ବନମାଳୀପୁର ବାଣ ବିସ୍ଫୋରଣକୁ ତିନି ବର୍ଷ ବିତିଲା: ଏଯାଏ ମିଳିଲେନି ନିଖୋଜ ଜ୍ଞାନେନ୍ଦ୍ର

Advertisment

ଭୂତକୋଠି ପାଲଟିଛି ଘରଡିହ, ଯୋଜନାବଦ୍ଧ ନୁହେଁ ତ?

ଭୂତକୋଠି ପାଲଟିଛି ଘରଡିହ, ଯୋଜନାବଦ୍ଧ ନୁହେଁ ତ?

ବନମାଳୀପୁର ବାଣ ବିସ୍ଫୋରଣକୁ ତିନି ବର୍ଷ ବିତିଲା: ଏଯାଏ ମିଳିଲେନି ନିଖୋଜ ଜ୍ଞାନେନ୍ଦ୍ର

ବାଲିପାଟଣା: ଆଉ ଦିନ କେଇଟା ପରେ ବନମାଳୀପୁର ନୂଆସାହି ବାଣ ବିସ୍ଫୋରଣ ଘଟଣାକୁ ୩ ବର୍ଷ ପୂରିବ। ବାଣ ଭିଡ଼ୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିବାରୁ ସ୍ତ୍ରୀ ରଶ୍ମିତାଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଥିଲା। ରଶ୍ମିତାଙ୍କ ଦରପୋଡ଼ା ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥି‌ଲା। ମାତ୍ର ସ୍ବାମୀ ଜ୍ଞାନେନ୍ଦ୍ରଙ୍କର ପତ୍ତା ମିଳିନଥିଲା। ତାଙ୍କ ଶବ ନମିଳିବାରୁ ସେ ଘଟଣାସ୍ଥଳରୁ ଫେରାର୍ ହୋଇ ନିଖୋଜ ହୋଇଯାଇଥିବା ଚର୍ଚ୍ଚା ହେଲା। ଆଜି ପର୍ଯ୍ୟନ୍ତ ଜ୍ଞାନେନ୍ଦ୍ରଙ୍କ ପତ୍ତା ମିଳିନାହିଁ। ତାଙ୍କ ଅର୍ଦ୍ଧଭଗ୍ନ ଘରଡିହ ଭୂତକୋଠି ପାଲଟିଯାଇଛି। ତେଣୁ ସେଦିନର ସେହି ଚାଞ୍ଚଲ୍ୟକର ଘଟଣାଟି ଆଜି ବି ରହସ୍ୟ ହୋଇ ରହିଯାଇଛି। ଜ୍ଞାନେନ୍ଦ୍ରଙ୍କ ପତ୍ତା ନମିଳିବା ବହୁ ପ୍ରଶ୍ନ ଛିଡ଼ା କରାଇଛି। ବିସ୍ଫୋରଣ ଅତର୍କିତ ଥିଲା କି ଏକ ସୁଚିନ୍ତିତ ଯୋଜନା ଥିଲା ବୋଲି ଲୋକେ ଏବେ ବି ପ୍ରଶ୍ନ କରୁଛନ୍ତି। ଯଦି ଅଚନାକ ଅଘଟଣଟି ଘଟିଲା, ଜ୍ଞାନେନ୍ଦ୍ର ନିଜର ଦୁଇ ଛୁଆଙ୍କୁ ଛାଡ଼ି ଏତେ ଦିନ ପର୍ଯ୍ୟନ୍ତ ଆତ୍ମଗୋପନ କରିଛନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ପୁଲିସ ତାଙ୍କୁ ଖୋଜି ପାଉନି ନା ଜାଣିଶୁଣି ଖୋଜୁନାହିଁ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।

ଯୋଜନାବଦ୍ଧ ନୁହେଁ ତ?
ଜ୍ଞାନେନ୍ଦ୍ର ମିଶ୍ର ସେହି ଅଞ୍ଚଳର ଜଣେ ଜଣାଶୁଣା ବାଣ ମିସ୍ତ୍ରି। ସ୍ବାମୀ-ସ୍ତ୍ରୀ ମିଶି ବାଣ ଭିଡ଼ନ୍ତି ଓ ବେପାର କରନ୍ତି। ଚୋରାରେ ଚାଲେ ଏହି ବାଣ ବେପାର। ପୂଜା, ପାର୍ବଣ, ବିବାହ, ବ୍ରତ, ମେଳା ମହୋତ୍ସବ ପାଇଁ ଲୋକେ ଜ୍ଞାନେନ୍ଦ୍ରଙ୍କଠାରୁ ବାଣ କିଣନ୍ତି। ଭଲ ଦୁଇ ପଇସା ରୋଜଗାର ହୁଏ। ଦୁଇ ଝିଅ ଓ ବାପାଙ୍କୁ ନେଇ ସେମାନଙ୍କ ସଂସାର। ବାପା ନୃସିଂହ ବି ବାଣ କାରିଗର। ପୂର୍ବରୁ ୧୯୯୯ ମସିହା ପହିଲି ରଜ ଦିନ ଜ୍ଞାନେନ୍ଦ୍ରଙ୍କ ବଡ଼ଭାଇ ନଗେନ୍ଦ୍ର ଏମିତି ବାଣ ଭିଡ଼ୁଭିଡ଼ୁ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ଏହା ପରେ ବି ବେଆଇନ ଭାବେ ସେମାନେ ବାଣ ତିଆରି ଓ ବେପାର ଜାରି ରଖିଥିଲେ। କୁହାଯାଏ, ରଶ୍ମିତା କୌଣସି ରୋଗରେ ପୀଡ଼ିତ ଥିଲେ ଓ ତାଙ୍କ ପିଛା ଜ୍ଞାନେନ୍ଦ୍ର ବହୁ ପଇସା ଖର୍ଚ୍ଚ କରୁଥିଲେ। ମାତ୍ର ସେ ସୁସ୍ଥ ହେଉନଥିଲେ। ଘଟଣା ଦିନ ବାପା ନୃସିଂହ କି ଅନ୍ୟ ବାଣ ମିସ୍ତ୍ରି ଆସିନଥିଲେ। ଦୁଇ ଝିଅ ସ୍କୁଲକୁ ଚାଲି ଯାଇଥିଲେ। ବାଣ ତିଆରି ଘରେ କେବଳ ଜ୍ଞାନେନ୍ଦ୍ର ଓ ରଶ୍ମିତା ଥିଲେ। ବିସ୍ଫୋରଣରେ ରଶ୍ମିତା ଖଣ୍ଡଖଣ୍ଡ ହୋଇଗଲେ, ଅଥଚ ଜ୍ଞାନେନ୍ଦ୍ର ବର୍ତ୍ତିଗ‌ଲେ। ତେଣୁ ଏହି ଅଘଟଣକୁ କେହି କେହି ଦୁର୍ଘଟଣା ବୋଲି କହୁଥିଲେ ବି ଘଟଣାଚକ୍ରକୁ ନେଇ ଅନେକ ସନ୍ଦେହ କରୁଛନ୍ତି। ତେବେ ଜ୍ଞାନେନ୍ଦ୍ରଙ୍କୁ ଠାବ ନକରିବା ପର୍ଯ୍ୟନ୍ତ ସବୁ କଥା କେବଳ ସନ୍ଦେହ ବୋଲି କୁହାଯାଉଛି। ଏହି ମାମଲା ଏବେ ବି ତଦନ୍ତାଧୀନ ରହିଛି ବୋଲି ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ କହିଛନ୍ତି।

କ’ଣ ଘଟିଥିଲା ସେଦିନ?

୨୦୧୮ ମସିହା ନଭେମ୍ବର ୧। ସକାଳ ପ୍ରାୟ ୧୦ଟା ବେଳେ ହଠାତ୍ ବନମାଳୀପୁର ନୂଆସାହିର ଆଖପା‌ଖ ଅଞ୍ଚଳ ଭୟଙ୍କର ବିସ୍ଫୋରଣରେ ଥରିଉଠିଲା। ଲୋକେ ଭାବିଲେ ଭୂମିକମ୍ପ। କେହି କେହି ସମଗ୍ର ନୂଆସାହି ଉପରେ ଘନ କଳା ଧୂଆଁର ଆବରଣ ଖେଳିଗଲା। ଗାଁ ସାରା ଏକ ଘରର ଭଗ୍ନ ଟୁକୁଡ଼ା ଅଂଶ ବିଛାଡ଼ି ହୋଇପଡ଼ିଲା। ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଖଣ୍ଡବିଖଣ୍ଡିତ ଶରୀର ମଧ୍ୟ ଗାଁର ଏଣେତେଣେ ପଡ଼ିଲା। ଭୟ‌ରେ ଗାଁ ଲୋକେ ଘରୁ ବାହାରି ପାରିଲେ ନାହିଁ। ତେବେ କିଛି ସମୟ ପରେ ଜଣାଗଲା ଯେ ଜ୍ଞାନେନ୍ଦ୍ରଙ୍କ ଘରେ ବାଣ ଭିଡ଼ା ଚାଲିଥିବା ବେଳେ ବିସ୍ଫୋରଣ ହୋଇଛି। ଜ୍ଞାନେନ୍ଦ୍ରଙ୍କ ସ୍ତ୍ରୀ ରଶ୍ମିତାଙ୍କ ମୃତ୍ୟୁ ହୋଇଛି। ବାଣ ଭିଡ଼ାରେ ନିୟୋଜିତ ଅନ୍ୟ କିଛି କର୍ମଚାରୀ ଓ ଖୋଦ୍‌ ଜ୍ଞାନେନ୍ଦ୍ର ବି ବିସ୍ଫୋରଣର ଶିକାର ହୋଇଛନ୍ତି ବୋଲି ପ୍ରଚାର ହୋଇଗଲା। କିଛି ମରଶରୀର ଭଗ୍ନ ଘର ଭିତରେ ଚାପି ହୋଇ ରହିଛି ବୋଲି ପ୍ରଚାର ହୋଇଗଲା। ଚାହୁଁ ଚାହୁଁ ଖବର ସବୁଆଡ଼େ ବ୍ୟାପିଗଲା। ବାଲିପାଟଣା ଥାନା ସମେତ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀମାନେ ଅଗ୍ନିଶମ ବାହିନୀକୁ ଧରି ଘଟଣାସ୍ଥଳରେ ପହଞ୍ଚିଲେ। ରାଜଧାନୀରୁ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସୁଅ ଛୁଟିଲା। ଘଟଣାଟି ସମଗ୍ର ରାଜ୍ୟ ପାଇଁ ଏକ ବଡ଼ଖବର ପାଲଟିଗଲା। ପୁଲିସ ଉପସ୍ଥିତିରେ ଭଗ୍ନ ଘର ଭିତରୁ ଶବ ଖୋଜା ଚାଲିଲା। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ତନ୍ନତନ୍ନ କରି ଖୋଜିଲେ। ମାତ୍ର କେବଳ ରଶ୍ମିତାଙ୍କ ଖଣ୍ଡବିଖଣ୍ଡିତ ଶରୀର ଛଡ଼ା ଅନ୍ୟ କାହାର କିଛି ମିଳିଲା ନାହିଁ। ଧୀରେଧୀରେ ସ୍ପଷ୍ଟ ହେଲା ଯେ ଏହି ଭୟଙ୍କର ବିସ୍ଫୋରଣରେ କେବଳ ରଶ୍ମିତାଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ବେଳେ ଘଟଣାସ୍ଥଳରୁ ଜ୍ଞାନେନ୍ଦ୍ର ଦୌଡ଼ି ପଳାଇଛନ୍ତି ବୋଲି କେହି କେହି କହିଲେ। ସେହିଦିନରୁ ଜ୍ଞାନେନ୍ଦ୍ର ନିଖୋଜ ଅଛନ୍ତି ଓ ରହସ୍ୟ ହୋଇ ରହିଯାଇଛି ଅଘଟଣଟି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe