କରୋନା ସାଜିଲା ପ୍ରତିବନ୍ଧକ: ଇଦ୍‌ ନମାଜ ଏଥର ଘରେ

Advertisment
କରୋନା  ସାଜିଲା ପ୍ରତିବନ୍ଧକ:  ଇଦ୍‌ ନମାଜ ଏଥର ଘରେ

ଭୁବନେଶ୍ବର: ମସ୍‌ଜିଦ୍‌ ପରିସରରେ ‘ଇଦ୍‌ ମୁବାରକ୍‌’ର ଗୁଞ୍ଜରଣ ଶୁଣିବାକୁ ମିଳିବନି। ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ଶୁଭେଚ୍ଛା ଚଳିତ ବର୍ଷ କିଏ କାହାକୁ ଜଣାଇବେ ନାହିଁ। ମସ୍‌ଜିଦ୍‌ ବାହାରେ ଅସହାୟ ଓ ଦୁଃଖୀରଙ୍କିମାନଙ୍କର ଲମ୍ବା ଲାଇନ୍‌ ବି ଲାଗିବନି। ଚଳିତ ବର୍ଷ ଇଦ୍‌ରେ ମସ୍‌ଜିଦ୍‌ କିମ୍ବା ସହର ମୁସଲ୍‌ମାନ୍‌ ଭାଇମାନଙ୍କ ଭିଡ଼ରେ ଆଉ ଚଳଚଞ୍ଚଳ ହେଉଥିବାର ଦେଖିବାକୁ ମିଳିବ ନାହିଁ। କରୋନା କଟକଣା ଯୋଗୁଁ ଏଥର ରମଜାନ ଭଳି ଇଦ୍ ପର୍ବ ମଧ୍ୟ ଫିକା ପଡ଼ିଯିବ। ଇଦ୍ ଉତ୍ସବକୁ ନେଇ ବିଶେଷକରି ପିଲାମାନଙ୍କ ମଧ୍ୟରେ ଯେଉଁ ଉତ୍ସାହ ରହିଥାଏ, ସେଥିରେ କରୋନା ପ୍ରତିବନ୍ଧକ ସାଜିଲା। ନୂଆ ପୋଷାକ ପାଇଁ ଉତ୍ସାହ ବି ନାହିଁ। ଦୋକାନ ବଜାର ଖାଁ ଖାଁ।

ଇସଲାମିକ୍‌ ପରମ୍ପରା ଅନୁଯାୟୀ ରମ୍‌ଜାନ୍‌ ମାସ ଶେଷରେ ଚାନ୍ଦ ‌େଦଖି ପାଳିତ ହୁଏ ‘ଇଦ୍‌’। ଏହି ଦିନ ମୁସଲମାନ ଭାଇଭଉଣୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୁଏ। ସକାଳୁ ନୂଆ ପୋଷାକ ପିନ୍ଧି କିଛି ମିଠା ଖାଇ ମସ୍‌ଜିଦ୍‌ ବାହାରି ଯାଆନ୍ତି। ସକାଳ ପ୍ରାୟ ୮ଟା ସୁଦ୍ଧା ସହରର ସମସ୍ତ ମସ୍‌ଜିଦ୍‌ ଲୋକାରଣ୍ୟ ହୋଇପଡ଼େ। ପ୍ରତିବର୍ଷ ଇଦ୍‌ରେ ରାଜଧାନୀର ବିଭିନ୍ନ ମସ୍‌ଜିଦ୍‌ ଓ ଇଦ୍‌ଗାହରେ ସମୂହ ନମାଜ ପାଠ କରାଯାଏ। ସହରର ୟୁନିଟ୍‌-୩ ଜାମା ମସ୍‌ଜିଦ୍‌, ୟୁନିଟ୍‌-୪ କ୍ୟାପିଟାଲ ମସ୍‌ଜିଦ୍‌, ଝାରପଡ଼ା, ସୁନ୍ଦରପଦା, ଝରଣା ସାହି, ଯଦୁପୁର, ୟୁନିଟ୍‌-୮, ସତ୍ୟନଗର, ଶିଖରଚଣ୍ଡୀ, ବାଲିଅନ୍ତା, କଟକ ରୋଡ୍‌ ଓ ସିଆର୍‌ପିଏଫ୍‌ ବାଟାଲିଅନ୍‌ରେ ଥିବା ବିଭିନ୍ନ ମସ୍‌ଜିଦ୍‌ ଓ ଇଦ୍‌ଗାହଗୁଡ଼ିକ ଏହି ଦିନ ଚଳଚଞ୍ଚଳ ହୋଇପଡ଼େ। କିନ୍ତୁ ଚଳିତ ବର୍ଷ ଏସବୁ କିଛି ହେବ ନାହିଁ। ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ବିଭିନ୍ନ ନିୟମ କୋହଳ ହୋଇଥିଲେ ମଧ୍ୟ ଧର୍ମାନୁଷ୍ଠାନ ବନ୍ଦ ରହିବାର ନିୟମ ବଳବତ୍ତର ରହିଛି। ଏଣୁ ଇଦ୍‌ ଦିନ ମସ୍‌ଜିଦ୍‌ ସର୍ବସାଧାରଣଙ୍କ ପାଇଁ ଖୋଲିବ ନାହିଁ। ଏନେଇ ମୁସଲ୍‌ମାନ ସମ୍ପ୍ରଦାୟ ଟିକେ ଉଦାସ ହୋଇଥିଲେ ମଧ୍ୟ କରୋନା ଯୁଦ୍ଧରେ ସରକାରଙ୍କ ଏହି ନିୟମକୁ ମାନି ସହଯୋଗର ହାତ ବଢ଼ାଇଛନ୍ତି।

publive-image

ୟୁନିଟ୍‌-୩ ଜାମା ମସ୍‌ଜିଦ୍‌ର ସଭାପତି ମହମ୍ମଦ ଶାହନୱାଜ କହିଛନ୍ତି, ପ୍ରତି ବର୍ଷ ଇଦ୍‌କୁ ମୁସଲ୍‌ମାନ ସମ୍ପ୍ରଦାୟ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରନ୍ତି। କିନ୍ତୁ ବିଶ୍ବ ମହାମାରୀ କରୋନା ଚଳିତ ବର୍ଷ ଏଥିରେ ବିରାମ ଲଗାଇଛି। ଚଳିତ ବର୍ଷ ସମସ୍ତେ ନିଜ ନିଜ ଘରେ ନମାଜ ପାଠ କରି ଇଦ୍‌ ମନାଇବେ। ସାମାଜିକ ଦୂରତାକୁ ବଜାୟ ରଖି ଏଥର ପରସ୍ପରକୁ ଆଲିଙ୍ଗନ କରିବାରୁ ବାରଣ କରାଯାଇଛି। ଏଥିସହ ମସ୍‌ଜିଦ୍‌କୁ ୧୦/୧୫ ମିନିଟ୍‌ ପାଇଁ ଯିବାକୁ ଅନୁମତି ଦେବାକୁ କିଛି ମୁସଲ୍‌ମାନ୍‌ ଭାଇ ଏକ ପତ୍ର ସରକାରଙ୍କୁ ପଠାଇଥିଲେ ମଧ୍ୟ ଏନେଇ ଅନୁମତି ମିଳିନାହିଁ ବୋଲି ଆମେ ଜାଣିଛୁ। ଏଣୁ ସମସ୍ତେ ସୁରକ୍ଷିତ ଭାବେ ଘରେ ନମାଜ ପଢ଼ି ଏହାକୁ ପାଳନ କରିବାକୁ ପରାମର୍ଶ ଦେଇଛୁ। ରମ୍‌ଜାନ୍‌ ମାସରେ ଦାନ ଧର୍ମ କଲେ ଦାନର ୭୦ ଗୁଣ ଅଧିକ ଫଳ ମିଳିବାର ବିଶ୍ବାସ ରହିଛି। ଏଣୁ ଏ ମାସରେ ସମସ୍ତେ ଦୁଃଖୀରଙ୍କିଙ୍କ ସେବା କରନ୍ତି। ଦାନ ଧର୍ମ କରନ୍ତି। କିନ୍ତୁ ଚଳିତ ବର୍ଷ ପରିସ୍ଥିତି ଖରାପ ଥିବାରୁ ଇଦ୍‌ ପରେ ମଧ୍ୟ ସମାଜସେବା ଜାରି ରହିବ ବୋଲି ଶାହନୱାଜ କହିଛନ୍ତି।

ୟୁନିଟ୍‌-୪ କ୍ୟାପିଟାଲ ମସ୍‌ଜିଦ୍‌ର ସଭାପତି ସକିଲୁର୍‌ ରେହମାନ୍‌ କହିଛନ୍ତି ଯେ ଚଳିତ ବର୍ଷ ଇଦ୍‌ ନମାଜ୍‌ ଘରେ କେମିତି ପାଠ କରିହେବ, ସେନେଇ ଆମେ ଆମ ଦେଓବନ୍ଦ ଓ ବରେଲୱିର ମୌଲାନାମାନଙ୍କ ଫତ୍‌ୱା ନେଇଛୁ। ସେମାନେ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଘରେ ହିଁ ଇଦ୍‌ ନମାଜ୍‌ ପାଠ କରାଯିବ। ଏଥିସହ ମୌଲାନାମାନେ ଫୋନ୍‌ ଓ ଇଣ୍ଟରନେଟ୍‌ ଜରିଆରେ ସମସ୍ତଙ୍କୁ ଏନେଇ ସତର୍କ କରାଇଛନ୍ତି। ଚଳିତ ଇଦ୍‌ରେ ନୂଆ ପୋଷାକ ନ ପିନ୍ଧି, ଘରେ ଅତି ସାଧାରଣ ଖାଇବା କରି ଆମେ ନିରାଡ଼ମ୍ବର ଇଦ୍‌ ପାଳନ କରିବୁ। କାରଣ ଦେଶର ଏଭଳି ସଙ୍କଟ ସମୟରେ, କିଛି ଲୋକ ଖାଇବାକୁ ପାଉ ନ ଥିବା ସମୟରେ ଜାକଜମକରେ ଇଦ୍‌ ପାଳନ ମାନବିକତାର ହତ୍ୟା ସଦୃଶ ହେବ ବୋଲି ସେ କହିଛନ୍ତି।

ମଞ୍ଚେଶ୍ବର ମସଜିଦର ଇମାମ୍ ମୁଫତି ମହମ୍ମଦ ଜମାଲ କାସମୀ ସାହେବ ମଧ୍ୟ ଅନୁରୂପ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଲକ୍‌ଡାଉନ୍ ଯୋଗୁଁ ଜୁମ୍ମା ନମାଜ ଯେପରି ପାଠ କରାଯାଉଥିଲା, ଇଦ୍ ନମାଜ୍ ମଧ୍ୟ ସେହିଭଳି ପାଠ କରାଯିବ। ଲୋକମାନେ ନିଜ ନିଜ ଘରେ ଏଭଳି ନମାଜ ପଢ଼ି ପାରିବେ। ତେବେ କେମିତି ପାଠ କରିବେ, ସେଥିଲାଗି ସେମାନେ ମୌଲାନାମାନଙ୍କଠାରୁ ପରାମର୍ଶ ନେବା ଉଚିତ ହେବ। କରୋନା ଭଳି ସଙ୍କଟ ସମୟରେ ଲୋକମାନେ ନୂଆ ପୋଷାକ କିଣିବା ପରିବ‌ର୍ତେ ଗରିବ ଏବଂ ଅସହାୟ ଲୋକମାନଙ୍କୁ ସହାୟତା କରିବା‌ରେ ଗୁରୁତ୍ବ ଦିଅନ୍ତୁ। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଲକ୍‌ଡାଉନ୍‌ ସମୟରେ ସରକାରଙ୍କ ଗାଇଡଲାଇନ୍ସର ସଂପୂର୍ଣ୍ଣ ପାଳନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe