ଦୁର୍ଘଟଣାରେ ୩ ମୃତ ଘଟଣା : ଧରା ପଡ଼ିନି ଟାଭେରା ଡ୍ରାଇଭର୍‌, ଜବତ ହୋଇ ପାରିଲାନି ଟ୍ରକ୍‌

Advertisment
ଅଧା ରହିଗଲା ଘର ବାହୁଡ଼ା : ଦୁଘର୍ଟଣାରେ ଦୁଇ ପରିବାରର ୩ ମୃତ, ୧୨ ଆହତ, ଚାଳକ ଫେରାର

ଭୁବନେଶ୍ବର : ମା’ ତାରିଣୀଙ୍କ ପାଖରେ ପୁଅର ଚୁଟି ପକାଇ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଥିଲେ। ଦୁଇଟି ପରିବାରର ସଦସ୍ୟ ପରସ୍ପରର ସୁଖ ମନାସି ବେଶ୍‌ ଖୁସିରେ ଏକ ଟ୍ରାଭେରା ଗାଡ଼ିରେ ଘରକୁ ଫେରୁଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା। ଟାଭେରା ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇ ଯାଇଥିଲା। ଟ୍ରକ୍‌ର ପ୍ରାୟ ୪ ଫୁଟ୍‌ ଭିତରକୁ ଟାଭେରା ପଶି ଯାଇଥିଲା। ଏଥିରେ ଦୁଇ ପରିବାରର ଅବିନାଶ ପ୍ରଧାନ, ତାଙ୍କ ୪ ବର୍ଷର ପୁଅ ଅଂଶୁମାନ ପ୍ରଧାନ (ଆୟୁଷ ) ଓ ସଢ଼ୁ ବଳରାମ ସାହୁଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟମାନେ ଗୁରୁତର ଅବସ୍ଥାରେ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣାକୁ କମିସନରେଟ ପୁଲିସ ଯେଉଁ ଢ଼ଙ୍ଗରେ ନେବା କଥା ନେଇ ନ ଥିବା ଭଳି ଜଣାପଡ଼ୁଛି। କାରଣ ଦୁର୍ଘଟଣା ଘଟାଇଥିବା ଟାଭେରା ଚାଳକ ଏଯାଏ ଗିରଫ ହୋଇ ପାରିନାହିଁ। ସେହିପରି ରାସ୍ତା ପାର୍ଶ୍ବରେ ପାର୍କିଂ ହୋଇଥିବା ହରିୟାନ‌ା ଟ୍ରକ ମଧ୍ୟ ଜବତ କରି ପାରିନାହିଁ ପୁଲିସ। ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।

ଏଥିରେ ଉଭୟ ପରିବାରରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ମୋଟ ୧୨ ଜଣ ଆହତ ହୋଇଥିଲେ। ଗାଡ଼ି ଚାଳକ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଛି। ଅଦ୍ୟାବଧି ପାହାଳ ପାଣ୍ଡି ପୁଲିସ ତାର ପତ୍ତା ପାଇ ନାହିଁ। ଦୁର୍ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରାଯାଇ ପାରିନି।

ଏ ସମ୍ପର୍କରେ ପାହାଳ ଫାଣ୍ଡି ପୁଲିସ କହିଛି, ଦୁର୍ଘଟଣା ସ୍ଥଳରେ ଏକ ହରିଆନା ନମ୍ବର ପ୍ଲେଟ ପଡ଼ିଥିଲା। ତେଣୁ ଆମେ କେମିତି ଜାଣିବୁ ସେହି ଟ୍ରକ ହିଁ ଦୁର୍ଘଟଣା ଘଟାଇଥିଲା। ତେବେ ଟାଭେରା ଡ୍ରାଇଭରକୁ ଖୋଜା ଚାଲିଛି। ସେ ଧରା ପଡିଲେ ତାକୁ ପଚରା ଉଚରା କରାଯିବ କେଉଁ ପରିସ୍ଥିତିରେ ଦୁଘର୍ଟଣା ଘଟିଲା ବୋଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe