ଭଉଣୀ ଆଗରେ ଭିଣୋଇକୁ ହତ୍ୟା ଘଟଣା: ଶଳା ସମେତ ୩ ଗିରଫ

ଖଣ୍ଡା, ବାଇକ୍ ଓ ମୋବାଇଲ୍ ଫୋନ ଜବତ

ଭଉଣୀ ଆଗରେ ଭିଣୋଇକୁ ହତ୍ୟା ଘଟଣା: ଶଳା ସମେତ ୩ ଗିରଫ

ଭୁବନେଶ୍ୱର : ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କରିବା ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ୍‌ ଅଟକ ବାପୁନି ନାୟକ ଓରଫ ନଣ୍ଡା ସମେତ ତା’ର ଦୁଇ ସହଯୋଗୀ ଧିରିକୁଟି ବସ୍ତିର ରମେଶ ମହାନ୍ତି ଓରଫ କାହ୍ନା ଓ ରଙ୍ଗମାଟିଆର ଦୀପକ କୁମାର ସେଠୀ ଓରଫ ବବ୍‌ଲୁକୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା ଓ ଏକ ବାଇକ୍‌ ଜବତ କରିଛି। ତେବେ ଡାକ୍ତରୀ ପରୀକ୍ଷା ଶେଷ ହୋଇନଥିବାରୁ ଏହି ୩ ଅଭିଯୁକ୍ତଙ୍କ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ମଞ୍ଚେଶ୍ବର ଥାନା ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ପାରିବାରିକ କଳହ ଓ ପ୍ରେମରେ କଣ୍ଟା ସାଜିବାରୁ ବାପୁନି ନିଜ ଭିଣୋଇ ସୁଶାନ୍ତ ଘଡ଼େଇଙ୍କୁ ଗତ ୩୦ ତାରିଖ ରାତିରେ ଖଣ୍ଡାରେ ହାଣି ହତ୍ୟା କରିଥିଲା।

publive-image

ପୁଲିସ୍‌ ସୂଚନାନୁଯାୟୀ, ବାପୁନିର ସାବତ ଭଉଣୀ ସଙ୍ଗୀତାକୁ ସୁଶାନ୍ତ ୩ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ସଙ୍ଗୀତା ଓ ସୁଶାନ୍ତ ଆସି ଧିରିକୁଟି ବସ୍ତିରେ ଆସି ରହିଥିଲେ। ପରେ ସଙ୍ଗୀତାଙ୍କ ବାପା, ସାବତ ମା’ ଓ ଭାଇ ବାପୁନି ମଧ୍ୟ ଆସି ସେମାନଙ୍କ ସହ ଘରେ ରହିଥିଲେ। ଏହାକୁ କେନ୍ଦ୍ର କରି ବିଭିନ୍ନ ସମୟରେ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏପରିକି ସଙ୍ଗୀତାକୁ ବିଭିନ୍ନ ସମୟରେ ମାରଧର୍ କରୁଥିଲେ ସୁଶାନ୍ତ। କିଛି ଦିନ ତଳେ ବାପୁନିର ଉକ୍ତ ସାହିର ଜଣେ ଯୁବତୀଙ୍କ ସହିତ ପ୍ରେମସଂପର୍କ ଗଢ଼ି ଉଠିଥିଲା। ମାତ୍ର ଯୁବତୀଙ୍କ ପରିବାରଲୋକଙ୍କ ସହ ସୁଶାନ୍ତଙ୍କ ଭଲ ସଂପର୍କ ନ ଥିବାରୁ ସେମାନେ ବାପୁନିକୁ ବିରୋଧ କରିଥିଲେ। ଅପରପକ୍ଷେ ଏହି ଘଟଣା ଜଣାପଡ଼ିବା ପରେ ସୁଶାନ୍ତ ବି ବିଭିନ୍ନ ସମୟରେ ବାପୁନିକୁ ମାଡ଼ ମାରିବା ସହ ଯୁବତୀଙ୍କଠାରୁ ଦୂରେଇ ରହିବାକୁ ଧମକ ଦେଇଥିଲେ। ତେବେ ଭଉଣୀକୁ ମାରପିଟ୍‌ ଓ ପ୍ରେମକୁ ବିରୋଧ କରିବାରୁ ସବୁଦିନ ପାଇଁ ସୁଶାନ୍ତଙ୍କୁ ରାସ୍ତାରୁ ହଟାଇଦେବା ପାଇଁ ବାପୁନି ଯୋଜନା କରିଥିଲା। ଏଥିପାଇଁ ସେ ତା’ ସହଯୋଗୀ କାହ୍ନା ଓ ବବ୍‌ଲୁ ସହ ମିଶି ପଟିଆ ବଜାରରୁ ଏକ ଖଣ୍ଡା କିଣିଥିଲା। ଗତ ୩୦ ତାରିଖ ରାତିରେ ୩ ସାଙ୍ଗ ଏକାଠି ଭୋଜି କରିବା ସହ ପ୍ରଚୁର ମଦ ପିଇଥିଲେ। ବିଳମ୍ବିତ ରାତିରେ ସେମାନେ ସୁଶାନ୍ତଙ୍କ ଘର ଭିତରକୁ ଧସେଇ ପଶି ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ତେବେ ବାପୁନିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଭଉଣୀ ସଙ୍ଗୀତା ମଧ୍ୟ ଖଣ୍ଡା ଚୋଟରେ ଆହତ ହୋଇଥିଲେ।

ହତ୍ୟା କରି ଖୁସିରେ ମସଗୁଲ୍ ଅଭିଯୁକ୍ତ
ସୁଶାନ୍ତଙ୍କୁ ହତ୍ୟା କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ତିବାସିନ୍ଦା ବାପୁନିକୁ ମାଡ଼ି ବସି ପୁଲିସ୍‌ ଜିମା ଦେଇଥିଲେ। ତା’ ସୂଚନା ଆଧାରରେ ପୁଲିସ ଅନ୍ୟ ଦୁଇ ସହଯୋଗୀ କାହ୍ନା ଓ ବବଲୁକୁ ପଟିଆ ଅଞ୍ଚଳରୁ ଗିରଫ କରିଥିଲା। ୩ ଅଭିଯୁକ୍ତ ମଞ୍ଚେଶ୍ବର ଥାନା ହାଜତରେ ଥିଲେ ହେଁ କାହାରି ମୁହଁ‌ରେ ପଶ୍ଚାତାପର ଚିହ୍ନବର୍ଣ୍ଣ ନଥିଲା। ଓଲଟି ସୁଶାନ୍ତକୁ ହତ୍ୟା କରିବାରେ ସଫଳ ହୋଇଥିବାରୁ ନିଜ ଭିତରେ କଥା ହୋଇ ଖୁସିରେ ମସଗୁଲ୍ ଥିଲେ। ଏପରିକି ଭଉଣୀକୁ ଅନେକ ସମୟରେ ଭିଣୋଇ ପିଟୁଥିବାରୁ ସେ ତା’ ଫଳ ଭୋଗିଲା ବୋଲି ବାପୁନି କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe