ଉଛୁଳିଲା ରଥଦାଣ୍ଡ, ଲେଉଟିଲେ ତିନି ଠାକୁର

Advertisment
ଉଛୁଳିଲା ରଥଦାଣ୍ଡ, ଲେଉଟିଲେ ତିନି ଠାକୁର

ଭୁବନେଶ୍ବର: ବାହୁଡ଼ା ଯାତ୍ରା ଅବସରରେ ଆଜି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ମାଉସୀ ଘରୁ ନିଜ ମନ୍ଦିରକୁ ଲେଉଟି ଆସିଛନ୍ତି। ଆଜି ତିନି ଠାକୁର ଓ ପ୍ରଭୁ ସୁଦର୍ଶନଙ୍କୁ ମାଉସୀ ମା’ ପୋଡ଼ପିଠା ଖୁଆଇ ଖୁସିରେ ଖୁସିରେ ମେଲାଣି ଦେଇଛନ୍ତି। ଘୋଷଯାତ୍ରା ଭଳି ଭକ୍ତ ଓ ଶ୍ରଦ୍ଧାଳୁମାନେ ପୁଣି ଶ୍ରୀଜିଉଙ୍କୁ ରଥରେ ବସାଇ ନିଜ ମନ୍ଦିରକୁ ଫେରାଇ ଆଣିଛନ୍ତି। ମାଉସୀ ଘର ଯିବା ବେଳେ ଭକ୍ତମାନଙ୍କ ଭିତରେ ଯେମିତି ଉତ୍ସାହ, ଉଦ୍ଦୀପନା ଦେଖାଯାଇଥିଲା, ଆଜି ବାହୁଡ଼ା ଯାତ୍ରା ଅବସରରେ ଭକ୍ତମାନଙ୍କ ଭିତରେ ସେଇ ଉନ୍ମାଦନା ସୃଷ୍ଟି ହୋଇଥିଲା। ରଥଦାଣ୍ଡରେ ରଥ ଟାଣିବା ବେଳେ ଭକ୍ତମାନେ ଭାବବିହ୍ବଳ ହୋଇପଡ଼ୁଥିଲେ। ହରିବୋଲ, ହୁଳହୁଳି ଶବ୍ଦରେ କମ୍ପି ଉଠିଥିଲା ରଥ ପଥ। କିଏ ନାଚୁଥିଲା ତ କିଏ ଗାଉଥିଲା।

କିଏ ପୁଣି ଆଖିରୁ ଝରାଉଥିଲା ଆନନ୍ଦାଶ୍ରୁ। ଘଣ୍ଟ, ଘଣ୍ଟା, ଖୋଳ, ଝାଞ୍ଜ ଓ ଭେରୀ, ତୂରୀ ଶବ୍ଦରେ ରଥ ପଥରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ। ଅନ୍ୟପକ୍ଷରେ ୯ ଦିନ କାଳ ଖାଁ ଖାଁ ପରିବେଶରେ ଥିବା ପ୍ରଭୁଙ୍କ ମନ୍ଦିର ଆଜି ଚଳଚଞ୍ଚଳ ହୋଇଉଠିଥିଲା। ପ୍ରଭୁ ଆସୁଛନ୍ତି ବୋଲି ସେବାୟତମାନେ ଲାଗି ପଡ଼ିଥିଲେ ପାଛୋଟି ନେବାପାଇଁ। ‌ତେବେ ବାହୁଡ଼ା ରଥ ଆଜି ମନ୍ଦିରରେ ଲାଗିଛି ସିନା ପ୍ରଭୁ କିନ୍ତୁ ସେମିତି ରଥରେ ରହିଛନ୍ତି। ଆସନ୍ତାକାଲି ସୁନାବେଶ ଓ ପରଦିନ ଅଧରପଣା ବିଧି ସରିବା ପରେ ପ୍ରଭୁ ନୀଳାଦ୍ରି ବିଜେ କରିବେ। ମା’ ଲକ୍ଷ୍ମୀଙ୍କୁ ମିଠା ଦେଇ ତାଙ୍କ ମାନଭଞ୍ଜନ କରିବା ପରେ ପ୍ରଭୁ ରତ୍ନ ସିଂହାସନକୁ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe