କେବଳ ବିଧିରେ ଆସିବେ ବିଘ୍ନରାଜ

କେବଳ ବିଧିରେ ଆସିବେ ବିଘ୍ନରାଜ

ଭୁବନେଶ୍ବର: ଚଳିତ ବର୍ଷ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ସମସ୍ତ ଧର୍ମୀୟ ସମାବେଶ ଉପରେ କଟକଣା ଲାଗୁ ହୋଇଛି। ତେଣୁ ଚଳିତ ବର୍ଷ କଟକ-ଭୁବନେଶ୍ବର ଟ୍ବିନ୍‌ ସିଟିରେ କୌଣସି ମଣ୍ଡପରେ ମହାଆଡ଼ମ୍ବରରେ ଗଣେଶ ପୂଜା ହୋଇପାରିବ ନାହିଁ। କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ବିଟ୍‌ କରି ଏ ନେଇ ସମସ୍ତ ପୂଜା ମଣ୍ଡପକୁ ସୂଚନା ଦିଆଯାଇଛି। ଏହି ଖବର ପାଇବା ପରେ ରାଜଧାନୀର ପୂଜା କମିଟିଗୁଡ଼ିକ ନିରାଶ ହୋଇଛନ୍ତି। ଗଣେଶ ପୂଜା ପାଇଁ ବିଭିନ୍ନ କମିଟି ପକ୍ଷରୁ ହୋଇଥିବା ବଡ଼ ବଡ଼ ଯୋଜନା ବେକାର ହୋଇଯାଇଛି। କିଛି କମିଟି କରୋନା ସଚେତନତା ଉପରେ ସାଜସଜ୍ଜା କରିବେ ବୋଲି ପ୍ରସ୍ତୁତି ଚଳାଇଥିଲେ। ମାତ୍ର କମିସନରେଟ୍‌ ପୁଲିସ ବାରଣ କରିବା ପରେ ସବୁ ପ୍ରସ୍ତୁତିକୁ ଅଧାରୁ ବନ୍ଦ କରାଯାଇଛି। କେବଳ ମଣ୍ଡପମାନଙ୍କରେ ଛୋଟ ମୂର୍ତ୍ତି ବସାଇ ବିଧି ଅନୁସାରେ ନିରାଡ଼ମ୍ବର ସହକାରେ ପୂଜା କରାଯିବ ବୋଲି ସ୍ଥିର କରାଯାଇଛି। ତେଣୁ ମଣ୍ଡପରେ ବିଘ୍ନରାଜ ବିରାଜମାନ ହେବେ, କିନ୍ତୁ ଶ୍ରଦ୍ଧାଳୁମାନଙ୍କ ଗହଳଚହଳ ରହିବ ନାହିଁ।

କ୍ଲବ୍‌ରେ ଛୋଟ ଓ ନିରାଡ଼ମ୍ବର ପୂଜା
ଗତ ୧୫ ବର୍ଷ ଧରି ଆମେ ସହିଦ ନଗରରେ ବିଘ୍ନରାଜଙ୍କ ପୂଜା କରିଆସୁଛୁ। ୫ ବର୍ଷ ହେଲା ବହୁତ ବଡ଼ ଆକାରରେ ହେଉଥିଲା। କିଛି ଭଲ ବିଷୟ ବସ୍ତୁକୁ ନେଇ ସାଜସଜ୍ଜା କରାଯାଉଥିଲା। ଚଳିତ ବର୍ଷ ପାଇଁ ଏକ ପରିବେଶଭିତ୍ତିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହେଉଥିଲୁ। କରୋନା କଟକଣାର ସମସ୍ତ ନିୟମ ମାନି ପୂଜା କରିବୁ ଓ ଏଥିପାଇଁ ଅନୁମତି ମିଳିବ ବୋଲି ଭାବୁଥିଲୁ। କିନ୍ତୁ ଅନୁମତି ମିଳିଲାନି। ତେଣୁ କ୍ଲବ୍‌ ଘର ଭିତରେ ଛୋଟ ପୂଜାଟିଏ କରି ନିରାଡ଼ମ୍ବର ସହକାରେ ପୂଜା ସାରିବୁ। ଲୋକଙ୍କ ସୁରକ୍ଷା ପାଇଁ ସରକାର ଯାହା ନିୟମ କରିବେ, ଆମେ ମାନିବୁ।
ଜିତେନ୍ଦ୍ର ରାଓ, ସଭାପତି, ୱିନର୍ସ ଆସୋସିଏସନ୍‌

ଏଥର ପୂଜା ବନ୍ଦ ରଖିଛୁ
ସବୁବେଳେ ଭିନ୍ନ ଭିନ୍ନ ବିଷୟବସ୍ତୁ ଓ ସାମ୍ପ୍ରତିକ ଘଟଣାବଳୀକୁ ନେଇ ଆମ ଡିଏଭି ୟୁନିଟ୍‌-୮ ଗଣେଶ ପୂଜା କମିଟି ଚର୍ଚ୍ଚାରେ ରହି ଆସୁଥିଲା। ଚଳିତ ବର୍ଷ ମଧ୍ୟ କରୋନା ସଚେତନତାକୁ ଗଣେଶ ପୂଜାର ବିଷୟବସ୍ତୁ ଭାବେ ଚୟନ କରାଯାଇଥିଲା କିନ୍ତୁ କମିସନରେଟ ପୁଲିସର ଟ୍ବିଟ୍‌ ପରେ ସବୁ ଯୋଜନାରେ ଭଟ୍ଟା ପଡ଼ିଛି। ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ନିଜର ଓ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆମେ ଏଥର ପୂଜା ବନ୍ଦ ରଖିବୁ।
ବିକାଶ ଗୌଡ଼, କର୍ମକର୍ତା
ଡିଏଭି ୟୁନିଟ୍‌-୮ ଗଣେଶ ପୂଜା କମିଟି

ବଡ଼ ଆକାରରେ କରିବାର ଯୋଜନା ଥିଲା
ବିଗତ ୪୦ ବର୍ଷ ଧରି ଆମେ ନିରବଚ୍ଛିନ୍ନ ଭାବେ ଗଣେଶଙ୍କ ପୂଜା କରିଆସୁଛୁ। ୨ ବର୍ଷ ହେଲା ବଡ଼ ଆକାରରେ କରୁଥିଲୁ ଓ ସୁଉଚ୍ଚ ମୂର୍ତ୍ତି ପ୍ରତିଷ୍ଠା କରୁଥିଲୁ। ୨୦୧୮ରେ ୪୦ ଫୁଟ, ୨୦୧୯ରେ ୫୦ ଫୁଟର ମୂର୍ତ୍ତି ବସାଇ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରାଯାଉଥିଲା। ଚଳିତ ବର୍ଷ ଆହୁରି ବଡ଼ ଆକାରରେ ମୂର୍ତ୍ତି ନିର୍ମାଣ କରିବୁ ବୋଲି ଯୋଜନା କରୁଥିଲୁ। କିନ୍ତୁ କରୋନା‌ କଟକଣା ପରେ ଏସବୁ ଯୋଜନା ଅଧୁରା ରହିଗଲା। କମିସନରେଟ୍‌ ପୁଲିସ ମନା କରିବା ପରେ ଏବେ କେବଳ କ୍ଲବରେ ଛୋଟ ମୂର୍ତ୍ତିଟିଏ ବସାଇ ପୂଜା ସାରିଦେବୁ ବୋଲି ଭାବିଛୁ।
ସଂଗ୍ରାମ ମାର୍ଥା, ସମ୍ପାଦକ, ବ୍ରାଇଟ୍‌ଷ୍ଟାର କ୍ଲବ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe