ଅଧା ରହିଗଲା ଘର ବାହୁଡ଼ା : ଦୁଘର୍ଟଣାରେ ଦୁଇ ପରିବାରର ୩ ମୃତ, ୧୨ ଆହତ, ଚାଳକ ଫେରାର

Advertisment
ଅଧା ରହିଗଲା ଘର ବାହୁଡ଼ା : ଦୁଘର୍ଟଣାରେ ଦୁଇ ପରିବାରର ୩ ମୃତ, ୧୨ ଆହତ, ଚାଳକ ଫେରାର

ଭୁବନେଶ୍ବର/ବାଲିଅନ୍ତା : ମା’ ତାରିଣୀଙ୍କ ପାଖରେ ପୁଅର ଚୁଟି ପକାଇ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଥିଲେ। ଉଭୟ ପରିବାରର ସୁଖ ମନାସି ବେଶ୍‌ ଖୁସିରେ ଫେରୁଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା। ଭାରସାମ୍ୟ ହରାଇ ଗାଡ଼ି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇ ଯାଇଥିଲା। ଟ୍ରକ୍‌ ତଳେ ପ୍ରାୟ ୪ ଫୁଟ୍‌ ଭିତରକୁ ଗାଡ଼ିଟି ପଶି ଯାଇଥିଲା। ଏଥିରେ ଦୁଇ ପରିବାରର ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥର ପାହାଳ ରୁଦ୍ରପୁର ନିକଟରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।

ଏହି ଦୁର୍ଘଟଣାରେ ମୃତକମାନେ ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ବଡ଼ଆଙ୍କୁଲା ଗ୍ରାମର ଅବିନାଶ ପ୍ରଧାନ, ତାଙ୍କ ୪ ବର୍ଷର ପୁଅ ଅଂଶୁମାନ ପ୍ରଧାନ (ଆୟୁଷ ) ଓ ସଢ଼ୁ ପୁରୀ ଜିଲ୍ଲା ମାଟିଆପଡ଼ାର ବଳରାମ ସାହୁ। ଗୁରୁତର ଆହତ ହୋଇଥିବା ଅବିନାଶଙ୍କ ପତ୍ନୀ ଆପୋଲୋରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିବା ବେଳେ ବଳରାମଙ୍କ ପତ୍ନୀ ପୁରୀରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଅବିନାଶଙ୍କ ୪ର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ୯ ବର୍ଷର ଝିଅ ସର୍ମିଷ୍ଠା ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏଥିରେ ଉଭୟ ପରିବାରରୁ ମୋଟ ୧୨ ଜଣ ଆହତ ହୋଇଛନ୍ତି। ଗାଡ଼ି ଚାଳକ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଛି। ଅଦ୍ୟାବଧି ପାହାଳ ପାଣ୍ଡି ପୁଲିସ ତାର ପତ୍ତା ପାଇ ନାହିଁ। ଦୁର୍ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରାଯାଇ ପାରିନି।

publive-image

ଅବିନାଶ ବାଳକାଟି ସ୍ଥିତ ସେସୁ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଥିଲେ। ଗତ ୭ ବର୍ଷ ହେବ ପରିବାର ସହିତ ସ୍ଥାନୀୟ ବସନ୍ତପେଡ଼ି ଗ୍ରାମରେ ରହୁଥିଲେ। ଖବର ପ୍ରଚାରିତ ହେବା ପରେ ଆଜି ବାଳକାଟି ସ୍ଥିତ ସେସୁ କାର୍ଯ୍ୟାଳୟରେ ଶୋକ ପ୍ରକାଶ ପାଇଥିବା ସହକାରୀ ଯନ୍ତ୍ରୀ ତନ୍ମୟ ପୃଷ୍ଟି କହିଛନ୍ତି। ସେହିଭଳି ବଳରାମ ପୁରୀର ଏକ ଘରୋଇ ହସ୍‌ପିଟାଲରେ ଏକ୍ସ-ରେ ଟେକ୍‌ନିସିଆନ ଭାବରେ କାମ କରୁଥିଲେ। ତାଙ୍କ ପତ୍ନୀ ଓ ପୁତ୍ରଙ୍କୁ ଚିକିତ୍ସା ପାଇଁ ପୁରୀର ସେହି ଘରୋଇ ‌ହସ୍‌ପିଟାଲକୁ ନିଆଯାଇଛି।

ସୂଚନା ମୁତାବକ, ଗତକାଲି ବଡ଼ି ଭୋର୍‌ରୁ ବଳରାମ ଓ ତାଙ୍କ ସଢ଼ୁ ଅବିନାଶ ପ୍ରଧାନଙ୍କ ପରିବାର ମା’ ତାରିଣୀ ପୀଠ ଯାଇଥିଲେ। ସେଠାରେ ବଳରାରମଙ୍କ ପୁଅ କାହ୍ନା ମୁଣ୍ଡନ ହୋଇଥିଲା। ସେଠାରୁ ସେମାନେ ଅପରାହ୍ନରେ ଫେରୁଥିଲେ। ରାତି ପ୍ରାୟ ଗୋଟାଏ ବେଳେ ପାହାଳ ନିକଟରେ ତାଙ୍କ ଗାଡ଼ିଟିଏକ ଟ୍ରକ୍‌ ପଛରେ ପିଟି ହୋଇଥିଲା। ସେହିବାଟ ଦେଇ ଆସୁଥିବା ଭୁବନେଶ୍ବର (ମଧ୍ୟ) ବିଧାୟକ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଗୁରୁତରମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe