ପଥର‌ରେ ଛେଚି ଗାଡ଼ି ଭାଙ୍ଗୁଥିଲେ, ୩ ଦୁର୍ବୃତ୍ତ ଗିରଫ

Advertisment
ପିଆରଏମ ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣା: ପୁଣି ୩ ମହିଳା ଗିରଫ, ଏଯାବତ ୭ ଜଣ ଗିରଫ ହେଲେଣି

Image Courtesy of Hindustan Times

ଭୁବନେଶ୍ୱର: ନା ସେମାନେ ଗାଡ଼ି ମାଲିକଙ୍କୁ ଚିହ୍ନିଥିଲେ, ନା କୌଣସି ଶତ୍ରୁତା ଥିଲା। କିନ୍ତୁ ସହର ସାରା ବୁଲି ବୁଲି ଘର ଆଗରେ ରହୁଥିବା ଚାରିଚକିଆ ଗାଡ଼ି ଭଙ୍ଗାରୁଜା କରୁଥିଲେ। ଅତି ଚତୁରତାର ସହ ରାତି ଅଧରେ ଏଭଳି କାଣ୍ଡ ଭିଆଉଥିବାରୁ ଧରାପଡ଼ୁ ନଥିଲେ। ହେଲେ ଗୋଟିଏ ସିସିଟିଭି ଫୁଟେଜ୍‌ ସେମାନଙ୍କ ଖେଳ ବିଗାଡ଼ି ଦେଲା। ଏଭଳି ଏକ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ୍‌ ଠାବ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ବରମୁଣ୍ଡା ହାଉସିଂବୋର୍ଡ କଲୋନିର ରସିକମଣି ରାଉତ, ବରମୁଣ୍ଡା ଗୋଲେଇ ଛକର ରାକେଶ ସାହୁ ଓ ପାତ୍ରପଡ଼ା ଶ୍ରୀୟା ପ୍ୟାଲେସ୍‌ର ହିରଣ୍ମୟ ପ୍ରଧାନ। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପୁଲିସ୍‌ ସୂଚନା ଅନୁଯାୟୀ, ବରମୁଣ୍ଡା ହାଉସିଂବୋର୍ଡ କଲୋନି ଏଲ୍‌/୨୩୩ ପ୍ଲଟରେ ବଳରାମ ପଣ୍ଡା ନାମକ ଜଣେ ଯୁବକ ରହନ୍ତି। ତାଙ୍କ ପ୍ଲଟ୍‌ ସାମ୍ନାରେ ତାଙ୍କର ଗାଡ଼ି(ଓଡି୩୩ୱାଇ-୦୧୯୯) ପାର୍କିଂ ହୋଇଥିଲା। ଗତ ୨୧ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ତିନିଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଏକ ପଥରରେ ଛେଚି ଗାଡ଼ି କାଚକୁ ଭାଙ୍ଗି ଦେଇଥିଲେ। ତେବେ ସେଠାରେ ଥିବା ଏକ ସିସିଟିଭିରେ ଦୁର୍ବୃତ୍ତଙ୍କ ଏହି କାଣ୍ଡ ରେକର୍ଡ ହୋଇଯାଇଥିଲା। ଏ ସଂପର୍କ‌ରେ ବଳରାମ ଖଣ୍ଡଗିରି ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସେହିପରି ସେଠାରୁ ଯିବା ପରେ ଦୁର୍ବୃତ୍ତମାନେ ଆଉ ଦୁଇଟି ଗାଡ଼ିକୁ ପିଟି ପିଟି ଭାଙ୍ଗିଥିବା ପୁଲିସ୍‌ କହିଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ପଳାସୁଣି ଅଞ୍ଚଳରେ ଏଭଳି କାଣ୍ଡ ଘଟିଥିଲା। ଅନୁରୂପ ଢଙ୍ଗରେ ୪ରୁ ୫ ଜଣ ଯୁବକ ହାତରେ ଲୁହାଛଡ଼ ଓ କାଠ ଫାଳିଆ ଧରି ଘର ସାମ୍ନାରେ ପାର୍କିଂ ହୋଇଥିବା କାର୍‌ଗୁଡ଼ିକୁ ପିଟି ଭାଙ୍ଗିଥିଲେ। ଲକ୍ଷ୍ମୀସାଗର ଅଞ୍ଚଳରେ ମଧ୍ୟ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିଲେ। ଉଭୟ ଘଟଣାରେ ୧୦ରୁ ୧୨ଟି ଗାଡ଼ି ଭାଙ୍ଗି ରୁଜି ଯାଇଥିଲା। ଉଭୟ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମଦ୍ୟପାନ କରିବା ପରେ ମୁଣ୍ଡକୁ ଯାହା ଚଢ଼ୁଥିଲା ତାହା କରୁଥିଲେ ବୋଲି ଅଭିଯୁକ୍ତମାନେ କହିଥିଲେ। ଅକାରଣରେ ଏମାନେ ବୁଲି ବୁଲି ଗାଡ଼ି ଭାଙ୍ଗି ପକାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe