ରାଜପଥରେ ରୋମାଞ୍ଚଭରା ନାଟକ: ସ୍ତ୍ରୀକୁ ଅପହରଣ କରି ଛେଚା ଖା‌ଇଲା ସ୍ବାମୀ

ମହିଳାଙ୍କ ମାମୁ ବି ପାଇଲେନି ନିସ୍ତାର

ରାଜପଥରେ ରୋମାଞ୍ଚଭରା ନାଟକ: ସ୍ତ୍ରୀକୁ ଅପହରଣ କରି ଛେଚା ଖା‌ଇଲା ସ୍ବାମୀ

ଭୁବନେଶ୍ବର: ସମୟ ଅପରାହ୍ଣ ସାଢ଼େ ୧୨। ନୂଆପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଡହଡହ ଖରାରେ ଚାଲିଚାଲି ଯାଉଥିଲେ ଦୁଇ ବାନ୍ଧବୀ। ହଠାତ୍ ଏକ କାର୍‌ ସେମାନଙ୍କ ନିକଟରେ ଅଟକିଲା। କାର୍‌ ଭିତରୁ ବାହାରି ଜଣେ ଯୁବକ ଆଖି ପିଛୁଳାକେ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କୁ ଟେକି ନେଇ କାର୍‌ ଭିତରେ ପୂରାଇ ଦେଲା। ଫିଲ୍ମ ଷ୍ଟାଇଲ୍‌ରେ ଘଟିଗଲା ଏହି ଘଟଣା। ଅନ୍ୟ ଯୁବତୀ ଜଣକ କିଛି ବୁଝିବା ପୂର୍ବରୁ କାର୍‌ଟି ସେଠାରୁ ଦ୍ରୁତ ବେଗରେ ପଳାଇଥିଲା। ତେବେ ଅନ୍ୟ ଯୁବତୀ ଜୋର୍‌ରେ ଚିତ୍କାର କରି ଆଖପାଖ ଲୋକଙ୍କୁ ଡାକିଥିଲେ। କିଛି ଲୋକ ବି ଦିନ ଦି’ପହରରେ ଯୁବତୀଙ୍କୁ ଅପହରଣ କରାଯାଉଥିବା ଦେଖି କାର୍‌କୁ ପିଛା କରିଥିଲେ। ସେମାନେ କାର୍‌କୁ ନୂଆପଲ୍ଲୀ ଭୋଇସାହି ନିକଟରେ ଅଟକାଇବାକୁ ସକ୍ଷମ ହୋଇଥିଲେ।

ଏହା ପରେ ଆରମ୍ଭ ହୋଇଥିଲା ମୁଥ, ବିଧା ଓ ଗୋଇଠା ବର୍ଷା। କିଛି ଯୁବକ ବି କାର୍‌କୁ ପିଟି ଭାଙ୍ଗି ପକାଇଥିଲେ। କାର୍‌ରେ ଥିବା ଯୁବକଙ୍କୁ କେହି କିଛି କହିବାକୁ ସୁଯୋଗ ଦେଲେନାହିଁ। ଯିଏ ଆସିଲା, ଛେଚିଲା। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ସେଠାରେ ପହଞ୍ଚିବା ପରେ ଅସଲ କଥା ଜଣାପଡ଼ିଥିଲା। ସ୍ବାମୀ, ଯୁବତୀଙ୍କ ମାମୁଙ୍କ ସହଯୋଗରେ ଏହି ଅପହରଣ କରୁଥିବା ଜଣାପଡ଼ିଥିଲା। କଥା ଜଣାପଡ଼ିବା ମାତ୍ରେ ମାଡ଼ ମାରୁଥିବା ଲୋକମାନେ ଧୀରେ ଧୀରେ କଡ଼ ଆଡ଼େଇ ସେଠାରୁ ଛୁ’ମାରିଥିଲେ। ପୁଲିସ ଯୁବତୀଙ୍କ ସମେତ ତାଙ୍କ ସ୍ବାମୀ, ମାମୁ ଓ କାର୍‌ ଚାଳକକୁ ଥାନାକୁ ନେଇଥିଲା।

ଘଟଣାଟି ଥିଲା ଏମିତି। ୨ ବର୍ଷ ତଳେ ନୟାଗଡ଼ ଅଞ୍ଚଳର ସବିର କୁମାର ପଣ୍ଡା ଉକ୍ତ ଯୁବତୀଙ୍କୁ ବିବାହ କରିଥିଲେ। ଯୁବତୀ ଜଣକ ବିଭିନ୍ନ ପ୍ରକାର ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଇସ୍କନ ମନ୍ଦିର ନିକଟସ୍ଥ ଏକ ଘରୋଇ ଲେଡିଜ୍‌ ହଷ୍ଟେଲ୍‌ରେ ରହୁଥଲେ। ମାତ୍ର ଛୁଟିରେ ବି ସେ ସ୍ବାମୀ ସବିରଙ୍କ ପାଖକୁ ଫେରୁନଥିଲେ। ଏନେଇ ସେମାନଙ୍କ ଭିତରେ କିଛି ଦିନ ହେଲା ତିକ୍ତତା ସୃଷ୍ଟି ହୋଇଥିଲା। ତେଣୁ ସବିର୍‌ ଯୁବତୀଙ୍କ ମାମୁଙ୍କୁ ସବୁ କଥା ଜଣାଇଥିଲେ ଓ ସେମାନେ ମିଳିତ ଭାବେ ଏହି ନାଟକ ରଚନା କରିଥିଲେ। ମାତ୍ର ଫଳ ହେଲା ଓଲଟା। ପୁଲିସ ସୂଚନାନୁସାରେ ଯୁବତୀ ଜଣକ ଥାନାରେ ଲିଖିତ ଭାବେ ତାଙ୍କୁ ଅପହରଣ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ସବିରଙ୍କ ସମେତ ଯୁବତୀଙ୍କ ମାମୁ ଶୋଭନ କୁମାର ପଣ୍ଡା ଓ କାର୍‌ ଚାଳକ ଅନିଲ କୁମାର ସାହୁକୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe