ମା’ଙ୍କ ମୃତ୍ୟୁର ୩ ଦିନ ପରେ ପୁଅ କରୋନାରେ ମୃତ

Advertisment
୨୪ ଘଣ୍ଟାରେ କରୋନାରେ ୮ ପ୍ରବାସୀ ଓଡ଼ିଆ ମୃତ

ବାରଙ୍ଗ : ବାରଙ୍ଗ ବ୍ଲକ ଅଧୀନ ଦାଢ଼ାପାଟଣା ଗ୍ରାମରେ ଦ୍ବିତୀୟ କରୋନା ମୃତ୍ୟୁ ଘଟିଛି। ଦ୍ବିତୀୟ ମୃତକ ଜଣେ ୩୮ ବର୍ଷୀୟ ଯୁବ ବ୍ୟବସାୟୀ। କଟକସ୍ଥିତ ଅଶ୍ବିନୀ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅବସ୍ଥା ସଂକଟାପନ୍ନଥିବାରୁ ତାଙ୍କୁ ପ୍ଲାଜ୍‌ମା ଥେରାପି ଚିକିତ୍ସା କରାଯାଉଥିଲା। ମାତ୍ର ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ।

ସୂଚନାନୁସାରେ ମୃତକ ତାଙ୍କ ପରିବାରର ବଡ଼ ପୁଅ ଥିଲେ। କୋଭିଡ୍‌ ଚିକିତ୍ସା ପାଇଁ ତାଙ୍କୁ ଅଶ୍ବିନୀରେ ଭର୍ତ୍ତି କରିବାର ତିନି ଦିନ ପରେ ଘରେ ତାଙ୍କ ରୋଗିଣା ମା’(୬୫) ଆରପାରିକୁ ଚାଲି ଯାଇଥିଲେ। କରୋନା କଟକଣା ପାଇଁ ତାଙ୍କ ମରଶରୀରକୁ ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ନେଇ ସଂସ୍କାର କରାଇଥିଲା। ଏବେ ଅଶ୍ବିନୀରେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଅନ୍ତିମ ସଂସ୍କାର କରାଇ ପାରିବେ ନାହିଁ। ଏମିତି ଅବସ୍ଥାରେ ମା’ପୁଅଙ୍କ ଦଶାହ ଏକାଦଶାହ କାର୍ଯ୍ୟ ସମ୍ପନ୍ନ କରିବା ମଧ୍ୟ ଉକ୍ତ ପରିବାର ପାଇଁ ବଡ଼ ଜଟିଳ ସମସ୍ୟା ସୃଷ୍ଟି କରିଛି। ତେଣୁ ମହାମାରୀ କରୋନା ଉକ୍ତ ପରିବାର ଉପରେ ଦୁଃଖର ପାହାଡ଼ ହୋଇ ମାଡ଼ି ବସିଥିବାରୁ କେବଳ ଦାଢ଼ାପାଟଣା ନୁହେଁ, ସମଗ୍ର ବାରଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସୂଚନାଯୋଗ୍ୟ ଯେ ଦାଢ଼ାପାଟଣାର ପ୍ରଥମ କରୋନା ମୃତ୍ୟୁ ଜୁଲାଇ ୧୧ ତାରିଖରେ ହୋଇଥିଲା। କିମସ୍ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୨୮ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଏହି ଗାଁରୁ ମୋଟ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଆଜି ବାରଙ୍ଗ ବ୍ଲକରୁ ୩୬ ଜଣଙ୍କର ସ୍ବାବ୍ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି ବୋଲି ବିଡିଓ ସୂଚନା ଦେଇଛନ୍ତି। ବ୍ଲକ୍‌ର ମୋଟ ୪୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣ ସୁସ୍ଥ ହୋଇଛନ୍ତି ଓ ୧୫ ଜଣ ଚିକିତ୍ସାଧୀନ ଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe