲ୍‌ର ବେଲି ଡ୍ୟାନ୍ସ ହେବନି କି ସାଲ୍‌ସାର ତାଳତାଳେ କେହି ନାଚି‌ବେନି। ଇଣ୍ଡିଆନ୍‌ ଆଇଡଲ୍‌ ଫେମ୍‌, ସାରେଗାମା ଫେମ୍‌ଙ୍କ ଗୀତରେ ପୁରୁଣା ବର୍ଷକୁ ବିଦାୟ ଦେଇ ହେବନି। ସାଙ୍ଗସାଥୀଙ୍କ ସହ କ୍ଲବ୍‌ରେ ଏକାଠି ହୋଇ ପାର୍ଟି ବି କରିହେବନି। କେବଳ ଯାହା ହେବ ନିଜ ଘରେ। ରାଜଧାନୀବାସୀ ଏଥର ଘରେ ଜିରୋନାଇଟ୍‌ ସେଲିବ୍ରେସନ୍ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

କରୋନା କଟକଣା ପାଇଁ ରାଜଧାନୀର ବିଭିନ୍ନ ଧର୍ମାନୁଷ୍ଠାନରେ ହେଉଥିବା ପର୍ବପର୍ବାଣୀ ଉପରେ ରୋକ୍‌ ଲାଗିଥିବା ବେଳେ ଏବେ ହୋଟେଲ, କ୍ଲବ୍‌, କନଭେନସନ୍ ସେଣ୍ଟର, କଲ୍ୟାଣମଣ୍ଡପ ଆଦିରେ ଜିରୋ ନାଇଟ୍ ପାଳନ ଉପରେ ରୋକ୍‌ ଲାଗିଛି।

ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ଜିରୋ ନାଇଟ୍‌ ପାଳନ ପାଇଁ କେଉଁଠି ବି ଜନଗହଳି ହୋଇପାରିବନି। ଲୋକମାନେ ନିଜ ଘରେ, ପ୍ରତିଷ୍ଠାନ ପରିସରରେ ପରିବାରଲୋକ, ସାଙ୍ଗସାଥୀ, ସମ୍ପର୍କୀୟଙ୍କୁ ନେଇ ନୂଆବର୍ଷ ପାଳନ କରିପାରିବେ। କିନ୍ତୁ ସମସ୍ତଙ୍କୁ କରୋନା କଟକଣା ମାନିବାକୁ ହେବ।

ଯଦି କେହି ନିୟମ ଉଲ୍ଲଂଘନ କରନ୍ତି,‌ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ହୋଟେଲ, କ୍ଲବ୍‌, ମଣ୍ଡପ ଆଦିରେ ଜିରୋନାଇଟ୍‌ ସେଲିବ୍ରେସନ୍ ହେଉଥିଲେ, ସେଗୁଡ଼ିକୁ ସିଲ୍‌ କରାଯିବା ସହ ଆୟୋଜକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଡିସେମ୍ବର ୩୧ରେ ଯେପରି କେହି କୋଭିଡ୍‌ ନିୟମ ଉଲ୍ଲଂଘନ ନ କରନ୍ତି,‌ ତାହା ଉପରେ ନଜର ରଖିବା ସହ କଡ଼ାକଡ଼ି ଚେକିଂ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଏମ୍‌ସି ଓ ବିଡିଏର ଉଚ୍ଛେଦ ଦାୟିତ୍ବରେ ଥିବା ଦୁଇ ଅତିରିକ୍ତ କମିସନର, ସମସ୍ତ ଜୋନାଲ ଡେପୁଟି କମିସନର, ଭୁବନେଶ୍ବର ଡିସିପି, ଏସ୍‌ଆର୍‌ସି, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବଙ୍କୁ ଏହି ଚିଠିର ନକଲ ଦିଆଯାଇଛି।

publive-image The News Room

ଅପରପକ୍ଷେ କରୋନା କଟକଣା ପାଇଁ ବର୍ଷଯାକ ପାର୍ଟି, ଉତ୍ସବ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇପାରି ନଥିବା ରାଜଧାନୀବାସୀ ନୂଆବର୍ଷକୁ ଭିନ୍ନ ଢଙ୍ଗରେ ପାଳିବାକୁ ଯୋଜନା କରିଥିଲେ। ହୋଟେଲ, କ୍ଲବ୍‌, ପବ୍‌ ଆଦିରେ ଜିରୋ ନାଇଟ୍‌ ସେଲିବ୍ରେସନ୍ ପାର୍ଟି କରିବାକୁ ବୁକିଂ ବି ସରିଥିଲା। ଡିଜେ ତାଳେତାଳେ ନାଚ ହୋଇଥା’ନ୍ତା। କିନ୍ତୁ ବିଏମ୍‌ସିର ନିର୍ଦ୍ଦେଶନାମା ସବୁ ଯୋଜନା ଭଣ୍ଡୁର କରିଦେଲା। ଏବେ ଘରେ, ଫାର୍ମ ହାଉସ୍‌ରେ କିପରି ପାର୍ଟି ଜମିବ, ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ପୁଲିସ୍‌ କରିବ ସରପ୍ରାଇଜ୍ ଚେକିଂ
ଭୁବନେଶ୍ବର : ଜିରୋ ନାଇଟ୍‌ ସେଲିବ୍ରେସନ୍ ଉପରେ ବିଏମ୍‌ସି ରୋକ୍‌ ଲଗାଇଥିଲେ ହେଁ ଏହାକୁ ରାଜଧାନୀବାସୀ, ହୋଟେଲ କର୍ତ୍ତୃପକ୍ଷ ମାନୁଛନ୍ତି କି ନାହିଁ, ତାହା ଯାଞ୍ଚ କରିବ କମିସନରେଟ୍‌ ପୁଲିସ। କୋଭିଡ୍‌ କଟକଣା ଉଲ୍ଲଂଘନ କରି ଯେପରି କେହି କୌଣସି ପ୍ରକାରର ସାମାଜିକ କି ସାଂସ୍କୃତିକ କାର୍ଯ୍ୟକ୍ରମ କରିବେନି, ତାହା ଯାଞ୍ଚ କରିବାକୁ ଭୁବନେଶ୍ବରରେ ପ୍ରାୟ ୨୦ ପ୍ଲାଟୁନ୍ ‌ପୁଲିସ ମୁତୟନ ହେବେ। ଜିରୋନାଇଟ୍‌ ଓ ନୂଆବର୍ଷକୁ ନଜରରେ ରଖି କମିସନ‌େରଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ କଡ଼ାକଡ଼ି ଚେକିଂ କରାଯିବ।

ବିଭିନ୍ନ ହୋଟେଲ ଓ କ୍ଲବ୍‌ଗୁଡ଼ିକରେ ସରପ୍ରାଇଜ୍‌ ଚେକିଂ କରାଯିବ। ହୋଟେଲକୁ ଏକସଙ୍ଗେ ଅଧିକ ଲୋକ ଯାଉଥିଲେ କି ବାହାରୁଥିଲେ, ନିଶ୍ଚିତ ଚେକିଂ ହେବ। ପିସିଆର୍‌ ଭ୍ୟାନ୍‌ ଗଳିକନ୍ଦିରେ ବୁଲିବ। ରାସ୍ତା ଉପରେ ଯେପରି କେହି ଏକାଠି ହେବେନି କି କୌଣସି ପ୍ରକାରର କାର୍ଯ୍ୟକ୍ରମ କରିବେନି, ତାହା ଉପରେ ପ୍ରତ୍ୟେକ ଥାନାର ଥାନାଧିକାରୀ ନଜର ରଖିବେ। ରାଜ୍ୟ ବାହାରୁ ଆସିଥିବା ଗାଡ଼ି ଉପରେ ସ୍ବତନ୍ତ୍ର ନଜର ରହିବ। ବିଭିନ୍ନ ଛକରେ ଚେକିଂ ଜୋରଦାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe