୩ ଦିନ ହେଲା ୩୦୦ ପରିବାର ଜଳବନ୍ଦୀ: ରାସ୍ତାରେ ବନ୍ୟା, ଘରୁ ପାଣି ଶୁଖୁନି

Advertisment
୩ ଦିନ ହେଲା ୩୦୦ ପରିବାର ଜଳବନ୍ଦୀ: ରାସ୍ତାରେ ବନ୍ୟା, ଘରୁ ପାଣି ଶୁଖୁନି

ଖଣ୍ଡଗିରି: ଦୁଇ ଦିନ ଧରି ବର୍ଷା ଜଳରେ ବୁଡ଼ି ରହିଥିବା ରାଜଧାନୀର ବହୁ ଅଞ୍ଚଳରୁ ଆଜି ଧୀରେ ଧୀରେ ଜଳ ଛାଡ଼ିବାରେ ଲାଗିଛି। କିନ୍ତୁ ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିର ସ୍ଥିତିରେ କିଛି ବି ପରିବର୍ତ୍ତନ ହୋଇନାହିଁ। ରାସ୍ତାରେ ସେମିତି ବର୍ଷା ପାଣି ବନ୍ୟା ଭଳି ଜମି ରହିଛି। ଲୋକଙ୍କ ଘର ଭିତରେ ମଧ୍ୟ ପାଣି ଢେଉ ଭାଙ୍ଗୁଛି। ରାତି ୯ଟା ପର୍ଯ୍ୟନ୍ତ ଲୋକେ ନିଜନିଜ ଘରକୁ ଫେରିପାରି ନାହାନ୍ତି। ତେଣୁ ଗତ ୩ ଦିନ ହେଲା ପ୍ରାୟ ୩ ଶହ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଖିଆପିଆଠାରୁ ଆରମ୍ଭ କରି ସବୁକାମ ପାଇଁ ସେମାନେ ବଡ଼ କଲବଲ ହେଉଛନ୍ତି।

ସୂଚନାନୁସାରେ ଫୁଲେଶ୍ବରୀ ବସ୍ତି ଓ ଆଖପାଖ ଅଞ୍ଚଳରେ ଜାଗା କିଣି ଘର କରି ରହିଥିବା ଲୋକଙ୍କ ଜୀବନ ଏହି ୩ ଦିନରେ ଦୁର୍ବିଷହ ହୋଇ ପଡ଼ିଛି। ଆଜି ବର୍ଷା ଛାଡ଼ିବା ପରେ ବି ସମସ୍ୟା କମିବା ବଦଳରେ ବଢ଼ିବଢ଼ି ଚାଲିଛି। ଉଚ୍ଚସ୍ଥାନରେ ରହୁଥିବା ଲୋକେ ପାଣି ନିଷ୍କାସନ ପାଇଁ ନାଳ କାଟି ତଳକୁ ପାଣି ଛାଡ଼ିବା ଫଳରେ ଏବେ ତଳିଆ ଅଞ୍ଚଳ ରାସ୍ତାରେ ଅାଣ୍ଠୁଏ ଉଚ୍ଚର ପାଣି ସୁଅ ଛୁଟୁଛି। ଫଳରେ ବସ୍ତିର ୨୦୦ ପରିବାର ଓ ପାଖରେ ଘର କରିଥିବା ୧୦୦ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଘ‌ର ଭିତରେ ପାଣି ଓ ବାହାରେ ରାସ୍ତାରେ ବନ୍ୟା। ଏମିତି ସ୍ଥିତିରେ ସେମାନେ କଲବଲ ହେଉଛନ୍ତି। ସ୍ମୃତିବନ ଓ ଔଷଧୀୟ ବଗିଚାରୁ ପାଣି ସୁଅ ଏବେ ବି ଚାଲିଛି। ସେହି ପାଣିରେ ସରୀସୃପ ଭାସି ଆସୁଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। କିଛି ଲୋକ ମଟର ଲଗାଇ ଘରୁ ପାଣି ବାହାର କରୁଛନ୍ତି। କିଛି ଲୋକ ଘରର କାନ୍ଥରେ କଣା କରି ପାଣି ବାହାର କରୁଛନ୍ତି। ସ୍ଥାନୀୟ ବାସିନ୍ଦା ଅଜିତେଶ ମୁଦୁଲିଙ୍କ କହିବା କଥା ଘରେ ସଉଦାପତ୍ର ସରି ଆସିଥିଲେ ମଧ୍ୟ ବାହାରକୁ ଆସିବାକୁ ଭୟ ଲାଗୁଛି। ଏତେ ପାଣିରେ ସ୍କୁଟି ଯାଇ ପାରୁନାହିଁ। ଥିଲା ବାଲାଙ୍କ କଥା ଭିନ୍ନ। ବହୁ ଗରିବ ଲୋକେ ଭୋକଉପାସରେ ଥିବା ବେଳେ ସରକାରୀ ସହାୟତା ମିଳିନାହିଁ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe