Representational image: The Express Tribune
ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନ ସାତକାଣିଆ ବସ୍ତିରେ ନିଶାଗ୍ରସ୍ତ ଯୁବକର ଟାଙ୍ଗିଆ ଚୋଟରେ ଦୁଇଟି ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ, ସନା ଦାସଙ୍କ ପତ୍ନୀ ସୁଷମା ଦାସ (୫୦), ତାଙ୍କ ପୁଅ ସୁନୀଲ ଦାସ (୧୮) ଏବଂ କାଳନ୍ଦୀ ଭୋଇଙ୍କ ଝିଅ ପୂର୍ଣ୍ଣିମା ଭୋଇ(୧୭)। ପରିବାରଲୋକ ଚିକିତ୍ସା ଲାଗି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ମୁତୟନ ହୋଇଛି। ଏ ସଂପର୍କରେ ଉଭୟ କାଳନ୍ଦୀ ଏବଂ ସନାତନ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ଥାନାରେ ମାମଲା ରୁଜୁ ହୋଇନଥିବା ଫାଣ୍ଡି ଅଧିକାରୀ କହିଛନ୍ତି। ବାଳକାଟି ଫାଣ୍ଡି ପୁଲିସ ଆକ୍ରମଣକାରୀ ଯୁବକ ନିକଟରୁ ଗଣ୍ଡଗୋଳରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ସୂଚନାନୁଯାୟୀ, ସଂପୃକ୍ତ ଯୁବକଜଣକ ଗ୍ରାମରେ ଅଧିକାଂଶ ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ଗଣ୍ଡଗୋଳ କରିବା ସହିତ ଗାଳିଗୁଲଜ କରେ। ସେହିପରି ଆଜି ରାତି ସାଢ଼େ ୯ଟାରେ ବସ୍ତିରେ ଗାଳିଗୁଲଜ କରିଥିଲା। ବସ୍ତିର ଉପରୋକ୍ତ ଦୁଇ ପରିବାର ତାକୁ ବିରୋଧ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଟାଙ୍ଗିଆରେ ସେମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା।
Follow Us