ସାଇବର ସେଲ୍‌କୁ ତିନି ମାସ : ୪୮ ମାମଲା,୩ କୋଟି ୪୫ଲକ୍ଷ ଠକେଇ

Advertisment

ଅଭିଯୋଗ ବଢ଼ୁଛି, ଠକେଇ ପରିମାଣ କମୁଛି

ଅଭିଯୋଗ ବଢ଼ୁଛି, ଠକେଇ ପରିମାଣ କମୁଛି

ସାଇବର ସେଲ୍ ଟାର୍ଗେଟ୍‌ରେ ୯୦ ଠକ! ଝାଡ଼ଖଣ୍ଡରୁ ଗୁଜୁରାଟ ଯାଏ ସବୁ ଠକଙ୍କ ତାଲିକା କରିଛି ସାଇବର୍ ସେଲ୍

Local Press

ଭୁବନେଶ୍ବର : ରାଜଧାନୀରେ ବଢ଼ୁଥିବା ସାଇବର ଅପରାଧର ଅନୁସନ୍ଧାନ ପାଇଁ କମିସନରେଟ୍‌ ପୁଲିସ ଖୋଲିଥିବା ସାଇବର ଅପରାଧ ସେଲ୍‌କୁ ତିନି ମାସ ପୂରିଛି। ଏହି ତିନି ମାସ ମଧ୍ୟରେ ୪୮ ମାମଲା ରୁଜୁ ହୋଇଥିବା ବେଳେ ସାଇବର ଠକମାନେ ୩ କୋଟି ୪୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ତେବେ ଅଭିଯୋଗ ପରେ ସାଇବର ସେଲ୍‌ ୬ ଲକ୍ଷ ୩୮ ହଜାର ଜମାରକାରୀଙ୍କ ଆକାଉଣ୍ଟକୁ ଫେରାଇ ଆଣିବାକୁ ସକ୍ଷମ ହୋଇଛି।

ସୂଚନା ଅନୁଯାୟୀ ଗତ ଫେବ୍ରୁଆରି ମାସରେ ସାଇବର ଠକ ଭୁବନେଶ୍ବରରୁ ୫୧ ଲକ୍ଷ ୩୯ ହଜାର ୯୮୯ ଟଙ୍କା ଲୁଟି ନେଇଥିବା ଗତ ମାର୍ଚ୍ଚ ମାସରେ ଏହି ଠକେଇର ପରିମାଣ ରହିଛି ୮୪ ଲକ୍ଷ ୭୮ ହଜାର ୩୯୪ଟଙ୍କା। ଏଥିପାଇଁ ୧୬ଟି ମାମଲା ରୁଜୁ ହେବା ସହ ଅନୁନ୍ଧାନ ଜାରି ରଖିଛି ସାଇବର ସେଲ୍‌। ଭୁବନେଶ୍ବରରେ ସାଇବର ଅପରାଧ ଯେ‌ ବଢ଼ୁଛି ତାହା ଏଇ ପରିସଂଖ୍ୟାନ ପ୍ରମାଣିତ କରୁଛି। ଯେତେ ସଚେତନ କଲେ ମଧ୍ୟ ଲୋକେ ସୁଧୁରୁ ନାହାନ୍ତି। ଏଣେ ଆଖିଦୃଶିଆ ସଫଳତା ମିଳିପାରୁ ନ ଥିବାରୁ ଏହା ଠକଙ୍କୁ ସୁହାଉଛି। ଏଣୁ ସାଇବର ଠକେଇ କମିବାର ନା ଧରୁ ନାହିଁ।

କେବଳ ଭୁବନେଶ୍ବରରୁ ଜାନୁଆରି ମାସରେ ୩୬୫ କଲ୍‌ ଆସିଥିବା ବେଳେ ଫେବ୍ରୁଆରିରେ ୪୬୨ ଓ ଗତମାସରେ ୩୧୦ଟି କଲ୍‌ ଆସିଛି। ଏହି କଲ୍‌ ଭିତରୁ ଜାନୁଆରିରେ ୧୯ ମାମଲା ହୋଇଥିବା ବେଳେ ଫେବ୍ରୁଆରିରେ ଏହା କମି ୧୩ରେ ପହଞ୍ଚିଥିଲା। କିନ୍ତୁ ମାର୍ଚ୍ଚରେ ମାମଲା ସଂଖ୍ୟା ୧୬ରେ ପହଞ୍ଚିଛି। ତୁଳନାତ୍ମକ ଭାବରେ ଦେଖିବାକୁ ଗଲେ ଅଭିଯୋଗ ସଂଖ୍ୟା ବଢ଼ୁଛି। ସେହିଭଳି ଜାନୁଆରି ମାସରେ କୋଟିଏ ୪୦ ଲକ୍ଷ ଠକେଇ ହୋଇଥିବା ବେଳେ ଫେବ୍ରୁଆରିରେ କୋଟିଏ ୨୧ ଲକ୍ଷ ଓ ମାର୍ଚ୍ଚ ମାସରେ ୮୪ରୁ ୮୫ ଲକ୍ଷ ଲକ୍ଷ ଠକେଇ ହୋଇଛି। ଅର୍ଥାତ୍‌ ଠକେଇ ପରିମାଣ କମିଛି।

publive-image Sambad

ଅନ୍ୟପଟେ ଠକେଇ ଅର୍ଥ ଉଦ୍ଧାର ହେଉଛି; ହେଲେ ଆଖିଦୃଶିଆ ହେଉ ନାହିଁ। ଜାନୁଆରି ମାସରେ ମୋଟ ଠକେଇ ହୋଇଥିବା ଅର୍ଥରୁ ୭ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କ ଆକାଉଣ୍ଟକୁ ଫେରିଥିବା ବେଳେ ଫେବ୍ରୁଆରିରେ ୬ ଲକ୍ଷ ୮୫ ହଜାର ଓ ମାର୍ଚ୍ଚ ମାସରେ ୨ ଲକ୍ଷ ୫୩ ହଜାର ଟଙ୍କା ଫେରିଛି। ଉଦ୍ଧାର ଅର୍ଥର ପରିମାଣ କମୁଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଉଚିତ ସମୟରେ ଅଭିଯୋଗ ହେଉନଥିବାରୁ ଟଙ୍କା ଫେରିବା ସମ୍ଭବ ହେଉ ନାହିଁ।

ସେହିଭଳି ୟୁପିଆଇ ଠକେଇ ସାଇବର ସେଲ୍‌ର ମୁଣ୍ଡବିନ୍ଧା ବଢ଼ାଇଛି। କାରଣ ଏହିସବୁ ଠକେଇ ମାମଲାରେ ଟଙ୍କାଟିଏ ଫେରିପାଇବା ସମ୍ଭବ ହେଉ ନାହିଁ। ଜାନୁଆରି ମାସରେ ଏଭଳି ଠକେଇ ୨୮୯ଟି ହୋଇଥିବା ବେଳେ ଫେବ୍ରୁଆରିରେ ଏହା କମି ୧୨୫ରେ ପହଞ୍ଚିଥିଲା। କିନ୍ତୁ ମାର୍ଚ୍ଚ ମାସରେ ଏହି ଠକେଇର ସଂଖ୍ୟା ୧୭୦ରେ ପହଞ୍ଚିଛି। ବାରମ୍ବାର ସଚେତନ କରିବା ସତ୍ତ୍ବେ ଲୋକମାନେ ବିଭିନ୍ନ ଥାର୍ଡ ପାର୍ଟି ଆପ୍‌ ଜରିଆରେ କାରବାର କରୁଥିବାରୁ ଠକାମିରେ ପଡ଼ୁଛନ୍ତି। ଏହା ବ୍ୟତୀତ ଜାନୁଆରିରେ କ୍ରେଡିଟ୍‌ କାର୍ଡ ଠକେଇ ୪୬ଟି ହୋଇଥିବା ବେଳେ ଫେବ୍ରୁଆରିରେ ୩୫ଟି ଓ ମାର୍ଚ୍ଚରେ ଏଭଳି ଅଭିଯୋଗ ସଂଖ୍ୟା ୮୦ରେ ପହଞ୍ଚିଛି।

ସାଇବର ବିଶେଷଜ୍ଞ ଲିଙ୍ଗରାଜ ସେଠୀ କହିଛନ୍ତି, ଲୋକମାନେ ସଚେତନ ହେଲେ ଟଙ୍କାଟିଏ କେହି ନେଇ ପାରିବେ ନାହିଁ। ଯେତେସବୁ ଅଭିଯୋଗର ଆମେ ତର୍ଜମା କରିଛୁ; ସେଥିରେ ଖାତାଧାରିଙ୍କ ତ୍ରୁଟି ଯୋଗୁଁ ଟଙ୍କା ଚାଲି ଯାଇଛି। କେଉଁଠି ଠକକୁ ବିଶ୍ବାସ କରି ବ୍ୟକ୍ତିଗତ ତଥ୍ୟ ଦେଇ ଦେବା ହେଉ ବା ଓଟିପି ଦେଇ ଜମାକାରୀ ଫସି ଯାଇଛନ୍ତି। ୟୁପିଆଇ ଥାର୍ଡ ପାର୍ଟି ଆପ୍‌ ହୋଇଥିବାରୁ ଏହି ଠକେଇରେ ଟଙ୍କା ଫେରିବା ସମ୍ଭବ ହେଉ ନାହିଁ। ଏଣୁ ଏଭଳି ଠକଙ୍କ କବଳରୁ ମୁକ୍ତି ପାଇବା ପାଇଁ ଲୋକମାନେ ସଚେତନ ହେବା ନିତାନ୍ତ ଜରୁରୀ।

ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସାଇବର ଠକଙ୍କ ଗତିବିଧି ଲକ୍ଷ୍ୟ କରି ସେହି ଦିଗରେ ଆମେ ଅନୁସନ୍ଧାନ କରିବା ସହ ସେମାନେ ଆଉ ଆଗକୁ କିଭଳି ଠକି ପାରିବେ ନାହିଁ ସେ ଦିଗରେ ପଦକ୍ଷେପ ନିଆଯାଉଛି। ତେବେ ସବୁ ମୂଳରେ ରହିଛି ସଚେତନତା। ଲୋକମାନେ ଯେତେ ଶୀଘ୍ର ସଚେତନ ହେବେ ସେତେଶୀଘ୍ର ଏହି ଠକେଇ କମିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe