ଭୁବନେଶ୍ବର: କମିସନରେଟ ପୁଲିସ ଅଧୀନରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ ପୁଲିସ ଆଜି ସନ୍ଧ୍ୟାରେ ତିନି ଜଣଙ୍କୁ ଜେରା କରିଛି। ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ସହିତ ପପୁ ଓ ଜଟିଆଙ୍କୁ ପୁଲିସ ସାମ୍ନାସାମ୍ନି ଜାରି କରିଛି। କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା ପରେ ପୁଲିସକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାଯାଇଛି I
ସୂଚନା ଅନୁସାରେ ଗିରଫ ତିନି ଅଭିଯୁକ୍ତ ଦୀପକ ରାଉତ, ମାଉସୀ ପୁଅ ବିନୋଦ ବିହାରୀ ଭୂୟାଁ ଓରଫ ପପୁ ଓ ସହଯୋଗୀ ଶମ୍ଭୁ ମହନ୍ତ ଓରଫ ଜଟିଆଙ୍କୁ ସ୍ପେଶାଲ ସ୍କୱାର୍ଡ ଓ କ୍ୟାପିଟାଲ ଥାନା ପୁଲିସ ଅଲଗା ଅଲଗା ରୁମରେ ଜେରା କରିବା ପରେ ସାମ୍ନାସାମ୍ନି ଜେରା ଆରମ୍ଭ କରିଛି। ପ୍ରଥମେ ଦୀପକର ବୟାନ ରେକର୍ଡ କରାଯାଇଥିଲା ପରେ ପପୁ ଓ ଜଟିଆଙ୍କ ବୟାନ ରେକର୍ଡ କରାଗଲା I ଆଉ ଏବେ ସମସ୍ତଙ୍କୁ ପାଳି ପାଳି କରିଛି।
ଜେରା ବେଳେ ଦୀପକ ଭୋ ଭୋ କାନ୍ଦିଛି। ସେ କହିଛି, ଶୁଭମିତ୍ରା ମୋର ପ୍ରେମିକା ନଥିଲା। ସେ ମୋର ପତ୍ନୀ ଥିଲା। ଦୀପକର ଗାଡ଼ି ଭିତରୁ ପୁଲିସକୁ ଶୁଭମିତ୍ରାଙ୍କ ପ୍ରେସକ୍ରିପସନ ମିଳିଥିଲା। ପୁଲିସ ଏବାବଦରେ ପଚାରି ଥିଲା। କାହିଁକି ପ୍ରେମିକାକୁ ମାରିଦେଲୁ ପଚାରିବାରୁ, ସେ ମୋ ପ୍ରେମିକା ନୁହେଁ ପତ୍ନୀ ଥିବା କହିଥିଲାI
ସୂଚନାଯୋଗ୍ୟ, ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି କାର୍ଯ୍ୟାଳୟକୁ ଡ୍ୟୁଟି କରିବାକୁ ଯାଇଥିଲେ। ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ। ଏହାପରଠୁ ତାଙ୍କର ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା। ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଥିଲା। ଅଭିଯୁକ୍ତ ଦୀପକ ପୁଲିସ ଆଗରେ କହିଛି, ଭୁବନେଶ୍ୱରରୁ ତଣ୍ଟି ଚିପି ହତ୍ୟା କରିବା ପରେ, ନେଇଥିଲା କେଉଁଝରI ହତ୍ୟାରେ ବ୍ୟବହୃତ କାର ଜବତ କରି ଖୋଳତାଡ଼ ଆରମ୍ଭ କରୁଛି କ୍ୟାପିଟାଲ ଥାନା ପୁଲିସ୍I ଅଭିଯୁକ୍ତ ଗିରଫ ହୋଇଛି। ଶୁଭମିତ୍ରାଙ୍କ ଗଳିତ ମୃତଦେହ ଆଜି ଅପରାହ୍ଣରେ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ଏକ ଜଙ୍ଗଲ ଭିତର ମାଟିତଳୁ ଉଦ୍ଧାର ହୋଇଛି।
Crime
Follow Us